ଫୁଲବାଣୀ : ଫୁଲବାଣୀ ମ୍ୟୁନିସିପାଲଟିର ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ପୁନମ କହଁରଙ୍କୁ ନେଇ ଏବେ ଦଳ ଭିତରେ ବିଦ୍ରୋହ ଦେଖାଦେଇଛି । ଅଧ୍ୟକ୍ଷ ପଦବୀ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ଦଳ ସାଧାରଣ ବର୍ଗ ପ୍ରାର୍ଥୀଙ୍କୁ ଅଣଦେଖା କରି ସଂଖ୍ୟାଲଘୁ ସଂପ୍ରଦାୟର ପୁନମ କହଁରଙ୍କୁ ପ୍ରାର୍ଥୀ କରିଥିବାରୁ ଦଳ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଦଳର ଆଶାୟୀ ପ୍ରାର୍ଥୀଙ୍କ ସମେତ ସାଧାରଣ ବର୍ଗର କର୍ମୀମାନେ ମଧ୍ୟ ଦଳୀୟ ପ୍ରାର୍ଥୀକୁ ଭିତିରିଆ ବିରୋଧ କରୁଛନ୍ତି ।
ଯାହାକି ବିଜେପି ଓ କଂଗ୍ରେସକୁ ବେଶ ସୁହାଇବ ବୋଲି ଜଣାପଡିଛି । ଦଳର କେଉଁ ନେତା କେଉଁ ଉଦ୍ଦେଶ୍ୟରେ ଓ କେଉଁ ଆଧାରରେ ପ୍ରାର୍ଥୀ ଚୟନ କଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ପ୍ରାର୍ଥୀ ଚୟନରେ କୁଆଡେ ପାତର ଅନ୍ତର ହୋଇଥିବା ଅଭିଯୋଗ ହୋଇଛି । ଏଣୁ ଅସନ୍ତୁଷ୍ଟ ନେତା ଟିକେଟ ଚୟନକର୍ତ୍ତାଙ୍କୁ ପାନେ ଦେବାଲାଗି ଦଳୀୟ ପ୍ରାର୍ଥୀ ଯେପରି ହାରିବେ ସେ ନେଇ ଗୁପ୍ତ ମନ୍ତ୍ରଣା ଆରମ୍ଭ କରିଛନ୍ତି । ଏପଟେ ସହରର ମୋଟ ଭୋଟର ସଂଖ୍ୟା ୨୫ ହଜାର ୫୨୦। ସେଥିମଧ୍ୟରୁ ସାଧାରଣ ବର୍ଗ ଭୋଟରଙ୍କ ସଂଖ୍ୟା ଢେର ଅଧିକ । ଶତପ୍ରତିଶତ ଶିକ୍ଷିତ ମଧ୍ୟ ।
ତେବେ ସାଧାରଣ ବର୍ଗ ଭୋଟରଙ୍କ ପ୍ରଥମ ପସନ୍ଦ ସାଧାରଣ ବର୍ଗ ପ୍ରାର୍ଥୀ । ହେଲେ ବିଜେଡ଼ି ପ୍ରାର୍ଥୀ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ହୃଦୟ ଜିତି ତାଙ୍କ ପଟକୁ ଆଣିବେ ତାହା ତାଙ୍କ ଦକ୍ଷତା ଉପରେ ନିର୍ଭର କରେ । ବିଜେପି ଓ କଂଗ୍ରେସ ସାଧାରଣ ବର୍ଗର ମହିଳା ପ୍ରାର୍ଥୀ ଦେଇଥିବାରୁ ସରକାରୀ କର୍ମଚାରୀ, ବ୍ୟବସାୟୀ ଗୋଷ୍ଠୀ ଓ ଅନ୍ୟ ସାଧାରଣ ବର୍ଗର ଭୋଟରମାନେ ଚିନ୍ତାକରି ଦଳ ନ ଦେଖି ପ୍ରାର୍ଥୀର ଦକ୍ଷତା ଓ ଯୋଗ୍ୟତା ଦେଖି ଯିଏ ସେମାନଙ୍କ ପାଇଁ କ।ମ କରିପାରିବ ଆଉ ସହରର ଉନ୍ନତି କରିବ ତାଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ।
