ଛାତ୍ରବଜାର ପୋଲ ଭୁଶୁଡିବା ଘଟଣା : ୨୪ ଘଣ୍ଟା ପରେ ଖାଲି ରିପୋର୍ଟ ତଲବ

କଟକ : ଦୁଇ ଜଣଙ୍କ ଜୀବନ ଚାଲିଗଲା । ଜଣେ ଗୁରୁତର ଆହତ ହେଲେ । ମୁଖ୍ୟମନ୍ତ୍ରୀ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଲେ । ହେଲେ ଘଟଣାର ୨୪ ଘଣ୍ଟା ପରେ ବି କେବଳ ରିପୋର୍ଟ ତଲବରେ ଅଟକିଛି କାର୍ଯ୍ୟାନୁଷ୍ଠାନ । ଛତ୍ରବଜାର ପୋଲ ପାଚେରି ଭୁଶୁଡିବା ଘଟଣାରେ ପ୍ରଶାସନର ଏଭଳି ଶିଥିଳ ପଦକ୍ଷେପକୁ ନେଇ ଏବେ ପ୍ରଶ୍ନ ଉଠୁଛି । ସେଠାରେ କାମ ଚାଲିଥିବା ବେଳେ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନିଆଯାଇଥିଲା କି ? ସବୁକିଛି ସ୍ପଷ୍ଟ ଧରାପଡ଼ି ଯାଉଥିଲେ ବି ପ୍ରଶାସନ କାହାକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି ବୋଲି ଏବେ ପ୍ରଶ୍ନବାଚୀ ଉଙ୍କି ମାରିଛି ।

ତଥ୍ୟ ଅନୁଯାୟୀ ଛତ୍ରବଜାର ବ୍ରିଟିସ୍ ଅମଳର ପୋଲକୁ ଲାଗି ଆଉ ଏକ ବକ୍ସ କଲଭର୍ଟ ନିର୍ମାଣ ଦାୟିତ୍ବ ନେଇଥିଲା ଭୁବନେଶ୍ବରର ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି । ଗତକାଲି ରାତିର ଦୁର୍ଘଟଣାକୁ ନେଇ ଆରଡିସି ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାପରେ କେନ୍ଦ୍ରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଏ ପ୍ରସଙ୍ଗରେ କଟକ ଜିଲ୍ଲାପାଳଙ୍କୁ ଏକ ପ୍ରାଥମିକ ରିପୋର୍ଟ ଦେବାକୁ କହିଛନ୍ତି । ସମାନ୍ତରାଳ ଭାବେ ଜିଲ୍ଲାପାଳ ଆରଆଣ୍ଡବି ନିକଟରୁ ଏକ ଟେକନିକାଲ୍ ରିପୋର୍ଟ ମାଗିଛନ୍ତି । ଘଟଣା ଘଟିବାର ୨୪ ଘଣ୍ଟା ଭିତରେ ପରସ୍ପର ଭିତରେ କେବଳ ରିପୋର୍ଟ ତଲବ‌ରେ ଅଟକିଛି କାର୍ଯ୍ୟାନୁଷ୍ଠାନ । ଏହାରି ଭିତରେ କନଷ୍ଟ୍ରକ୍ସନ କମ୍ପାନି ମାଲିକ ଅଭୟ କୁମାର ସାହୁ ଫେରାର ହୋଇଯାଇଥିବା କୁହାଯାଉଛି । ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରୁ ନଥିବା ବେଳେ ପୋଲ ପାଚେରି ଭୁଶୁଡ଼ିବା ଘଟଣାରେ ଭାରିଯାନ ଚଳାଚଳକୁ ଦୋଷ ଦେଇ ଜିଲ୍ଲାପାଳ ଖସିଯାଇଛନ୍ତି ।

କେନ୍ଦ୍ରାଞ୍ଚଳ ଆରଡିସି ଦାୟିତ୍ବରେ ଥିବା ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି ଯେ କଟକ ଜିଲ୍ଲାପାଳଙ୍କ ସହିତ ଏକ ସମ୍ପର୍କରେ ଆଲୋଚନା କରାଯାଇଛି । ପ୍ରାଥମିକ ରିପୋର୍ଟ ଜିଲ୍ଲାପାଳଙ୍କୁ ମଗାଯାଇଛି । ରିପୋର୍ଟ ଆସିଲେ ଏହାର ତଦନ୍ତ କରାଯିବ । ତଦନ୍ତରେ ଏହା ଏକ ଦୁର୍ଘଟଣା ନା ଅବହେଳା, ଏଥିପାଇଁ ଦାୟୀ କିଏ, ଏଭଳି ଅଘଟଣ ଯେଭଳି ନଘଟେ ସେଥିପ୍ରତି କି ପ୍ରକାର ପ୍ରତିକାର ନିଆଯାଇପାରିବ, ସେ ଦିଗରେ ଦୃଷ୍ଟି ଦିଆଯିବ ।

ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ ବ୍ରିଜ ନିକଟରେ ଏକ ବେଆଇନ କୋଠା ଥିଲା । ପୁରୁଣା ବ୍ରିଜରେ ଯାନବାହାନ ଚଳାଚଳ ଦ୍ବାରା ଭାଇବ୍ରେସନ୍ ଯୋଗୁଁ କୋଠା ସହିତ କୋଠା ଉପରେ ଥିବା ଏକ ପାଣି ଟାଙ୍କି ଭୁଶୁଡ଼ି ପଡ଼ିଛି । ଆରଆଣ୍ଡବିକୁ ଏକ ଟେକନିକାଲ୍ ରିପୋର୍ଟ ମଗାଯାଇଛି । ଆମେ ଆରଡିସିଙ୍କୁ ବି ଦିନେ ଦୁଇ ଦିନ ଭିତରେ ରିପୋର୍ଟ ଦେବୁ । ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଥିବା ଶ୍ରୀ ଚୟନୀ କହିଛନ୍ତି ।

Leave a Reply

Your email address will not be published. Required fields are marked *