କୋରାପୁଟ : ପଟାଙ୍ଗି ଉପନିବନନ୍ଧକ କାର୍ଯ୍ୟାଳୟରେ ୪ କୋଟି ଟଙ୍କାର ଦୁର୍ନୀତି ଘଟଣାରେ ନୂଆ ନୂଆ ଫର୍ଦ୍ଦ ଖୋଲିବାରେ ଲାଗିଛି । ଯୋଜନାବଦ୍ଧ ଓ ସମସ୍ତଙ୍କ ଜାଣତରେ ହୋଇଥିଲା ଏହି ମହାଦୁର୍ନୀତି । ଟଙ୍କା ହେରଫେର ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ବଦଳରେ ଘଣ୍ଟ ଘୋଡ଼ାଇବାକୁ ପ୍ରୟାସ କରାଯାଇଥିଲା । ଟଙ୍କା ଜମା କରି ଦେବାକୁ ପର୍ଯ୍ୟାପ୍ତ ସୁଯୋଗ ସୁଧୀରଙ୍କୁ ମିଳିଥିଲା ତଥାପି ସେ ଖାତିର କରି ନଥିଲା ବୋଲି ସୂଚନା ମିଳିଛି ।
ସୁଧୀର ସାହୁ ହେଉଛନ୍ତି ଉପନିବନନ୍ଧକ କାର୍ଯ୍ୟାଳୟର ତତ୍କାଳୀନ କିରାଣି । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସୁଧୀର ବିଶ୍ବାସରେ ବିଷ ଦେଇ ଏତେ ବଡ଼ କାରନାମା କରିଛନ୍ତି । ତତ୍କାଳୀନ ତହସିଲଦାର ଅରୁଣ କୁମାର ଖଣ୍ଡା, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ଏବଂ ବର୍ତ୍ତମାନର ତହସିଲଦାର ହରିପଦ ମଣ୍ଡଳଙ୍କ ଅତ୍ୟନ୍ତ ବିଶ୍ବସ୍ତ ଥିଲେ ସେ । ଏହାକୁ ସୁଯୋଗରେ ପରିଣତ କରି ଉପରୋକ୍ତ ଅଧିକାରୀଙ୍କ ମାର୍ଫତରେ ସେଲ୍ଫ୍ ଚେକ୍ ବ୍ୟାଙ୍କରେ ଦାଖଲ କରି ଟଙ୍କା ଉଠାଇଥିଲେ । ଅତିରିକ୍ତ ତହସିଲଦାର ମହାଦେବ ଭତ୍ରାଙ୍କ ଦସ୍ତଖତ ଥିବା ଚେକ୍ ମାଧ୍ୟମରେ ୧୫ ଲକ୍ଷ ୪୦ ହଜାର ୪୭୨ ଟଙ୍କା ଉଠାଇଥିବା ବେଳେ, ତାଙ୍କ ଜରିଆରେ ହିଁ ପୁଣି ୨ କୋଟି ୩୨ ଲକ୍ଷ ୭ ହଜାର ୮୬୦ ଟଙ୍କା ହେରଫେର କରିଛି । ସେହିପରି ତତ୍କାଳୀନ ତହସିଲଦାର ଅରୁଣ କୁମାର ଖଣ୍ଡାଙ୍କ ଜରିଆରେ ୩୧ ଲକ୍ଷ ୨୩ ହଜାର ୬୩୫ ଟଙ୍କା ଓ ବର୍ତ୍ତମାନର ତହସିଲଦାର ହରିପଦ ମଣ୍ଡଳଙ୍କ ଜରିଆରେ ୯୧ ଲକ୍ଷ ୪୨ ହଜାର ୯୮୪ ଟଙ୍କା ହେରଫେର କରିଥିବା ଅଡିଟ ରିପୋର୍ଟରେ ଉଲ୍ଲେଖ ହୋଇଛି ।
୧୯୮୫ ମସିହାରେ ସ୍ଥାପିତ ହୋଇଥିବା ଏହି ଉପନିବନ୍ଧକ କାର୍ଯ୍ୟଳୟରେ ପ୍ରତି ବୁଧବାର ଓ ଶୁକ୍ରବାର ଦିନ ପ୍ରବଳ ଭିଡ଼ ହେଉଥିଲା । ମଧ୍ୟାହ୍ନ ୧୨ଟା ରୁ ରାତି ୮ଟା ପର୍ଯ୍ୟନ୍ତ ସୁଧୀରର ନିର୍ଦ୍ଦେଶରେ କାର୍ଯ୍ୟାଳୟ ଖୋଲା ରହୁଥିଲା । ନିଜ କାର୍ରେ ରାତିରେ ସୁଧୀର ଉପନିବନ୍ଧକ କାର୍ଯ୍ୟାଳୟକୁ ଆସି ହିସାବ କରି ଫେରିଯାଉଥିଲେ ବୋଲି ସୂଚନା ମିଳିଛି । ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଭୁବନେଶ୍ବର, କଟକ, କୋରାପୁଟ, ସେମିଳିଗୁଡା ଓ ନୟାଗଡରେ ଏକାଧିକ ପ୍ଲଟ, ତିନୋଟି ଚାରିଚକିଆ, କୋରାପୁଟରେ ଦୁଇ ମହଲା କୋଠା ସହ ଏକାଧିକ ସ୍ଥାନରେ ଜମି କିଣି ଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । କୋରାପୁଟ, ସେମିଳିଗୁଡା, ସୁନାବେଡ଼ା ଓ ପଟାଙ୍ଗିର କିଛି ଜମି ମାଫିଆଙ୍କ ସହ ବି ସିଧାସଳଖ ଯୋଗାଯୋଗରେ ରହିଥିଲା । ସେମାନଙ୍କ ଇସାରାରେ ହିଁ ସେ କାମ କରୁଥିଲା ବୋଲି ଶୁଣିବାକୁ ମିଳୁଛି ।
