ବିଭିନ୍ନ ଦାବି ନେଇ ୬ ତାରିଖରେ ବିଧାନସଭା ଘେରାଉ କରିବ ଅଙ୍ଗନବାଡ଼ି ସଂଘ

ଭୁବନେଶ୍ୱର : ବିଭିନ୍ନ ଦାବି ନେଇ ଆସନ୍ତା ୬ ତାରିଖରେ ବିଧାନସଭା ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିବ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର୍ସ ଆସୋସିଏସନ୍‌। ଏ ନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି । ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସରକାରୀ ଚାକିରିର ମାନ୍ୟତା, ଯେପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳିନି ସେମାନଙ୍କୁ ମାସିକ ୨୧ ହଜାର ଟଙ୍କା ଓ ସହାୟିକାଙ୍କୁ ୧୦ ହଜାର ୫୦୦ ଟଙ୍କା, ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହିତ ମାସିକ ୫ ହଜାର ଟଙ୍କା ଅବସରକାଳୀନ ଭତ୍ତା ପ୍ରଦାନ ପ୍ରଭୃତି ଦାବି ରହିଛି । ଏନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସମ୍ମିଳନୀରେ ଆଲୋଚନା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘ ରାଜ୍ୟ ସଭାପତି ପୃଥ୍ବୀରାଜ ପଣ୍ଡା, ସାଧାରଣ ସମ୍ପାଦକ ବିନୟ ତ୍ରିପାଠୀ, ସଦସ୍ୟ ବସନ୍ତ ସାହୁ, ଅଖିଳ ଭାରତୀୟ ଅଙ୍ଗନବାଡ଼ି କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦିକା ଅଞ୍ଜଳି ପଟେଲ, ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର, ସାଧାରଣ ସମ୍ପାଦିକା ଝୁନୁପମା ଶତପଥୀ ପ୍ରମୁଖ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *