ସୂତାକଳର ନାଁ ବଦଳିଛି ମାତ୍ର ଭାଗ୍ୟ ବଦଳିନି

ସୋନପୁର : ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ପ୍ରଥମ ଶିଳ୍ପ ହେଉଛି ‘ସ୍ପିନିଂ ମିଲ୍‌’ ବା ସୂତାକଳ । ଏହା ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ଶିଳ୍ପ ପ୍ରତିଷ୍ଠାନ । ମାତ୍ର, ବିଭିନ୍ନ ସମୟରେ ପରିଚାଳନାଗତ ତ୍ରୁଟି ପାଇଁ ବନ୍ଦ ହେବାପ‌ରେ ପୁଣି ଥରେ ଯେତେଥର ଉଠିବାକୁ ଚେଷ୍ଟା କରୁଛି ଉଠିପାରୁନି । ରାଜ୍ୟ ସରକାର ଥରେ ହାତ ଛାଡ଼ିଦେବା ପରେ ସୂତାକଳର ନାଁ ବଦଳିଛି ମାତ୍ର ଭାଗ୍ୟ ବଦଳିନି । ଯେଉଁ ଦୁର୍ଦ୍ଦିନରେ ଥିଲା, ଠିକ୍‌ ସେହି ଅବସ୍ଥାରେ ରହିଯାଇଛି ।

୧୯୮୨ ମସିହାରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାର ଅମଳରେ ଏହି ସୂତାକଳ ପ୍ରତିଷ୍ଠା ହୋଇଥିଲା । ଅଳ୍ପ ମୂଳଧନ ଅର୍ଥାତ୍‌ ୫ କୋଟି ଟଙ୍କାରେ ୧୦୦୦ ରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ କର୍ମସଂସ୍ଥାନ ସୃଷ୍ଟି କରାଯାଇ ପାରିଥିଲା । ଏହି ଶିଳ୍ପ ସଂସ୍ଥା ଠିକ୍‌ଭାବେ ଚାଲୁଥିଲା ବେଳେ କିଛି କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ କ୍ରମଶଃ କ୍ଷତି ଆଡ଼କୁ ଗତିକଲା । ପ୍ରଥମେ ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ ଏହାର ପରିଚାଳନା ଦାୟିତ୍ବରେ ରହିଥିଲା । ମାତ୍ର, ୧୯୯୦ ମସିହା ଏପ୍ରିଲ୍‌ ମାସରେ ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ବ ଏବିଏସ୍‌ ନାମକ ଏକ ନୂଆ କମ୍ପାନି ହାତକୁ ଦେଇଦେଲେ । କୁହାଯାଇଥିଲା ଯେ ପରିଚାଳନାଗତ ସୁବିଧା ଏବଂ ଅଧିକ ଉତ୍ପାଦନକ୍ଷମ କରିବା ପାଇଁ ଏହି କମ୍ପାନି କାର୍ଯ୍ୟକରିବ । ହଠାତ୍‌ ୧୯୯୨ ଅଗଷ୍ଟ ମାସରେ ସୋନପୁର ସହିତ ବାରିପଦା, ଆସ୍କା ସୂତାକଳ ବିକ୍ରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ, କର୍ମଚାରୀ ଏବଂ ଶ୍ରମିକମାନଙ୍କ ତୀବ୍ର ବିରୋଧ ଫଳରେ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା । ବିକ୍ରି ସିନା ହୋଇପାରିଲାନି, ଶିଳ୍ପ ଉନ୍ନୟନ ନିଗମ ଯେଉଁ ଆର୍ଥିକ ସହାୟତା ଯୋଗାଉଥିଲା ତାହା ବନ୍ଦ କରିଦେଲା । ଯେଉଁଥି ପାଇଁ ଦିନକୁ ଦିନ ଉତ୍ପାଦନ ହ୍ରାସ ପାଇବା ସହିତ ଶ୍ରମିକ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଲେ । ଶେଷରେ, ଏହାକୁ ରୁଗ୍‌ଣ ଶିଳ୍ପ ବୋଲି ଘୋଷଣା ମଧ୍ୟ କରିଦିଆଗଲା ।

ଏହା ପରେ ଇଣ୍ତଷ୍ଟ୍ରିଆଲ ବ୍ୟାଙ୍କ ଅଫ୍‌ ଇଣ୍ତିଆକୁ ଅପରେଟିଂ ଏଜେନ୍ସି ରୂପେ ନିଯୁକ୍ତି ଦିଆଗଲା । ପରବର୍ତ୍ତୀ ସମୟରେ ଆଡିବିଆଇ ବମ୍ବେ ଟେକ୍ସଟାଇଲ ରିସର୍ଚ ଆସୋସିଏସନ (ବିଟିଆର୍‌ଏ)କୁ ୩ଟି ମିଲ୍‌ର କାରିଗରୀ ଏବଂ ଅର୍ଥନୈତିକ ଦୃଷ୍ଟି ଅନୁସନ୍ଧାନ କରି ରିପୋର୍ଟ ଦେବାକୁ କୁହାଯାଇଥିଲା । ବିଟିଆରଏ ଅନୁସନ୍ଧାନ କରି ରିପୋର୍ଟ ଦେଲେ ଯେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରାଗଲେ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ । କିନ୍ତୁ, ଏହି ରିପୋର୍ଟକୁ ସେହି ସମୟରେ ଗୁରୁତ୍ବ ଦିଆଯାଇ ନଥିଲା । ଏବିଏସ କର୍ତ୍ତୃପକ୍ଷ ସରକାରଙ୍କୁ ଅବଗତ କରାଇଥିଲେ ଯେ ୩୧.୩.୨୦୦୧ ସୁଦ୍ଧା ଯଦି ୧୪.୫ କୋଟି ଟଙ୍କା ଦିଆନଯାଉଛି ତେବେ ଅର୍ଥଲଗାଣକାରୀ ସଂସ୍ଥାମାନେ ସେମାନଙ୍କର ମୂଳଧନ ଏବଂ ସୁଧ ବାବଦକୁ ୬୦ କୋଟି ଟଙ୍କା ଦାବି କରିବେ । ବିଦ୍ୟୁତ ଦେୟ ୩୦ କୋଟିକୁ ମିଶାଇଲେ ସମୁଦାୟ ୯୦ କୋଟି ସରକାରଙ୍କୁ ଦେବାକୁ ପଡ଼ିବ । ଏହା ଛଡ଼ା ଏହି ତିନୋଟି ସୂତାକଳ ବନ୍ଦ ହୋଇଯିବ । ତେଣୁ ପରିଶୋଧ ବାବଦକୁ ୧୪.୫ କୋଟି ଟଙ୍କା, ତିନିଟି ମିଲ୍‌ର ପୁନର୍ବିନ୍ୟାସ ପାଇଁ ୨ କୋଟି ଟଙ୍କା ହିସାବରେ ୬ କୋଟି ଟଙ୍କା ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ସରକାର ଏହାକୁ ପ୍ରତ୍ୟାଖାନ କରିଦେଇଥିଲେ ।

୧୯୯୨ ରୁ ୨୦୦୧ ପର୍ଯ୍ୟନ୍ତ ସୋନପୁର ସ୍ପିନିଂ ମିଲ୍‌କୁ କେକେ ସ୍ପିନର, ଓଏସଏମ,ଏଚ୍‌ଆର ଇଣ୍ଟରନ୍ୟାସନାଲ ଗୁହାଟିଆ, ଓଡିଏମପିଏଲ ନାମକ ସଂସ୍ଥା ସହିତ ରାଜିନାମା କରାଯାଇ ମିଲ୍‌କୁ ଚଳାଇ ଦିଆଗଲା । ବିଦ୍ୟୁତ ଦେୟ, ଦରମା ଅନ୍ୟାନ୍ୟ ଖର୍ଚ୍ଚ ବଢ଼ି ବଢ଼ି ଚାଲିଥିବା ବେଳେ କନଭର୍ସନ ରେଟ୍‌ କମିଥିଲା । ଫଳ ସ୍ବରୁପ କନଭର୍ସନ ରାଜିନାମା କରିବାରୁ ବେପାରୀର ଲାଭ ହେଲା । କିନ୍ତୁ ସୋନପୁର ସ୍ପିନିଂ ମିଲ୍‌ର ଦୁରବସ୍ଥା ଦିନକୁଦିନ ଖରାପ ଆଡକୁ ଗତିକଲା । ଉତ୍ପାଦନ ତୁଳନାରେ ଯେତିକି ଆୟ ହେବା କଥା ହେଲା ନାହିଁ । ଏହା ଫଳରେ ଶ୍ରମିକମାନେ ଠିକ ସମୟରେ ଦରମା ପାଇଲେ ନାହିଁ କି ବିଦ୍ୟୁତ ଦେୟ ମଧ୍ୟ ପୈଠ ହୋଇପାରିଲା ନାହିଁ । ବିଦ୍ୟୁତ ଦେୟ ବଢ଼ି ବଢ଼ି ୧ କୋଟି ୨୦ ଲକ୍ଷରେ ପହଞ୍ଚିବା ଫଳରେ ବିଦ୍ୟୁତ ସଂଯୋଗ ଉକ୍ତ ମିଲକୁ ବିଦ୍ୟୁତ୍‌ ବିଭାଗ ବିଚ୍ଛିନ୍ନ କରିଦେଲେ । ଫଳ ସ୍ବରୁପ ୨୦୦୧ରେ ସ୍ପିନିଂ ମିଲ୍‌ଟି ବନ୍ଦ ହୋଇଯାଇଥିଲା ।

ଏହା ପୂର୍ବରୁ ୧୯୯୯ ମସିହାରେ ମଧ୍ୟ ୮ ମାସ ଏହି ସ୍ପିନଂ ମିଲ୍‌ଟି ବନ୍ଦ ରହିଥିଲା । ୨୦୦୭ରେ ବେସରକାରୀ ପ୍ରତିଷ୍ଠାନ କୋଲକାତାର ତତ୍‌କାଳୀନ ଫିରୋଜା ସ୍ପିନିଂ ମିଲର ମାଲିକ ବିଜୟ ଅଗ୍ରୱାଲଙ୍କୁ ଦାୟିତ୍ବ ଦିଆଗଲା । ଏହାର ୩ ବର୍ଷ ପରେ ୨୦୧୦ରେ ଏହା କାର୍ଯ୍ୟାରମ୍ଭ କରିବା ସହିତ ଉତ୍ପାଦନ ଆରମ୍ଭ କଲା । ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରାଯାଇ ‘ବାଲାଜୀ ଗଣପତି ସ୍ପିନିଂ ମିଲ୍‌’ ରଖାଯାଇଛି । ଏବେ ପ୍ରାୟ ୫୦ ଜଣ ଶ୍ରମିକରେ ଏହା କାମ କରୁଛି । ଗତ ବର୍ଷ ମଧ୍ୟ ପ୍ରାୟ ୧୧ ମାସ କାଳ ଏହି ସ୍ପିନିଂ ମିଲ ବନ୍ଦ ରହିଥିଲା । ବିଭିନ୍ନ ସମୟରେ ସ୍ପିନିଂ ମିଲ ବନ୍ଦ ରହିବା ଏହାର ଦୁର୍ଦ୍ଦିନକୁ ସ୍ପଷ୍ଟ କରୁଛି ।

Leave a Reply

Your email address will not be published. Required fields are marked *