ହଜାରେ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହୋଇପାରେ ଓଡ଼ିଶା

ଭୁବନେଶ୍ବର : ହଜାରେ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହୋଇପାରେ ଓଡ଼ିଶା । ଏହାକୁ ଫେରିପାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ ହୋଇ ନାହିଁ । ବରଂ ଏତେ ଟଙ୍କାର କ୍ଷତି ହେବାରୁ ୨୦୨୧-୨୨ କୃଷି ବିଜେଟ ଅନୁସାରେ କାର୍ଯ୍ୟକାରୀ ହୋଇଥିବା ଗୁରୁତ୍ବପୂର୍ଣ୍ଣ ସ୍କିମ୍‌ ଅଧାରେ ରହିଯାଇଛି ।

ଆସନ୍ତା ୩୦ ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ । ଏଥିରେ ସ୍ବତନ୍ତ୍ର ଭାବରେ ସ୍ଥାନ ପାଇବ କୃଷି ବଜେଟ । ଗତ ବର୍ଷ କୃଷି, ମତ୍ସ୍ୟ, ପଶୁପାଳନ, ଜଳସମ୍ପଦ ଭଳି ସମାନ ବର୍ଗ ପାଇଁ ସ୍ବତନ୍ତ୍ର ଭାବରେ ୧୦ ହଜାର ୭୦୫ କୋଟି ଟଙ୍କାର ବଜେଟ ଖର୍ଚ ହେଉଥିବା ଦର୍ଶାଯାଇଥିଲା । ଏଥିରେ ୫୦ଟି ସ୍କିମ ରହିଥିଲା । ସେଥିରୁ ୧୫ଟି ସ୍କିମ କେନ୍ଦ୍ରୀୟ ଅନୁଦାନରେ କରାଯାଉଥିଲା । ୨୦୨୧-୨୨ କେନ୍ଦ୍ରୀୟ ବଜେଟ ଅନୁସାରେ ଓଡ଼ିଶାକୁ କେନ୍ଦ୍ର ପକ୍ଷରୁ ୧୩୪୩ କୋଟି ଟଙ୍କା ମିଳିବା ଉଚିତ । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ମାତ୍ର ୧୦ ପ୍ରତିଶତ ଟଙ୍କା ମିଳିଛି । କେନ୍ଦ୍ର ପକ୍ଷରୁ ଟଙ୍କା ମିଳିବାର ଅନ୍ତିମ ତାରିଖ ହେଲା ୩୦ ତାରିଖ । ସେବେ ସୁଦ୍ଧା ଅତି ବେଶିରେ କେନ୍ଦ୍ର ସରକାର ତତ୍ପର ହେଲେ ଆଉ ୨ ପ୍ରତିଶତ ମିଳିବା ନେଇ ଆକଳନ କରାଯାଉଛି । ଅର୍ଥାତ ଓଡ଼ିଶା ଏକ ହଜାର ରୁ ଊର୍ଧ୍ବ କୋଟି ଟଙ୍କାର କ୍ଷତି ସହିବା ସ୍ପଷ୍ଟ ବୋଲି ସୂଚନା ମିଳିଲାଣି । ଏଥିଯୋଗୁଁ ଯେଉଁ ସ୍କିମ ବାଧାପ୍ରାପ୍ତ ହୋଇଛି ଏବଂ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ସେଗୁଡ଼ିକ ହେଲା ଜାତୀୟ କୃଷି ବିକାଶ ଯୋଜନା, ଜାତୀୟ ଉଦ୍ୟାନ ମିସନ, କୃଷି ମେକାନିଜମ, ଜାତୀୟ ଖାଦ୍ୟ ସୁରକ୍ଷା ମିସନ ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ।

ଅପରପକ୍ଷରେ ୨୦୨୧ ମସିହାରେ କାର୍ଯ୍ୟକାରୀ ହୋଇଥିବା ସିଙ୍ଗିଲ ନୋଡାଲ ଆକାଉଣ୍ଟ ବ୍ୟବସ୍ଥା ଟଙ୍କା ବିଳମ୍ବର ପ୍ରମୁଖ କାରଣ ବୋଲି କୁହାଯାଉଛି । ନୂଆ ନିୟମ ଅନୁସାରେ, କେନ୍ଦ୍ର ସରକାର ଦେଉଥିବା ଟଙ୍କାର ତିନି ଚତୁର୍ଥାଂଶ ରାଜ୍ୟଗୁଡ଼ିକ ଖର୍ଚ କରି ବିନିଯୋଗ ପତ୍ର ଦାଖଲ କଲେ ବାକି ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି । ପ୍ରଥମତଃ ଏହି ଆକାଉଣ୍ଟ ରୂପରେଖ ଏବଂ ଏହାର ଖୋଲିବା ପ୍ରକ୍ରିୟା ନେଇ ଅନେକ ସମୟ ନଷ୍ଟ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଖୋଲାଯିବା ପରେ ବି ଟଙ୍କା ଆସିପାରୁ ନାହିଁ । କେନ୍ଦ୍ର ଏଥିପ୍ରତି ଦୃଷ୍ଟି ଦେଉ ନାହିଁ । କିନ୍ତୁ ରାଜ୍ୟ ସରକାର ମଧ୍ୟ ଏତେ କୋଟି ଟଙ୍କାରୁ ବଞ୍ଚିତ ହେବା ନେଇ କୌଣସି ଗୁରୁତ୍ବ ଦେଉନାହାନ୍ତି । ଏଭଳି ସ୍ଥିତିରେ ଏହି ସ୍କିମ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ନ ହେବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ପରିଚାଳିତ ୩୫ଟି ସ୍କିମରେ ସମୁଦାୟ ବଜେଟର ୮୦ ପ୍ରତିଶତ ଟଙ୍କା ଖର୍ଚ ହୋଇଥିବା କୃଷି ବିଭାଗ କହିଛି । ନିର୍ଦିଷ୍ଟ ଭାବରେ କୃଷି ବଜେଟ ପାଇଁ କେତେ ଟଙ୍କା ଖର୍ଚ ହେବ ଏହା ସ୍ପଷ୍ଟ ନୁହେଁ । ଚଳିତ ବର୍ଷ ବଜେଟରେ ନୂତନ ଭାବରେ ମିଲେଟ ମିସନ ଢାଞ୍ଚାରେ ପଣସ ମିସନ କାର୍ଯ୍ୟକାରୀ ହେବ । ମିଲେଟ ମିସନର ଅଭିବୃଦ୍ଧି ହେବ । ଏଥି ସହିତ ଆଉ କିଛି ନୂତନ ସ୍କିମ ବଜେଟରେ କାର୍ଯ୍ୟକାରୀ ହେବ । ଏଥି ପାଇଁ କୃଷି, ଉଦ୍ୟାନ, ମତ୍ସ୍ୟ ବିଭାଗ ନିର୍ଦେଶାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ବଜେଟ ଉପସ୍ଥାପନ ଦିନ ଏହା ସ୍ପଷ୍ଟ ହୋଇ ପାରିବ ।

Leave a Reply

Your email address will not be published. Required fields are marked *