ଭୁବନେଶ୍ୱର : ଲମ୍ଵା ପ୍ରତୀକ୍ଷା ପରେ ଆସିଛି ବନ୍ୟା ଓ ଲଗାଣ ବର୍ଷା କ୍ଷୟକ୍ଷତି ରିପୋର୍ଟ । ୨୪ ଜିଲ୍ଲାରେ କ୍ଷୟକ୍ଷତି କରିଛି ଅଗଷ୍ଟ ବନ୍ୟା । ଅଗଷ୍ଟ ଦ୍ଵିତୀୟ ଓ ତୃତୀୟ ସପ୍ତାହରେ ଆସିଥିବା ବନ୍ୟା ଓ ଲଗାଣ ବର୍ଷାରେ ପ୍ରାୟ ୧୨୬ କୋଟି ଟଙ୍କାର ସରକାରୀ ସମ୍ପତ୍ତି ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ପ୍ରଭାବରେ ୧ ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଛି ।
ଖାଲି ସେତିକି ନୁହେଁ, ୫ ହଜାର ୩୬ ହେକ୍ଟର ଚାଷ ଜମି ବାଲିଚର ମାଡ଼ିଯାଇଛି । ସେହିପରି ବନ୍ୟାରେ ୧୪ ହଜାର ୨୩୫ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ସେହିପରି ବନ୍ୟାରେ ୧୨ ଶହ ୩୬ଟି ଗାଈ ଗୁହାଳ, ୧୧ ଶହ ୨୫ ଡଙ୍ଗା ଓ ଜାଲ, ୨୮ ହଜାର ୨୩୨ ଏକର ମାଛ ପୋଖରୀ ନଷ୍ଟ ହୋଇଛି । ତେବେ ସରକାରଙ୍କ ନାରା ଏଠାରେ ପାଣିର ଗାର । ବନ୍ୟା ବାତ୍ୟାକୁ ନାହିଁ ଡର, ମୁଣ୍ଡ ଉପରେ ପକ୍କା ଘର । କିନ୍ତୁ ରାଜ୍ୟରେ ଏବେ ବି ଟିକେ ବର୍ଷା ହେଲେ ନା ଲୋକଙ୍କ ପାଖରେ ବାସଗୃହ ରହୁଛି ଓ ଖାଦ୍ୟ ପାଇପାରୁଛନ୍ତି । ପୂର୍ବରୁ ରାଜ୍ୟରେ ତାଣ୍ଡବ ରଚିଥିବା ଫନିକୁ ମଧ୍ୟ ଲୋକ ଭୁଲି ନାହାନ୍ତି । ଫନି ଦ୍ଵାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଏ ପର୍ଯ୍ୟନ୍ତ ମିଳିନି ସହାୟତା ।
