ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଅବହେଳା, ଅନୁମତି ନ ନେଇ ଖୋଳିଦେଲେ ନିଷିଦ୍ଧାଞ୍ଚଳ

ପୁରୀ : ଶ୍ରୀମନ୍ଦିର ବିଶ୍ବର ଅଗଣିତ ଭକ୍ତଙ୍କ ଅସ୍ମିତା ସହ ଜଡ଼ିତ । ତଥାପି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ଆଜି ଚରମ ଅବହେଳା ପ୍ରଦର୍ଶନ କରାଯାଉଛି । ମନଇଚ୍ଛା ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଜେସିବି, ଏସ୍କାଭେଟର ଲଗାଇ ବଡ଼ ବଡ଼ ଖନନ କରାଯାଉଛି । ଯାହାର ତୀବ୍ର କମ୍ପନ ଶ୍ରୀମନ୍ଦିର ପ୍ରତି ବିପଦ ବଢ଼ାଇବାରେ ଲାଗିଛି । ହେଲେ ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗ ଚୁପ୍‌ ହୋଇ ବସିଛି । ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ଠାରୁ ବାହା ବା ନେବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ କରୁଥିବା ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌କୁ ପୂର୍ଣ୍ଣ ସହଯୋଗ କରିଆସୁଛି । ତରବରିଆ ଭାବେ ଏହି ନିର୍ମାଣ କାର୍ଯ୍ୟକୁ ପୂର୍ଣ୍ଣରୂପ ଦେବାକୁ ଦିନ ରାତି ଖନନ ଓ ନିର୍ମାଣ କାମ ଚାଲିଛି । ସେପଟେ ଏହି ପ୍ରକଳ୍ପ ଆଇନ ବିରୋଧୀ ବୋଲି ଦାବି କରୁଥିବା ପ୍ରତ୍ନତତ୍ତ୍ବ ବିଭାଗ ନିରବ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । କେବଳ ଚିଠି କରି ଚୁପ୍‌ ହୋଇ ବସିପଡ଼ିଛି ପ୍ରତ୍ନତତ୍ତ୍ବ ବିଭାଗ । ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ଗସ୍ତ ପର ଠାରୁ ଓଡ଼ିଶା ଦାୟିତ୍ବରେ ଥିବା ପ୍ରତ୍ନତତ୍ତ୍ବ ବିଭାଗ ମୁଖ୍ୟ ତଥା ଅଧୀକ୍ଷକ ଅରୁଣ ମଲ୍ଲିକ କି ବିଭାଗର ଅନ୍ୟ କୌଣସି ବରିଷ୍ଠ ଅଧିକାରୀ ଶ୍ରୀମନ୍ଦିର ପରିଦର୍ଶନରେ ଆସିନାହାନ୍ତି । ଏହାର କୌଣସି ପ୍ରତିବାଦ ତଥା ପ୍ରତିକାରମୂଳକ ପଦକ୍ଷେପ ନେଇ ନାହାନ୍ତି । ଏଭଳି ବିବାଦ ଓ ଟଣାଓଟରା ଭିତରେ ଶ୍ରୀମନ୍ଦିର ସୁରକ୍ଷାକୁ ସମ୍ପୂର୍ଣ୍ଣ ଅବହେଳା କରି ଦିଆଯାଇଛି ।

କିଛିଦିନ ତଳେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାବତୀ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ ଐତିହ୍ୟ କରିଡର ପ୍ରକଳ୍ପ ବୁଲି ଦେଖିଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ୧୦୦ ମିଟର ପରିଧି ଭିତରେ ଏଭଳି ଖନନ ଆଦୌ ଗ୍ରହଣୀୟ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ । ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀଙ୍କ ସହ ସମନ୍ବୟ ଭିତ୍ତିରେ କାମ କରିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ବି ଓବିସିସି ଅଧୀନରେ କାମ କରୁଥିବା ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଖନନ କାର୍ଯ୍ୟ ଜାରି ରଖିଛି । ଓଲଟା ଖନନକୁ ଜୋରଦାର କରାଯାଇଛି । ପଶ୍ଚିମ ଦ୍ବାର ପରେ ଏବେ ଦକ୍ଷିଣ ଦ୍ବାର ଓ ପୂର୍ବ-ଦକ୍ଷିଣ ଦ୍ବାର କୋଣ ଖନନକୁ ବ୍ୟାପକ କରାଯାଇଛି । ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଯାଇ କଂକ୍ରିଟ୍‌ ନିର୍ମାଣ କରାଯାଉଛି । ଏହି ଖନନ ଶ୍ରୀମନ୍ଦିର ଠାରୁ ମାତ୍ର ୨୦ ରୁ ୨୫ ଫୁଟ ଦୂରରେ କରାଯାଇଥିବାବେଳେ, ଯେଉଁଭଳି ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଯାଉଛି, ତାହା ମାଟିର ଶୃଙ୍ଖଳ ଭାଙ୍ଗିବା ସହ ଶ୍ରୀମନ୍ଦିରକୁ କ୍ଷତି ପହଞ୍ଚାଇବା ଆଶଙ୍କା ସୃଷ୍ଟି କରିଛି । ଏହାକୁ ଭକ୍ତ, ସେବାୟତ, ଜନସାଧାରଣ ଦୃଢ଼ ବିରୋଧ କରୁଥିଲେ ବି ମନମୁଖୀ କାର୍ଯ୍ୟ ଚଳାଇଛି ଠିକା ସଂସ୍ଥା । ଆଉ ଏଥିରେ ପ୍ରଛନ୍ନ ସହଯୋଗ କରୁଛି ଜିଲ୍ଲା ପ୍ରଶାସନ ।

ସେପଟେ ଗତକାଲି କେତେକ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଓଡ଼ିଶା ମୁଖ୍ୟ ତଥା ଅଧୀକ୍ଷକ ଅରୁଣ ମଲ୍ଲିକ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ନେଇ ଅନେକ ସଙ୍ଗିନ ଅଭିଯୋଗ ଆଣିଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ପରିଧିରେ ନିର୍ମାଣ ନିଷିଦ୍ଧ ଥିବାବେଳେ, ବାକି ୨ ଶହ ମିଟର ପରିଧିରେ ନିର୍ମାଣ ହୋଇପାରିବ, କିନ୍ତୁ ଅନୁମତିପୂର୍ବକ ବୋଲି ଯୁକ୍ତି ବାଢ଼ିଥିଲେ । ଶ୍ରୀ ମଲ୍ଲିକ ଆଜି କିନ୍ତୁ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ପଛଘୁଞ୍ଚା ଦେଇଛନ୍ତି । ଶ୍ରୀ ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲେ ବି ଐତିହ୍ୟ କରିଡର ପ୍ରକଳ୍ପ ସମ୍ପର୍କରେ ସେ କିଛି କହିପାରିବିନି, ଦୟାକରି କିଛି ପଚାରନ୍ତୁନି ବୋଲି ସିଧାଳସଳଖ କହିଛନ୍ତି । ଗତକାଲି ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଥିବା ଶ୍ରୀ ମଲ୍ଲିକଙ୍କ ସ୍ବର ଆଜି ନିରବ ହୋଇଯିବା ସାଧାରଣରେ ବି ସନ୍ଦେହ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *