ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଅଧିନ ନାଖପଦା ଗାଁରେ ହଇଜା ରୋଗ ଆତଙ୍କ । ହଇଜା ରୋଗରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନାଖପଦା ଗାଁର ମଦନ ବେହେରା ଏବଂ ଶଙ୍କର୍ଷଣ ବେହେରାଙ୍କ ଦୁଇ ପରିବାରର ୬ଜଣ ସଦସ୍ୟଙ୍କ ସମେତ ତାଙ୍କ ଘରକୁ ଆସିଥିବା ଜଣେ ୬୨ ବର୍ଷୀୟା ସମ୍ପର୍କୀୟ ମହିଳାଙ୍କୁ ୪ ଦିନ ତଳେ ଝାଡ଼ା, ବାନ୍ତି ହୋଇଥିଲା । ସେମାନେ ପାଖ ଔଷଧ ଦୋକାନରୁ ଔଷଧ ଆଣି ଖାଇଥିଲେ ମଧ୍ୟ ଝାଡ଼ା, ବାନ୍ତି କମିନଥିଲା ।
ସମ୍ପର୍କୀୟ ମହିଳା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସ୍ଥାନୀୟ ଲୋକେ ଖଇରା ମେଡିକାଲକୁ ଖବର ଦେଇଥିଲେ । ଖବର ପାଇ ଗାଁରେ ୫ଜଣିଆ ମେଡିକାଲ ଟିମ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ହଇଜା ରୋଗରେ ଆକ୍ରାନ୍ତ ଥିବା ୬ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗାଁରେ ଏହା ନ ବ୍ୟାପିବା ପାଇଁ ସଚେତନତା କରିବା ସହିତ ଗ୍ରାମବାସୀଙ୍କୁ ଵ୍ଲିଚିଂ ପାଉଡର, କ୍ଲୋରୁକୋଇନ ଟେବ୍ଲଟ, ଓଆରଏସ ପାଉଡର ସମେତ ଔଷଧ ବଣ୍ଟନ କରିଥିଲେ ।
