ନବରଙ୍ଗପୁର : ପିଲାଙ୍କ ପରୀକ୍ଷାର ଉତ୍ତର ଖାତା ଦେଖା ଚାଲିଛି ମୋବାଇଲ ଟର୍ଚ୍ଚ ଲାଇଟ୍ ରେ । ତାହା ବି କୌଣସି ପ୍ରାଥମିକ କିମ୍ବା ଉଚ୍ଚ ବିଦ୍ୟାଳୟର ଉତ୍ତର ଖାତା ନୁହେଁ । ତାହା ଦେଖା ଚାଲିଛି ଯୁକ୍ତ୨ କଳା ବିଭାଗର ବୋର୍ଡ ପରୀକ୍ଷା ଏବଂ ଯୁକ୍ତ୩ର ୫ମ ସେମିଷ୍ଟାର ଉତ୍ତର ଖାତା । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ମହାବିଦ୍ୟାଳୟ ଠାରେ l ଯେଉଁଠି ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପିଲାଙ୍କ ପରୀକ୍ଷା ଖାତାର ଦ୍ଵିତୀୟ ପର୍ଯ୍ୟାୟରେ ମୂଲ୍ୟାଙ୍କନ କରାଯାଉଥିବା ବେଳେ ଯୁକ୍ତ୩ ପଞ୍ଚମ ବର୍ଷ ଖାତାର ମୂଲ୍ୟାଙ୍କନ ଚାଲିଛି l ଆଜି ଯୁକ୍ତ ଦୁଇ ଦ୍ଵିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନର ପ୍ରଥମ ଦିନରେ ମାତ୍ତୃଭାଷା ଓଡିଆ ଓ ଅର୍ଥନୀତି ଖାତା ଦେଖା ଚାଲିଛି l ତେବେ ମୋବାଇଲ ଟର୍ଚ୍ଚରେ ଉତ୍ତର ଦେଖା କେତେ ଦୂର ସମଚିନ ତାହାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । ଯୁକ୍ତ୨ କଳାର ପ୍ରଥମ ପର୍ଯ୍ୟାୟ ଉତ୍ତର ଖାତା ଦେଖିବା ବେଳେ ପ୍ରାୟ ୫୫ ପ୍ରତିଶତ ଅଧ୍ୟାପକ ଓ ଅଧ୍ୟାପିକା ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।
ସାରା ରାଜ୍ୟରେ ଏପରି ଉତ୍ତର ଖାତା ଦେଖାରେ ଅନୁପସ୍ଥିତ ଥିବା ନେଇ ଖୋଦ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇ ଘୋଷଣା କରିଥିଲେ । ତଥାପି କାହାର ତିଳେ ମଧ୍ୟ ଖାତିର ନଥିବା ନେଇ ଅଭିଯୋଗ ହୋଇଛି । କାରଣ ଯୁକ୍ତ୨ କଳାର ୨ୟ ପର୍ଯ୍ୟାୟ ଉତ୍ତର ଖାତା ଗତକାଲି ଠାରୁ ଆରମ୍ଭ ହୋଇଛି । ଯେଉଁଠି ୩୨ ଜଣ ଅଧ୍ୟାପକ ଓ ଅଧ୍ୟାପକଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଜି ସୁଦ୍ଧା ୧୫ ଜଣ ଅଧ୍ୟାପକ ମୂଲ୍ୟାଙ୍କନରେ ଯୋଗଦେଇଛନ୍ତି । ଆଜି ନବରଙ୍ଗପୁର ସହରରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଲାଗିରହିଥିଲା । ଅନ୍ଧାରରେ ମୋବାଇଲ ଟର୍ଚ୍ଚ ଲଗାଇ ମୂଲ୍ୟାଙ୍କନ କରୁଥିବା ଦେଖିବାକୁ ମିଳିଛି l ବିଦ୍ୟୁତ୍ ଯିବା ପରେ କିଛି ଶିକ୍ଷକ ବାହାରେ ଟେବୁଲ୍ ପକାଇ ଖାତା ଦେଖିବାକୁ ମିଳିଥିଲା ।
ମୂଲ୍ୟାଙ୍କନ କୋଠରୀରେ ଲାଇଟ ବ୍ୟବସ୍ଥା ରହିଥିଲେ ମଧ୍ୟ ବିଜୁଳି ଚାଲିଗଲେ ବିକଳ୍ପ ବ୍ୟବସ୍ଥା ନଥିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପ୍ରକାଶ ଥାଉକି ଆକାଶରେ ମେଘ ବର୍ଷା ଆସିବା କ୍ଷଣି ନବରଙ୍ଗପୁର ସହରରେ ବିଦ୍ୟୁତ୍ ସରାବରୋହରେ ବ୍ୟାଘାତ ଦେଖାଦେଉଛି । ଏପରି ବିଦ୍ୟୁତ୍ ବିଭ୍ରାଟ ନବରଙ୍ଗପୁର ସହରରେ କିଛି ନୁଆ କଥା ନୁହେଁ । ଆଜି ନବରଙ୍ଗପୁର ସହରରେ ମୌସୁମି ପ୍ରଭାବରେ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା । ଯାହା ଫଳରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରାବରୋହ ବନ୍ଦ ରହିଥିଲା । ଏପଟେ କଲେଜରେ ବି ବିଦ୍ୟୁତ୍ ବିଭ୍ରାଟ ଲାଗିରହିଛି ।
ଏ ନେଇ କଲେଜର ଅଧ୍ୟକ୍ଷ ଭାଷ୍କର ନାଥ ବିଶ୍ବାଳଙ୍କ ସହ ଯୋଗାଯୋଗ କରିବାରୁ ଗତ ୮ ଦିନ ପୂର୍ବେ ଗଛ ପଡିବା ଯୋଗୁଁ ୩ ଟି ବିଦ୍ୟୁତ୍ ପୋଲ ଭାଙ୍ଗିଯାଇଛି । ଏନଇେ ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବିଦ୍ୟୁତ୍ ପୋଲ ନଥିବା ଦର୍ଶାଇ ପୁନରୁଦ୍ଧାର ହୋଇପାରୁ ନାହିଁ । କଲେଜ ନିଜ ଆଡୁ ଉଦ୍ୟମ କରି ସମସ୍ତ କୋଠାକୁ ବିଦ୍ୟୁତ୍ ଯୋଗାଣର ବ୍ୟବସ୍ଥା କରିଛି । ଏପଟେ ଆଜି ଗୋଟିଏ ଦିନରେ ଯୁକ୍ତ୩ ର ପ୍ରଥମ ଶ୍ରେଣୀର ପରୀକ୍ଷା ଆରମ୍ଭ ହେଲା । ଏପଟେ ଅନ୍ୟ ଶେଣୀର କ୍ଲାସ ଚାଲିଛି । ଅନ୍ୟ ଦିଗରେ ଯୁକ୍ତ୨ ଓ ଯୁକ୍ତ୩ ର ୫ମ ଶ୍ରେଣୀ ପରୀକ୍ଷା ଚାଲିଛି । ଗୋଟିଏ ଥରେ ବିଦ୍ୟୁତ୍ ବିଭ୍ରାଟ ହେଲେ ସମସ୍ତ କକ୍ଷକୁ ଇନଭେଟର କନେକ୍ସନ୍ ଦେବା ସମ୍ଭବ ପର ହୋଇପାରୁ ନାହିଁ । ତଥାପି ଏହାର ସୁଧାର ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ।
