ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡାସ୍ଥିତ ରାଜେନ୍ଦ୍ର ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ ମହାବିଦ୍ୟାଳୟରେ) ମିଥ୍ୟା ଏବଂ ନକଲି କାଗଜପତ୍ର ଦାଖଲ କରି ଅଧ୍ୟାପକ ସାଜିଥିବା ୨ ଜଣ ନରେନ୍ଦ୍ର ନାଗ ଏବଂ ଲିଙ୍ଗରାଜ ମେହେରଙ୍କ ବିରୁଦ୍ଧରେ ଆଜି ସ୍ଥାନୀୟ ଥାନାରେ ଏତଲା ଦାୟର କରିଛନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ପରିଚାଳନା କମିିଟି ସଂପାଦକ ଅଶୋକ କୁମାର ତ୍ରିପାଠୀ । ଏହି ଘଟଣା ସ୍ଥାନୀୟ ବୁଦ୍ଧୀଜୀବୀ, ସଚେତନ ନାଗରିକ ତଥା ଶିକ୍ଷାବିତଙ୍କ ମଧ୍ୟରେ ବିସ୍ମୟ ସୃଷ୍ଟି କରିଛି ।
ପ୍ରକାଶ ଯେ, ଏହି ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ମେହେର ଯୁକ୍ତ ୨ ମହାବିଦ୍ୟାଳୟ ଭାବରେ ପ୍ରତିଷ୍ଠା ହେବା ପରେ ବିଭିନ୍ନ ବିଷୟର ଅଧ୍ୟାପକ ନିଯୁକ୍ତି ସଂକ୍ରାନ୍ତରେ ୧୯୯୯ ମସିହାରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା । ଅନେକ ଆଶାୟୀ ସେମାନଙ୍କ ପ୍ରାର୍ଥିତ୍ୱ ଦାଖଲ କରିଥିଲେ ମଧ୍ୟ ସାକ୍ଷାତକାରର ଫଳାଫଳ ଅନୁଯାୟୀ ବ୍ଲକ ଅନ୍ତର୍ଗତ ବାଲିପଟା ଗ୍ରାମର ନରେନ୍ଦ୍ର ନାଗଙ୍କୁ ରାଜନୀତି ବିଜ୍ଞାନ ଏବଂ ବନାଇମୁଣ୍ଡା ଗ୍ରାମର ଲିଙ୍ଗରାଜ ମେହେରଙ୍କୁ ଓଡିଆ ବିଭାଗର ଅଧ୍ୟାପକ ଭାବରେ ନିଯୁକ୍ତି ଦିଆଯାଇଥିଲା । ଉକ୍ତ ଦିନ ଠାରୁ ଉଭୟେ ପରିଚାଳନା କମିଟି ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବେତନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇ ଆସୁଥିଲେ । ତେବେ ଉଭୟେ ନକଲି ମୂଲ୍ୟାଙ୍କନ ପତ୍ର(ମାର୍କ ସିଟ୍) ଦେଇ ଚାକିରୀ କରୁଥିବା ସଂପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗତ ୦୪/୦୪/୨୦୨୨ ଦିନ କୌଣସି ବିଶ୍ୱସ୍ତ ସୂତ୍ରରୁ ଜାଣିବା ପରେ ୫ ତାରିଖ ଦିନ କର୍ମଚାରୀଙ୍କ ଏକ ଜରୁରୀ ବୈଠକ ଡାକି ତଦନ୍ତ ଆରମ୍ଭ କରିଥିଲେ । ଏହା ବ୍ୟତୀତ ୯/୪/୨୦୨୨ ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ପତ୍ର ଲେଖି ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ପ୍ରକୃତ ମୂଲ୍ୟାୟନ ପତ୍ରର ନକଲ ମାଗିଥିଲେ ।
ତାହା ପାଇବା ପରେ ଉଭୟ ଲିଙ୍ଗରାଜ ମେହେର ଏବଂ ନରେନ୍ଦ୍ର ନାଗ ନିଜ ନିଜ ମୂଲ୍ୟାୟନ ପତ୍ରରେ ଜାଲିଆତି କରି ଚାକିରୀ ହାତେଇଥିବା ଜାଣିବାକୁ ପାଇଥିଲେ । ସୂଚନାଯୋଗ୍ୟ ଯେ, ଉଭୟ ଶ୍ରୀ ମେହେର ଏବଂ ନାଗ ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସରକାରୀ ତହବିଲ ଏବଂ ପରିଚାଳନା କମିଟି ଠାରୁ ନେଇସାରିଥିବା ଅଧ୍ୟକ୍ଷ ଉକ୍ତ ଏତଲାରେ ଦର୍ଶାଇଛନ୍ତି । ଅନ୍ୟପଟେ ଅଧ୍ୟକ୍ଷଙ୍କ ଲିଖିତ ଏତଲାକୁ ଭିତ୍ତି କରି ପୁଲିସ ଭାରତୀୟ ପିଙ୍ଗଳ କୋଡ ଧାରା ୪୬୫, ୪୬୬, ୪୬୮, ୪୭୧ ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରିଥିବା ଥାନାଧିକାରୀ ଅନନ୍ତ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ । ସୂଚନାଯୋଗ୍ୟ ଯେ, ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଏ ସଂକ୍ରାନ୍ତରେ ଗଣ ଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ମଧ୍ୟ ଲିଖିତ ଭାବରେ ଜଣାଇଥିବା କହିଛନ୍ତି ।
