ବଣାଇ : ଆଜି ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ ବଣାଇ କଂଗ୍ରେସ ପକ୍ଷରୁ ବସଷ୍ଟାଣ୍ଡ ପରିସରରେ ଅଗ୍ନିପଥ ନିଯୁକ୍ତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶର ଚାରିଆଡ଼େ ଅଶାନ୍ତି ଲାଗିରହିଛି । ବହୁ ସ୍ଥାନରେ ଏହି ନିଯୁକ୍ତିକୁ ପ୍ରତ୍ୟାହାର କରିବା ନିମନ୍ତେ ଯୁବଗୋଷ୍ଠୀ ମଧ୍ୟରେ ଅସ୍ଥିରତା ଦେଖାଦେଇଛି । ଏହି ଯୋଜନାକୁ ବନ୍ଦ କରିବା ପାଇଁ ବିଭିନ୍ନ ସ୍ଥାନରେ ଧାରଣା, ବିକ୍ଷୋଭ, ଶୋଭାଯାତ୍ରା ଓ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଉଛି । ତେବେ ଅଗ୍ନିପଥ ନିଯୁକ୍ତି ପ୍ରତ୍ୟାହାର ପାଇଁ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ ଡାକରା ଦିଆଯାଇଥିଵା ବେଳେ, ବଣାଇ ନିର୍ବାଚନ ମଣ୍ଡଳୀରେ ବ୍ଲକ ସଭାପତି ରୁଦ୍ର ଚରଣ ସାହୁଙ୍କ ନେତୃତ୍ୱରେ ଆଜି ବହୁ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇ ଦିନ ୧୦ଟା ରୁ ୧ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ।କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ଅଗ୍ନିପଥ ଯୋଜନାକୁ କେବେବି ସଫଳ କରାଇ ଦିଆଯିବନି । କଂଗ୍ରେସ ଦଳ ଏହାକୁ ଜୋରଦାର ବିରୋଧ କରିବ । ୪ ବର୍ଷ କାର୍ଯ୍ୟ କରିବା ପରେ ଜଣେ ଯୁବକ ସରକାରଙ୍କ ପାଇଁ ଅଲୋଡ଼ା ହେଇଯିବ ଏବଂ ଯାହା ଫଳରେ ତା’ର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାରମୟ ହେବାର ସମ୍ଭାବନା ରହିଛି । ତେଣୁ ଏହି ନିଯୁକ୍ତିକୁ ସ୍ଥାୟୀ କରିବା ସହ ତାକୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବୀ କରାଯାଇଛି ।
ଏଥିରେ ବଣାଇ ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ କୋଇଡା ପୂର୍ବତନ ସରପଞ୍ଚ ସନ୍ଧ୍ୟାରାଣୀ ନାଏକ, ପଦ୍ମ ଚରଣ ଆଚାର୍ଯ୍ୟ, ସମିର ଚକ୍ରବର୍ତ୍ତୀ, ଯୁଧିଷ୍ଟିର ତ୍ରୀପାଠୀ, ସୁନ୍ଦର ଗଡ଼ ଜିଲ୍ଲା ଯୁବ ମୋର୍ଚ୍ଚା ସହ ସମ୍ପାଦକ ପ୍ରେମାନନ୍ଦ ପାତ୍ର, କଂଗ୍ରେସ ବରିଷ୍ଠ ନେତା ଟୋପି ଚନ୍ଦନ ସାହୁ, କଂଗ୍ରେସ ସେବ ଦଳର ଶ୍ରୀକାନ୍ତ ଦଣ୍ଡିଆ, କୈବଲ୍ୟ ବାରିକ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଯେଉଁ ଯୁବକମାନଙ୍କ ପାଇଁ ୪ ବର୍ଷ ଅଗ୍ନିପଥ ନିଯୁକ୍ତିକୁ ଆଣିଛନ୍ତି ଏହାକୁ ପ୍ରତ୍ୟାହାର କରାଯାଉ ନଚେତ୍ ଆଗାମୀ ଦିନରେ ଆହୁରି ଜୋରଦାର ଆନ୍ଦୋଳନ ଜାରି ରହିବ ବୋଲି ନିଜ ନିଜର ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭୋଲାନାଥ ପ୍ରଧାନ, ଗଗନ ବିହାରୀ ମହାରଣା, କିର୍ତ୍ତୀକ ସାହୁ, ମନୋଜ ସେଠ, ଗୁରୁଣ୍ଡିଆ ବ୍ଲକ ପୂର୍ବତନ ସଭାପତି ଦଶରଥ ଓରାମ, ମୁନୁ ବିଶ୍ବାଳ, ରମାକାନ୍ତ ପାତ୍ର, ଘନଶ୍ୟାମ ମାହାନ୍ତ, ଗଜେନ୍ଦ୍ର ତନ୍ତୀ ପ୍ରମୁଖ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।
