ପୁରୀ : ଅବହେଳିତ ଅବସ୍ଥାରେ ରହିଛି ପୁରୀ ପିପିଲି ଦାଣ୍ଡମୁକୁନ୍ଦପୁର ଗୋପୀନାଥ ଦେବଙ୍କ ମନ୍ଦିର । ମନ୍ଦିରର ଗର୍ଭଗୃହରୁ ପାଣି ଗଳୁଥିବା ବେଳେ ଭୁଷୁଡ଼ି ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦେଢ଼ ବର୍ଷ ତଳେ ମନ୍ଦିରର ପୁନରୁଦ୍ଧାର ଓ ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଆଜି ଯାଏ ପ୍ରକଳ୍ପ କାମ ଆରମ୍ଭ ହୋଇପାରିଲା ନାହିଁ । ଅସନ୍ତୋଷ ପ୍ରକାଶ ସହ ଏହାକୁ ନିର୍ବାଚନୀ ଥୋପ ବୋଲି କହିଛନ୍ତି ଅଞ୍ଚଳବାସୀ । ଯାଥା ଶୀଘ୍ର କାମ ଆରମ୍ଭ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ଓ ମନ୍ଦିର ଟ୍ରଷ୍ଟର ସଭ୍ୟ ।
ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପାଇଁ ପିପିଲି ଦାସିଆପୀଠକୁ ବିଧାୟକ ଓ ପର୍ଯ୍ୟଟନ ମନ୍ତ୍ରୀ ଆସିଥିବା ବେଳେ ତାଙ୍କୁ ପ୍ରଶ୍ନ କରିଥିଲେ ଅଞ୍ଚଳବାସୀ ଓ ଗଣମାଧ୍ୟମ ପ୍ରତିନିଧି । ତେବେ କୌଣସି ତଥ୍ୟ ନ ଦେଇ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ କହି ପଳାଇଥିଲେ ମନ୍ତ୍ରୀ । ସେପଟେ ମନ୍ତ୍ରୀଙ୍କ ସହ ଆଲୋଚନା କରି କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ।
ଦାଣ୍ଡମୁକୁନ୍ଦପୁର ଏକ ଐତିହ ଗ୍ରାମ ହୋଇଥିବା ବେଳେ କାହିଁକି ଏଥିପ୍ରତି ଅବହେଳା କରାଯାଉଛି ? କାହିଁକି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କାର୍ଯ୍ୟକାରୀ କରାଯାଉ ନାହିଁ ? ଅସନ୍ତୋଷ ପରେ ଚେତିବେ ତ ସରକାର ?
