ଚାକିରି କରାଇଦେବି କହି ଲକ୍ଷେ ଠକିନେଲା ସମ୍ପର୍କୀୟ ଭାଇ

ସମ୍ବଲପୁର : ବାପାଙ୍କ ମୃତ୍ୟୁ ପରେ ପରିବାର ଚଳାଇବା ପାଇଁ ରୋଜଗାର ଆବଶ୍ୟକ ଥିଲା । ଏହି ସମୟରେ ସମ୍ପର୍କୀୟ ଭାଇ ସରକାରୀ ଚାକିରି କରାଇଦେବ ବୋଲି କହିଥିଲା । ପରିବାର ବିପଦ ସମୟରେ ବି ଠକିବାକୁ ଜାଲ ବିଛାଇ ସଫଳ ହୋଇଯାଇଥିଲା ସମ୍ପର୍କୀୟ ଭାଇ । ଆଉ ଠକି ନେଇଥିଲା ୧ ଲକ୍ଷ ଟଙ୍କା । ଏଭଳି ଅଭିଯୋଗ ହୋଇଛି ଅଇଁଠାପାଲି ଥାନାରେ । ଚାକିରି କରାଇଦେବା କହି ନିଜ ସମ୍ପର୍କୀୟ ଭାଇ ଲକ୍ଷେ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି ଶଙ୍କର୍ମାର ଚିନ୍ମୟ କୁମାର ସାହୁ । ମିଳିଥିବା ସୂଚନା ଅନୁଯାୟୀ, ୨୦୧୨ ରେ ଚିନ୍ମୟଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ପରେ ପରିବାର ଚଳାଇବା କଷ୍ଟକର ହୋଇଯାଇଥିଲା । ପରିବାର ଚଳାଇବା ପାଇଁ ଚିନ୍ମୟ ଚାକିରି ଖୋଜିବା ଆରମ୍ଭ କରିଥିଲେ । ଏଭଳି ବିପଦ ସମୟରେ ସମ୍ପର୍କୀୟ ଭାଇ ସାହାଯ୍ୟ କରିବା ବାହାନାରେ ଲୁଟିବା ଆରମ୍ଭ କରିଥିଲା ।

ଚିନ୍ମୟଙ୍କ ଅଭିଯୋଗ ଅନୁଯାୟୀ, ସମ୍ପର୍କୀୟ ଭାଇ ଶୈଳରାଜ ମହାରଣା ତାଙ୍କୁ ସରାକରୀ ଚାକିରି କରାଇଦେବ ବୋଲି କହି ସାଙ୍ଗରେ ଧରି ଭୁବନେଶ୍ବର ନେଇଯାଇଥିଲେ । ସେଠାରେ ସେ କେନ୍ଦ୍ରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହ ଚିହ୍ନା କରାଇଥିଲେ । ତାପରେ ପଞ୍ଜୀକରଣ ଓ ଚାକିରି ଦେବା ପାଇଁ ସେମାନେ ମିଶି ଚିନ୍ମୟଙ୍କ ଠାରୁ ୨୦୧୨ ରୁ ୨୦୧୫ ମସିହା ମଧ୍ୟରେ ୯୯ ହଜାର ଟଙ୍କା ନେଇଯାଇଥିଲେ । ଟଙ୍କା ପାଇବା ପରେ ଚାକିରି ଦେବାକୁ କେବଳ ବାହାନା କରିଚାଲିଲେ । ବାରମ୍ବାର ମିଛ ପ୍ରତିଶ୍ରୁତି ଦେଲେ । କିନ୍ତୁ ଇତି ମଧ୍ୟରେ ୧୦ ବର୍ଷ ବିତି ସାରିଥିଲେ ବି ନାଁ ତାଙ୍କୁ ଚାକିରି ଦେଲେ, ନାଁ ଟଙ୍କା ଫେରାଇଲେ । ଠକୁଥିବା ଜାଣିବା ପରେ ଚିନ୍ମୟ ଟଙ୍କା ଫେରାଇବାକୁ କହିଥିଲେ । ହେଲେ ସେମାନେ ଟଙ୍କା ଫେରାଇବା ନାଁ ଧରୁ ନଥିଲେ । ଶେଷରେ ଚିନ୍ମୟ ଏ ନେଇ ସୋମବାର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *