ବେଆଇନ ଭାବେ ଚାଲିଥିଲା ଜାଳେଣି ଗ୍ୟାସ ଗୋଦାମ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ସଅଁରାପଶି ଗ୍ରାମର ରବୀନ୍ଦ୍ର ଲୋହାରଙ୍କ ଘରେ ଚାଲିଥିଲା ବେଆଇନ ଭାବେ ଜାଳେଣି ଗ୍ୟାସ ଗୋଦାମ । ଏହି ଅଭିଯୋଗରେ ଘରେ ଯୋଗାଣ ବିଭାଗର ୫ ଜଣିଆ ଦଳ ଚଢ଼ାଉ କରି ଘର ଭିତରୁ ୧୬ ଟି ଖାଲି ଜାଳେଣି ସିଲିଣ୍ଡର ଟାଙ୍କି ଜବତ କରିଛି । ଗ୍ରାମର ରବୀନ୍ଦ୍ର ଲୋହାର ପଡ଼ୋଶୀ ଜିଲା ମୟୁରଭଞ୍ଜ କରଞ୍ଜିଆର ଗ୍ୟାସ ଏଜେନ୍ସି ଠାରୁ ସିଲିଣ୍ଡର ଆଣି ଘର ଭିତରେ ବେଆଇନ ଭାବରେ ରଖି ଗ୍ରାହକଙ୍କୁ ଏହା ଯୋଗାଇ ଆସୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, କେନ୍ଦୁଝର ସଦର ଅତିରିକ୍ତ ଯୋଗାଣ ଅଧିକାରୀ ବୀରକିଶୋର ମାରାଣ୍ଡି, ସଦର ଯୋଗାଣ ନିରୀକ୍ଷକ ଅମ୍ବିକା ପ୍ରସାଦ ରଥ ଓ ପାଟଣା ଯୋଗାଣ ନିରିକ୍ଷିକା ବିଦ୍ୟୁତ ଲତା ନାୟକଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା । ସୂଚନାଯୋଗ୍ୟ ଯେ,  ପାଟଣାରେ ଇଣ୍ଡେନର ସୀକୃତି ପ୍ରାପ୍ତ ଗ୍ୟାସ ଏଜେନ୍ସି ଥିବାବେଳେ ସଅଁରାପଶିର ଶ୍ରୀ ଲୋହାର ଏଚ୍.ପି ଗ୍ୟାସ ବେପାର ବେଆଇନ ଭାବେ କାରବାର କରୁଥିଲେ ବୋଲି ଯୋଗାଣ ବିଭାଗ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *