ପାଣିକୋଇଲି : ସୁକିନ୍ଦା ଥାନା ଅଧିକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ପୁଲିସ କର୍ମଚାରୀ ସୁକୁମାର ସ୍ବାଇଁଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି । ହେଲେ ଏହି ଘଟଣାରେ ଏତଲା ଗ୍ରହଣ କରାନଯିବା ପ୍ରତିବାଦରେ ପୀଡ଼ିତ ପୁଲିସ କର୍ମଚାରୀଙ୍କ ପତ୍ନୀ ନିବେଦିତା ସ୍ବାଇଁ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପି ରାହୁଲ ପି.ଆର.ଙ୍କୁ ଭେଟି ଅଭିଯୋଗ କରିଛନ୍ତି । ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନିବେଦିତା ଚେତାବନୀ ଦେଇଛନ୍ତି ।
ଅଭିଯୋଗ ମୁତାବକ, ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଡ୍ରାଇଭର ଭାବେ କାର୍ଯ୍ୟରତ ସୁକୁମାରଙ୍କୁ ଗତ ମାର୍ଚ୍ଚ ୨ ତାରିଖରେ ସୁକିନ୍ଦା ଥାନାକୁ ପଠାଯାଇଥିଲା । ୩ ତାରିଖରେ ସେ ଥାନାଧିକାରୀ ଶିବ ଚରଣ ବେହେରାଙ୍କୁ ଭେଟି ଅସୁସ୍ଥ ଥିବା ଦର୍ଶାଇ ଛୁଟି ଆବେଦନ କରିଥିଲେ । ହେଲେ ତାଙ୍କୁ ଛୁଟି ମିଳିନଥିଲା । କାମ କରୁଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ସୁକିନ୍ଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ସାଲାଇନ୍ ଦିଆଯାଇଥିବା ବେଳେ ତାଙ୍କ ମା’ କିରଣ ସ୍ବାଇଁ, ସାନଭାଇ ସର୍ବେଶ୍ବର ଓ ଧର୍ମେନ୍ଦ୍ର ପହଞ୍ଚିଥିଲେ । ସନ୍ଧ୍ୟାରେ ଥାନାଧିକାରୀ ଶ୍ରୀ ବେହେରା ସେଠାରେ ପହଞ୍ଚି ସୁକୁମାରଙ୍କୁ ମାଡ଼ ମାରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରିବାରୁ ତାଙ୍କ ମା’ ଓ ଦୁଇ ଭାଇଙ୍କୁ ଥାନାଧିକାରୀ ଅସଦାଚରଣ କରିଥିଲେ ଏବଂ ସମସ୍ତଙ୍କୁ ଗିରଫ କରିଥିଲେ ବୋଲି ନିବେଦିତା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
