ଚଣ୍ତିଖୋଲ : ଶହଶହ ଏକର ଚାଷଜମିକୁ ଘରବାରି କିସମ ପରିବର୍ତ୍ତନ କରିବାକୁ ଏକ ଘରୋଇ କମ୍ପାନି ମସୁଧା ଚଳାଇଥିବା ନେଇ ବହୁ ଚାଷୀ ଅଭିଯୋଗ କରିଛନ୍ତି । ଦର୍ପଣ ତହସିଲ୍ ଖଇରା ପଞ୍ଚାୟତ କଡ଼ାଇ ରାଜସ୍ବ ମୌଜାର ଶତାଧିକ ଏକର ଜଳସେଚିତ ଚାଷ ଜମିକୁ ୟୁ.ଏମ.ଏସ.ଏଲ ନାମକ ଏକ ଘରୋଇ କମ୍ପାନି କିଣିବା ପରେ କିସମ ପରିବର୍ତ୍ତନ ପାଇଁ ଆବେଦନ କରି ସେଥିରେ ମାଟି ପକାଇଛି । ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ବ ନଦେଇ ତହସିଲ୍ କର୍ତ୍ତୃପକ୍ଷ କମ୍ପାନିକୁ ଅନୁକମ୍ପା ଦେଖାଉଥିବା ନେଇ ନବନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟ ଗଣେଶ୍ବର ବରାଳ, ଖଇରା ସରପଞ୍ଚ ସଂଯୁକ୍ତା ମଲ୍ଲିକ ଓ ସମିତିସଭ୍ୟା ରଶ୍ମିତା ମଲ୍ଲିକ ଅଭିଯୋଗ ଉଠାଇଛନ୍ତି ।
କିସମ ପରିବର୍ତ୍ତନ ବନ୍ଦ୍ ନହେଲେ ବଡ଼ଧରଣର ଚାଷୀ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । କଂପାନି ଏହି ଜମିରେ ପାଉଁଶ ପକାଇ ପୋତିବା ସହ ପାଚେରି ନିର୍ମାଣ କରିଛି । ଫଳରେ ଅବଶିଷ୍ଟ ଚାଷଜମିରୁ ଜଳ ନିଷ୍କାସନ ହୋଇପାରୁନଥିବାରୁ ଧାନ ଫସଲ ନଷ୍ଟ ହେଉଛି । ଚାଷୀମାନେ ବିପୁଳ କ୍ଷତି ସହୁଛନ୍ତି । ଏହାକୁ ନେଇ ୨୦୨୦ ଡିସେମ୍ବର ଓ ୨୦୨୧ ମାର୍ଚ୍ଚରେ ଚାଷୀମାନେ ବିରୋଧ କରି ଯାଜପୁର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ଅବଶିଷ୍ଟ ଚାଷଜମିର କିସମ ପରିର୍ତ୍ତନ ହୋଇପାରିନଥିଲା । ଏବେ ପୁଣି କିସମ ବଦଳାଇବାକୁ ଦର୍ପଣ ତହସିଲରେ ୫୨ ଗୋଟି ଓ.ଏଲ.ଆର କରିଥିବା ଜଣାଯାଇଛି । ଏହାକୁ ଚାଷୀମାନେ ବିରୋଧ କରି ରଦ୍ଦ କରିବାକୁ ଦାବି କରିଛନ୍ତି ।
