ରତ୍ନଗିରି ନୋଡାଲ୍ ସରକାରୀ ଉଚ୍ଚବିଦ୍ୟାଳୟ ଫାଟକରେ ତାଲା

ରତ୍ନଗିରି : ବିଭିନ୍ନ ଅବ୍ୟବସ୍ଥା ପ୍ରତିବାଦରେ ବରୀ ଶିକ୍ଷା ମଣ୍ତଳ ଅନ୍ତର୍ଗତ ରତ୍ନଗିରି ନୋଡାଲ୍ ସରକାରୀ ଉଚ୍ଚବିଦ୍ୟାଳୟ ଫାଟକରେ ଆଜି ଛାତ୍ରଛାତ୍ରୀ ତାଲା ପକାଇ ଦେଇଛନ୍ତି । ୬ ମାସ ଧରି ଦେଖାଦେଇଥିବା ଅବ୍ୟବସ୍ଥା ସଂପର୍କରେ ଗତ ୪ ତାରିଖରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ବରୀ ମଣ୍ତଳ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କୌଣସି ସୁଫଳ ନମିଳିବାରୁ ଆଜି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ । ସହକାରୀ ଶିକ୍ଷକମାନେ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଅଭିଯୋଗ ଅନୁଯାୟୀ ଏଠାରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ନିୟମିତ ଭାବେ ବିଦ୍ୟାଳୟକୁ ଆସୁନଥିବା ତଥା କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ହୋଇଥିଲା । ତାଙ୍କ ଅନୁପସ୍ଥିତି କାରଣରୁ ସେ ପଢ଼ାଉଥିବା ବିଷୟ‌ ବିଜ୍ଞାନ ଓ ଗଣିତ ପାଠପଢ଼ା ଆଗଉ ନଥିବାର ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନ ବାବଦକୁ ମିଳୁଥିବା ଚାଉଳ ଓ ଅର୍ଥ ମଧ୍ୟ ପିଲାମାନେ ଏ ପର୍ଯ୍ୟନ୍ତ ପାଇ ନଥିବାର ଅଭିଯୋଗ ହୋଇଛି । କିଛି ଦିନ ତଳେ ୫ଟି ରୂପାନ୍ତରୀକରଣ ଯୋଜନାରେ ସାମିଲ୍ ହୋଇଥିଲେ ବି ଶୌଚାଳୟକୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଇନାହିଁ ବୋଲି ପିଲାମାନେ କହିଛନ୍ତି ।

ଏନେଇ ମଣ୍ତଳ ଶିକ୍ଷାଧିକାରୀ ସୁଦର୍ଶନ ମଲ୍ଲିକଙ୍କୁ ପଚାରିବାରୁ ଉତ୍ତର ମିଳିଥିଲା, ୫୭ ଦିନର ଚାଉଳ ଓ ଅର୍ଥ ନିର୍ବାଚନ ବ୍ୟସ୍ତତା ଭିତରେ ରହିଯାଇଛି । ତାହା ଖୁବ୍‌ଶୀଘ୍ର ପ୍ରଦାନ କରାଯିବ । ଏହାର ତଦନ୍ତ ପାଇଁ ଆଜି ରତ୍ନଗିରି ସିଆରସିସିଙ୍କୁ ପଠାଇଥିଲି । ଫାଟକରେ ତାଲା ପଡ଼ିଥିବାରୁ ତଦନ୍ତ ହୋଇପାରିନଥିଲା ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *