ତୁଷୁରା : ଡାକ୍ତରଖାନାରେ କୌଣସି ରୋଗୀଙ୍କ ମୃତ୍ୟୁ ହେଲେ ସସମ୍ମାନେ ଶବକୁ ତାଙ୍କ ଘରକୁ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି ସରକାର । ହେଲେ ବଲାଙ୍ଗୀର ଜିଲ୍ଲା ତୁଷୁରା ଚିକିତ୍ସାଳୟରେ ଏହି ଗାଡ଼ି ଉପଲବ୍ଧ ନଥିବାରୁ ଅଞ୍ଚଳବାସୀ ହଟହଟା ହେଉଛନ୍ତି । ସୋମବାର ଏଠାରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଟ୍ରଲିରିକ୍ସାରେ ପରିବାର ଲୋକେ ବୋହି ନେବା ଘଟଣା ଲୋକଙ୍କ ମଧ୍ୟରେ ଗଭୀର ଉଦ୍ବେଗ ପ୍ରକାଶ କରିଛି ।
ପ୍ରକାଶ ଯେ ତୁଷୁରା ପତିତପାବନପଡ଼ାର ମହେଶ୍ବର କୁମ୍ଭାର (୭୦) ପ୍ରତିଦିନ ନିଜ ଟ୍ରଲିରିକ୍ସାରେ ମଜୁରି କରି ପରିବାର ପୋଷଣ କରିଥାନ୍ତି । ସୋମବାର ମଧ୍ୟ ସେ ନିଜ କାମ କରୁଥିଲେ । ଏହି ସମୟରେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଅପରାହ୍ଣ ପ୍ରାୟ ୩ଟା ସମୟରେ ପରିବାର ଲୋକେ ତାଙ୍କୁ ତୁଷୁରା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତର ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ତାଙ୍କ ପରିବାର ଲୋକେ ବଲାଙ୍ଗୀର ନେବାରେ ଅସମର୍ଥ ହୋଇଥିଲେ । ସନ୍ଧ୍ୟା ୫ଟା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକେ ଅତି ଗରିବ ଶ୍ରେଣୀର ହୋଇଥିବାରୁ କୌଣସି ଗାଡ଼ି କରି ଶବ ଘରକୁ ନେଇ ପାରି ନଥିଲେ ।
ଶେଷରେ ମହେଶ୍ବର ଚଳାଉଥିବା ତାଙ୍କ ଟ୍ରଲିରିକ୍ସାରେ ସହର ମଧ୍ୟ ଦେଇ ଶବକୁ ଘରକୁ ନେଇଥିଲେ । ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏ ସଂପର୍କରେ ତୁଷୁରା ଚିକିତ୍ସାଳୟ ଅଧିକାରୀ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ତୁଷୁରା ଚିକିତ୍ସାଳୟରେ ଶବ ବୋହିବା ପାଇଁ ମହାପ୍ରୟାଣ ଗାଡ଼ି ନାହିଁ । ତେଣୁ ପରିବାର ଲୋକଙ୍କୁ ଶବ ଘରକୁ ନେଇଯିବା ପାଇଁ କହିଥିଲେ । ସେମାନେ ଶବକୁ କେମିତି ନେଲେ ସେ ଜାଣି ନାହାନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଅପରପକ୍ଷରେ ତୁଷୁରା ୟୁଥ ଏକ୍ସନ କମିଟି ପକ୍ଷରୁ ମହେଶ୍ବରଙ୍କ ଶବଦାହ ପାଇଁ କାଠ ଯୋଗାଇ ଦିଆଯାଇଥିଲା ।
