ଭଦ୍ରକ : କାନ୍ଧରେ ମେଡିକାଲକୁ ବୁହାହେଲେ ରୋଗୀ । ଭଲ ରାସ୍ତାଟିଏ ନଥିବାରୁ ରୋଗୀଙ୍କୁ ଏପରି କାନ୍ଧରେ ବୁହାହୋଇଛି । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଭଦ୍ରକ ଜିଲ୍ଲା ପରସିଙ୍ଗା ପଞ୍ଚାୟତର ଏହି ଘଟଣା ହୋଇଥିବା ନେଇ ସୂଚନା । ଖବର ଅନୁଯାୟୀ, ପରସିଙ୍ଗା ପରିଡ଼ା ସାହିକୁ ଯିବା ପାଇଁ ଓସାରିଆ ରାସ୍ତାଟିଏ ନାହିଁ । ଯାହାଫଳରେ ବିଭିନ୍ନ ସମୟରେ ଲୋକମାନେ ହଇରାଣ ହୋଇଥାନ୍ତି । ବିଶେଷ କରି ବର୍ଷା ହେଲେ ଲୋକମାନେ ମୁଖ୍ୟ ରାସ୍ତାକୁ ଯିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଲଗାଣ ବର୍ଷା ଲାଗି ରାସ୍ତାଟି କାଦୁଅ ହୋଇଥିଲା । ସାହିର ଚିତ୍ର ସାହୁ ନାମକ ଜଣେ ବୃଦ୍ଧା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ । ସାହି ଭିତରକୁ ଗାଡ଼ି ଆସିନପାରିବାରୁ ଗାଁ ଲୋକେ ବାଧ୍ୟ ହୋଇ କାନ୍ଧରେ ବୋହି ମୁଖ୍ୟ ରାସ୍ତା ଠାରୁ ଗାଡ଼ିରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମେଡିକାଲରେ ତାଙ୍କର ଚିକିତ୍ସା ପରେ ପୁଣି କାନ୍ଧର ବୋହି ଘରକୁ ଆଣିଥିଲେ । ଏହି ଶୋଚନୀୟ ରାସ୍ତାଟିର ସ୍ଥାୟୀ ମରାମତି ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ନିବେଦନ କରି ଆସୁଛନ୍ତି ଲୋକ । ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବାରୁ ରୋଗୀମାନେ ଏପରି କାନ୍ଧରେ ବୁହା ହେଉଥିବା ସ୍ଥାନୀୟଲୋକେ କହିଛନ୍ତି ।
