ମାଡିବସିଛନ୍ତି ୫ କୋଟିର ଆର୍‌ସିଏମ୍‌ଏସ୍‌ ଜାଗା

ରାଉରକେଲା : ସ୍ମାର୍ଟସିଟିରେ ସରକାରଙ୍କ ବହୁମୂଲ୍ୟ ଜାଗାକୁ ମାଡ଼ି ବସିଛନ୍ତି ବଡବଡିଆ । ଏତିକି ନୁହେଁ ବିଭିନ୍ନ ପ୍ରକଳ୍ପ ବାହାନାରେ ଜିଲ୍ଲା ପ୍ରଶାସନ ଶାଗମାଛ ଦରରେ ବ୍ୟବସାୟୀ ଓ ଶିଳ୍ପପତିଙ୍କୁ କୋଟି କୋଟି ଟଙ୍କାର ଜମିକୁ ମାତ୍ର କେଇ ଲକ୍ଷ ଟଙ୍କାରେ ଟେକି ଦେଉଛନ୍ତି । ଏଭଳି ବେଆଇନ କାର୍ଯ୍ୟକୁ ବିରୋଧ ଦଳ ପ୍ରତିବାଦ କରୁଛନ୍ତି । ମାମଲା କୋର୍ଟକୁ ଯାଉଛି । ତଥାପି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାର୍ହି । ସହରର କେବଳ ସିଭିଲଟାଉନସିପ୍‌ ନୁହେଁ ଉଦିତନଗର, କଚେରୀରୋଡରେ ଏମିତି ଅନେକ ସରକାରଙ୍କ ମୂଲ୍ୟବାନ ଜମି ବଡ଼ବଡିଆଙ୍କ କବ୍‌ଜାକୁ ଚାଲିଯାଇଛି ।

ଯେଉଁଠି ଗଢ଼ି ଉଠିଛି ବହୁ ତଳ କୋଠା ଓ ବ୍ୟବସାୟିକ ପ୍ରତିଷ୍ଠାନ । ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (ଆର୍‌ସିଏମ୍‌ଏସ୍‌)ର ମୂଲ୍ୟବାନ ଜମି ଏହାର ଏକ ଜ୍ବଳନ୍ତ ଉଦାହରଣ । ଦୁଇ କି ତିନି ଡେସ୍‌ମିଲ୍‌ ଜାଗା ନୁହେଁ ପ୍ରାୟ ୩୦ ‌ଡେସ୍‌ମିଲ୍‌ ଜାଗାକୁ ବ୍ୟବସାୟୀ ସମେତ ଅନ୍ୟାନ୍ୟ ଲୋକଙ୍କ ଅକ୍ତିଆରରେ ରହିଛି । ଯାହାରେ ବଜାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟିରୁ ଅଧିକ । ଏମିତି ମୂଲ୍ୟବାନ ଜାଗା ରହିଛି ଉଦିତନଗର କଚେରୀ ରୋଡ ନିକଟ ମଙ୍ଗଳ ଭବନରେ । ଏଯାଏଁ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ବ୍ୟବସାୟୀ, କିଛି କରିତକର୍ମା ଲୋକ ବିଲ୍‌ଡିଂ ନିର୍ମାଣ କରି ଭଡାରେ ଲଗାଇଛନ୍ତି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ୫୬ ଡେସିମଲ୍‌ ଜାଗାରୁ ୨୮ ଡେସିମଲ୍‌ ଜାଗାକୁ ବୋର୍ଡ ବୈଠକ ସର୍ବସମ୍ମତିକ୍ରମେ ଶାଗମାଛ ଦରରେ ବିକ୍ରି କରି ଦିଆଯାଇଥିଲା ।

ଏଥି ସହ ୫ ଡେସିମିଲ୍‌ ଜାଗାକୁ ତତ୍କାଳୀନ ଆର୍‌ସିଏମ୍‌ଏସ୍‌ର ସମ୍ପାଦକ ମଧ୍ୟ ବିକ୍ରି କରି ଦେଇଥିଲେ । ଆର୍‌ସିଏମ୍‌ଏସ୍‌ର ଏଭଳି ବେଆଇନ କାର୍ଯ୍ୟ ପ୍ରତିବାଦରେ କିଛି ଲୋକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଓଡବ୍ଲ୍ୟୁ)ଙ୍କ ନିକଟରେ ତଦନ୍ତ ପାଇଁ ଦାବି କରିଥିଲେ । ଦାବି ମୁତାବକ ଇଓଡବ୍ଲ୍ୟୁ ଦୁର୍ନୀତି ଘଟଣାର ତଦନ୍ତ କରିଥିଲେ । ବିଡମ୍ବନା, ଏଯାଏଁ  ସେମାନଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନ ହେବା ସାଧାରଣରେ ପ୍ରଶ୍ନବାଚୀ ସୃ୍ଷ୍ଟି କରିଛି ।  ଜବରଦଖଲକୁ ରୋକିବା ପରିବର୍ତ୍ତେ ବିଭାଗର କିଛି ଅଧିକାରୀ ପ୍ରୋତ୍ସାହନ ଦେଇଥିବାରୁ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏବେ ଦୁର୍ନୀତିକୁ ନେଇ ବିଭାଗୀୟ ସ୍ତରରେ ଖୋଳତାଡ ହେବା ପରେ ଆର୍‌ସିଏମ୍‌ଏସ୍‌ ବିଭାଗୀୟ ଅଧିକାରୀ ତତ୍ପର ହୋଇଛନ୍ତି । ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ଜାଗାକୁ ଖାଲି କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ।

ଯେଉଁମାନେ ଆର୍‌ସିଏମ୍‌ଏସ୍‌ ଜାଗାକୁ ଅକ୍ତିଆରରେ ରଖିଛନ୍ତି ସେମାନଙ୍କୁ ବିଭାଗ କେବଳ ନୋଟିସ୍‌  ଜାରି କରାଯାଇଥିବା ଜଣାପଡିଛି । ଆଶ୍ଚର୍ଯ୍ୟର କଥା, ଦଖଲରେ ଥିବା କୋଠା ମାଲିକମାନେ ଜାଗାକୁ ନିଜ ଅଧିନକୁ ଆଣିବାକୁ ସର୍ବକ୍ଷମ ଯୋଜନାରେ ଆବେଦନ କରିଥିଲେ । ମାତ୍ର ସେମାନଙ୍କୁ ଏଯାଏଁ ଅନୁମତି ମିଳି ନଥିବା ଜଣାପଡିଛି । ସରକାରଙ୍କ ମୂଲ୍ୟବାନ ଜମିକୁ ସରକାରୀ ଖାତାକୁ ଅବା ଆରସିଏମ୍‌ଏସ୍‌ ଅଧୀନକୁ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସହରର କେନ୍ଦ୍ରସ୍ଥଳ ରହିଥିବା ଏହି ଜାଗାକୁ ଖାଲି କରି, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲେ, ଅନେକ ଛୋଟ ବେପାରୀ ଉପକୃତ ହୋଇପାରନ୍ତେ ।

ଏସବୁ ଭିତରେ ଏହି ମୂଲ୍ୟବାନ ଜାଗାକୁ ଆର୍‌ସିଏମ୍‌ଏସ୍‌ ନିଜ ଅଧିନକୁ ଆଣିବାରେ କେତେଦୂର ସକ୍ଷମ ହେଉଛି, ତା’ଉପରେ ସମସ୍ତଙ୍କ ନଜର ରହିଛି । ଉଲ୍ଲେଖଯୋଗ୍ୟ, ଚାଷୀଙ୍କୁ ସରକାରୀ ମୂଲ୍ୟରେ ସାର ଏବଂ ବ୍ୟବସାୟୀଙ୍କୁ ସୁବିଧା ଦେବାକୁ  ଗତ ୧୯୫୭ରେ ଜିଲ୍ଲାରେ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ପଞ୍ଜିକୃ୍ତ ହୋଇଥିଲା । ୧୯୯୨ରେ ଏସ୍‌ଟିଆଇ ଯୋଡାପାଣି ଟାଙ୍କି ନିକଟରେ ଆର୍‌ସିଏମ୍‌ଏସ୍‌ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲା । ଦୁଇ ମହଲା ମାର୍କେଟ  କମ୍ପ୍ଲେକ୍ସରେ ମୋଟ  ୧୫୧ଟି ଦୋକାନ ଓ ଏହା ପଛରେ ୩୬ଟି ଗୋଦାମ ଘର ରହିଛି ।

Leave a Reply

Your email address will not be published. Required fields are marked *