ଗଙ୍ଗା ଜଳ ସିଞ୍ଚି ବିଧାନସଭାକୁ ପବିତ୍ର କଲେ ବିଜେପି ସଦସ୍ୟ

ଭୁବନେଶ୍ବର : ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ବି ଗୃହରେ ମମିତା ଝଡ଼ ଉଠିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଲଗାତାର ଦ୍ବିତୀୟ ଦିନ ପାଇଁ କଂଗ୍ରେସ ଓ ବିଜେପି ସଦସ୍ୟ ହଟଗୋଳ କରିଥିଲେ। ଏହାଫଳରେ, ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ବିଧାନସଭାକୁ  ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଣେ ବିଧାନସଭାର ପବିତ୍ର ଗୃହରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରବେଶ କରିଥିବା ହେତୁ ସେହି ସ୍ଥାନକୁ ପବିତ୍ର କରିବା ଲାଗି ବିଜେପି ସଦସ୍ୟମାନେ ବାହାରେ ଗଙ୍ଗାଜଳ ଓ ଗୋବରପାଣି ସିଞ୍ଚନ କରି ଅଭିନବ ପ୍ରତିବାଦ ଜଣାଇଛନ୍ତି ।ସୂଚନାଯୋଗ୍ୟ, ଲଗାତାର ଦ୍ବିତୀୟ ଦିନ ପାଇଁ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇ ଅଚଳାବସ୍ଥା ଜାରି ରହିଥିଲା । ଗୁରୁବାର ଦିନ ଗୃହରେ ବିରୋଧୀମାନେ ଏମିତି ହଙ୍ଗାମା କରିଥିଲେ ଯେ ଆଦୌ ଗୃହ କାର୍ଯ୍ୟ ସମ୍ଭବ ହୋଇ ନ ଥିଲା । ପ୍ରଥମାର୍ଦ୍ଧରେ ଗୋଟିଏ ମିନିଟ୍ ଗୃହ ଚାଲିଥିଲା ବେଳେ ଦ୍ବିତୀୟାର୍ଦ୍ଧରେ ୧୩ ମିନିଟ୍‌ ଭିତରେ ଗୃହ କାର୍ଯ୍ୟ ସୀମିତ ରହିଥିଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଏପରି ଅଟଳ ଅଛନ୍ତି ଯେ ଦିନେ ଦୁଇ ଦିନ ଭିତରେ ଗୃହରେ ଅଚଳାବସ୍ଥା ହଟିବାର ସମ୍ଭାବନା କମ୍ । ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେଡି ବିଧାୟକମାନେ ବି ଗୁରୁବାର ଦିନ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଗୁରୁବାର ଦିନ ୧୦ ଟା ୩୦ ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ । ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ପ୍ଲାକାର୍ଡ ପ୍ରଦର୍ଶନ କଲେ । ବାଚସ୍ପତି ପ୍ଲାକାର୍ଡ ଗୃହରେ ଦେଖାଇବାକୁ ବାରଣ କରିବା ସତ୍ତ୍ବେ ସେମାନେ ଶୁଣି ନ ଥିଲେ । ସଙ୍ଗେ ସଙ୍ଗେ ବାଚସ୍ପତି ଗୃହକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *