ବେଗୁନିଆ : ଗରୀବଙ୍କୁ ମିଳୁନି ଘର । ସ୍ୱାମୀଙ୍କ ଦେହାନ୍ତ ପରେବି ନାହିଁ ବିଧବା ଭତ୍ତା । ସରକାରୀ ଯୋଜନା ପାଇଁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ମହିଳା । ଏପରି ଏକ ଅଭିଯୋଗ ଆସିଛି ବେଗୁନିଆ ବ୍ଲକ ସିକୋ ଗ୍ରାମ ପଞ୍ଚାୟତର ଆଦିବାସୀ ସାହିରୁ । ଗାଁର ସତ୍ୟଭାମା ବେହେରାଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ସାତ ସପନ । ସ୍ୱାମୀଙ୍କର ଗତ ୨ ବର୍ଷ ହେଲା ମୃତ୍ୟୁ ହେଲାଣି । ହେଲେ ଏଯାଏ ମିଳିନି ବିଧବା ଭତ୍ତା । ଅନ୍ତେଷ୍ଟିକ୍ରିୟା ପାଇଁ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ଦେଉଥିବା ୨ ହଜାର ଟଙ୍କା ବି ଆଜି ପର୍ୟ୍ୟନ୍ତ ସେ ପାଇ ପାରି ନାହାନ୍ତି । ସତ୍ୟଭାମାଙ୍କ ସ୍ୱାମୀ ଜଣେ ଦିନମଜୁରିଆ ଥିଲେ ।ସେ ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କର ପତ୍ନୀ ଏବଂ ଦୁଇ ଛୋଟ ପୁଅ ପ୍ରତି ପାଳିତ ହେଉଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସତ୍ୟଭାମା ଏବେ ନିଜେ ମଜୁରୀ ଲାଗି ଏବଂ ଜଙ୍ଗଲୁ କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଆଉ ଅର୍ଥାଭାବ କାରଣରୁ ଓଳିଏ ଖାଇ ଓଳିଏ ଉପବାସ ରହିବାକୁ ପଡ଼ୁଛି । ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ହିଁ ତାଙ୍କର ଏକମାତ୍ର ସାହା ଭରସା । ହେଲେ ସେଥିରେ ତିନିଜଣ ଚଳିବା ସମ୍ଭବ ନୁହେଁ । ଘର କଥା ତ ନକହିବା ଭଲ । ଝାଟିମାଟି ଭଙ୍ଗାଘରେ ଅସରାଏ ବର୍ଷା ହେଲେ ରହିବା ସମ୍ଭବ ନୁହେଁ । ବହୁ କଷ୍ଟରେ ସେହି ଘରେ ପଡ଼ିରହିଛନ୍ତି ୩ ପ୍ରାଣୀ । ଅନେକ ସମୟରେ ଘର ଭିତରେ ସରୀସୃପମାନଙ୍କ ସହିତ ମଧ୍ୟ ରାତି ବିତାଇବାକୁ ପଡେ ବୋଲି ସତ୍ୟଭାମା କୋହ ଭରା କଣ୍ଠରେ କହିଛନ୍ତି । ପ୍ରଶାସନ ପକ୍ଷରୁ ଏହି ପରିବାରକୁ ବିଧବା ଭତ୍ତା ସହିତ ଯଦି ଘର ଖଣ୍ଡିଏ ମିଳନ୍ତା ତା’ହେଲେ ଏହି ଦୁଃଖି ପରିବାରଟି ଉପକୃତ ହୋଇପାରନ୍ତା ।
