ବିସ୍ଥାପିତଙ୍କ ନିଯୁକ୍ତି ସମସ୍ୟା : ଅଧାରୁ ଅଟକିଛି ଅନେକ ପ୍ରକଳ୍ପ

ରାଉରକେଲା : ହଟୁନି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ବିସ୍ଥାପିତଙ୍କ ସମସ୍ୟା । ଜିଲ୍ଲା ପ୍ରଶାସନ ଓ ସେଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ନିଯୁକ୍ତି ଅପେକ୍ଷାରେ ବିସ୍ଥାପିତ ପରିବାର ବର୍ଷ ବର୍ଷ ଧରି ଜାରି ରଖିଛନ୍ତି ସଂଘର୍ଷ । ରାଉରକେଲା ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଅନେକ ବାର ବୈଠକ ପରେ ବୈଠକ ବସିଛି । ସମାଧାନର କିନ୍ତୁ ବାଟ ଫିଟିନି । ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତି ତାଲିକାରେ ରହିଛନ୍ତି ୧୬୩ ପରିବାର । ଦ୍ବିତୀୟ ପର୍ଯ୍ୟାୟରେ ଅଛନ୍ତି ପ୍ରାୟ ୧୦୯୮ । ପ୍ରଥମ ପର୍ଯ୍ୟାୟରେ  ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ପ୍ରାୟ ୮୦୦୦ ପରିବାର ଆବେଦନ କରିଥିଲେ । ଜିଲ୍ଲା ପ୍ରଶାସନ ଏମାନଙ୍କ ମଧ୍ୟରୁ ୧୬୩ ଜଣଙ୍କୁ ଚିହ୍ନଟ କରି ଆର୍‌ଏସ୍‌ପିରେ  ପର୍ଯ୍ୟାୟକ୍ରମେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା ।

କେବଳ ଏତିକି ନୁହେଁ ୧୦୯୮ ଖାତାରେ ଅନେକ ଜାଲ୍‌ କାଗଜପତ୍ର ଦେଇ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଛନ୍ତି । କିନ୍ତୁ ଏମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ । ସେପଟେ ସମସ୍ୟାର ସମାଧାନ ପାଇଁ ଥରେ କି ଦୁଇ ଥର ନୁହେଁ ୬ ଥର ପାର୍ଶ୍ବାଞ୍ଚଳ ବିକାଶ ଓ ଥଇଥାନ ଉପଦେଷ୍ଟା କମିଟି ( ଆର୍‌ପିଡିଏସି) ବୈଠକରେ ହୋଇଛି । କିନ୍ତୁ ରବିବାର ପର୍ଯ୍ୟନ୍ତ ଜଣଙ୍କୁ ହେଲେ ନିଯୁକ୍ତି ମିଳି ନାର୍ହି । ଏସବୁ ଭିତରେ  ୩,୭୨୨ ବିସ୍ଥାପିତ ପରିବାରଙ୍କ ତାଲିକା ଜିଲ୍ଲା ପ୍ରଶାସନ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି ।

ଏମାନଙ୍କ କାଗଜପତ୍ର ଯାଞ୍ଚ ହୋଇ ସେମିତି ଅତିରିକ୍ତ ଜିଲ୍ଲାପାଳ ଅଫିସ୍‌ରେ ପଡିଛି । ଫାଇଲ୍‌ କିନ୍ତୁ ଆଗକୁ ବଢ଼ୁନି । ୨୦୧୯ ଡିସେମ୍ବରରେ ଅନୁଷ୍ଠିତ ଆର୍‌ପିଡିଏସି ବୈଠକ ନିଷ୍ପତ୍ତି ଅନୁଯାୟୀ ତତ୍କାଳୀନ ଜିଲ୍ଲାପାଳ ସେଲ୍‌ ବୋର୍ଡକୁ ଏମାନଙ୍କ ତାଲିକା ପଠାଇଥିଲେ । ତାହା ସେମିତି ଫାଇଲ ତଳେ ଚାପି ହୋଇ ରହିଯାଇଛି । ଏମାନଙ୍କ ସମସ୍ୟାର ସମାଧାନ ହେଉ ନଥିବାରୁ ସ୍ମାର୍ଟସିଟିରେ ଅନେକ ପ୍ରକଳ୍ପ  ଆଗେଇ ପାରୁନି । ଜିଲ୍ଲା ପ୍ରଶାସନ ଇଚ୍ଛାଶକ୍ତି ଥିଲେ ମଧ୍ୟ ପ୍ରତିବନ୍ଧକ ସାଜୁଛି ବିସ୍ଥାପିତଙ୍କ ବିରୋଧ । ବହୁ ବଡ଼ ବଡ଼ ପ୍ରକଳ୍ପ କେବଳ ପାଚେରୀରେ ସୀମିତ ରହିଛି ।

ଏଥିରୁ ମଧ୍ୟ ଗୋଟିଏ ହେଉଛି ବାଲୁଘାଟସ୍ଥିତ ହୋଲ୍‌ସେଲ୍‌ କୃଷକ ବଜାର । ପ୍ରକଳ୍ପ ଶିଳାନ୍ୟାସକୁ ଇତି ମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତିଗଲାଣି । କେବଳ ଅଧପନ୍ତରିଆ ପାଚେରୀ ପଡିଛି । ହୋଲ୍‌ସେଲ୍‌ ବଜାର ପାଇ ପ୍ରଥମ ପର୍ଯ୍ୟାୟରେ ୯୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ନିକଟରେ ସ୍ମାର୍ଟସିଟି ପକ୍ଷରୁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା‌ । ବିସ୍ଥାପିତଙ୍କ ବିବାଦରୁ ସ୍ମାର୍ଟସିଟି ପ୍ରକଳ୍ପରୁ ଓହରି ଯାଇଛି । ପୂର୍ବରୁ ଆସିଥିବା ପ୍ରାୟ ୯୮ କୋଟି ଟଙ୍କାରୁ ୨୦% ଖର୍ଚ୍ଚ ହୋଇଛି ।

ଅବଶିଷ୍ଟ ଟଙ୍କା ସେମିତି ବ୍ୟାଙ୍କରେ ଖାତାରେ ପଡିଛି । ସେମିତି ଆଉ ଏକ ପ୍ରକଳ୍ପ ହେଉଛି ସେକ୍ଟର-୧୩ ଓମ୍‌ଫେଡ୍‌ ଡାଏରୀ ପଛପାର୍ଶ୍ବ କୃଷି ବିଜ୍ଞାନ କେନ୍ଦ୍ର । ୫୦ ଏକର ଜାଗାରେ ସୁନ୍ଦରଗଡ଼ ଜିଲ୍ଲାର ଦ୍ବିତୀୟ କୃଷି ବିଜ୍ଞାନ କେନ୍ଦ୍ର ପାଚେରୀ ନିର୍ମାଣ ପାଇଁ ୧ କୋଟି ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ପାଚେରୀ ନିର୍ମାଣ କାମ ଆରମ୍ଭରୁ ପ୍ରତିବାଦ କରିଥିଲେ ବିସ୍ଥାପିତ ପରିବାର । ଜମି ବଦଳରେ ଜମି ଓ  ଆର୍‌ଏସ୍‌ପିରେ ନିଯୁକ୍ତି ଦାବିରେ ନିର୍ମାଣ କାମକୁ ଜୋରଦାର ବିରୋଧ କରିଥିଲେ । ଘଟଣାସ୍ଥଳରେ ୧୪୪ ଧାରା ଲାଗୁ ହୋଇଥିଲା । ବିସ୍ଥାପିତ ପରିବାର ଜିଲ୍ଲା ପ୍ରଶାସନ ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ହାଇକୋର୍ଟ ମାମଲାର ଶୁଣାଣୀ କରି ରହିତାଦେଶ ଜାରି କରିଥିଲେ । ସେବେଠୁ କୃଷି ବିଜ୍ଞାନ କେନ୍ଦ୍ର ସେମିତି ଅଧଖଣ୍ଡିଆ ପାଚେରୀ ସୀମିତ ରହିଛି । ବନ୍ଧମୁଣ୍ଡା କୁକୁଡା ଗେଟ୍‌ ରେଳ ଓଭରବ୍ରିଜ୍‌ରେ ମଧ୍ୟ ସେହି ସମାନ ସ୍ଥିତି ସୃଷ୍ଟି ହୋଇଛି । ଜମି ସମସ୍ୟାର ସମାଧାନ ହୋଇ ପାରୁ ନଥିବାରୁ ରେଳ ଓଭରବ୍ରିଜ୍‌ କାମ ଧୀମେଇ ଚାଲିଛି । ସହର ଓ ଏହାର ଆଖପାଖରେ ଏମିତି ଅନେକ ପ୍ରକଳ୍ପ ବିସ୍ଥାପିତ ସମସ୍ୟାରୁ ଅଟକିଛି । ସେପଟେ ସମସ୍ୟାର ସମାଧାନ ପାଇ ଜାତୀୟ ଜନଜାତି କମିଶନ ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀଙ୍କୁ ଅନେକ ବାର୍‌ ଦାଗିଦ୍‌ କରିଛନ୍ତି ।

ପର୍ଯ୍ୟାୟକ୍ରମେ ବିସ୍ଥାପିତ ପରିବାର ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଫଳ କିନ୍ତୁ ଶୂନ୍‌ । ନିକଟରେ ବିସ୍ଥାପିତଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ  ୭୦ ମୌଜା ବିସ୍ଥାପିତ ସଂଘର ସଭାପତି ଖାଡ଼ା କୁଜୁର ଜାତୀୟ ଜନଜାତି କମିଶନଙ୍କୁ ଗୁହାରି କରିଥିଲେ । ନିଜର ଅଭିଯୋଗ ବିସ୍ତୃତ ଭାବେ ଜଣାଇଥିଲେ । ଜନଜାତି କମିଶନ ଅଭିଯୋଗ ସଂକ୍ରାନ୍ତରେ ଅବଗତ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ  ନୋଟିସ୍‌ କରିଛନ୍ତି । ୩୦ ଦିନ ଭିତରେ ବିସ୍ଥାପିତ ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗର ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି । ୩୦ ଦିନ ମଧ୍ୟରେ କୌଣସି ଉତ୍ତର ନ ମିଳିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜନଜାତି କମିଶନ ତାଙ୍କ ଚିଠିରେ ଦର୍ଶାଇଛନ୍ତି । ତେବେ ଆଗାମୀ ଦିନରେ ଜିଲ୍ଲାପାଳ ବିସ୍ଥାପିତ ନିଯୁକ୍ତି ସଂକ୍ରାନ୍ତରେ କି ପଦକ୍ଷେପ ‌ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *