ତହସିଲ କାର୍ଯ୍ୟାଳୟରେ ଦଲାଲଙ୍କ ରାଜୁତି, ଶୋଷିତ ହେଉଛନ୍ତି ସାଧାରଣ ଲୋକ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟରେ ଦଲାଲଙ୍କ ରାଜୁତି ଚାଲିଛି । ଜମି କିଣାବିକା ଠାରୁ ଆରମ୍ଭ କରି ପଞ୍ଜିକରଣ ପର୍ଯ୍ୟନ୍ତ କାମରେ ସାଧାରଣ ଜନତା ଶିକାର ହେବା ଜଣାପଡିବା ପରେ ଏହା ସ୍ପଷ୍ଟ ହୋଇଛି । ତେବେ ଏତେବଡ ଘୋଟାଲା ହେଉଥିଲେ ବି ତହସିଲଦାରଙ୍କ ନୀରବତାକୁ ନେଇ ସନ୍ଦେହ ଦେଖାଦେଇଛି ।

ଏହି ତହସିଲ ଉପରେ ବୀରମିତ୍ରପୁର ନୁହେଁ ନୂଆଗାଁ ବ୍ଲକର ୪ଟି ଆର୍‌ଆଇ ସର୍କଲର ପ୍ରାୟ ୧ ଲକ୍ଷ ରୁ ଅଧିକ ଲୋକ ନିର୍ଭର କରନ୍ତି । ବୀରମିତ୍ରପୁର ଅଞ୍ଚଳର ବୀରମିତ୍ରପୁର, ଅଣ୍ଡାଳି ଓ ଝୁରମୁରର ଏମିତି ମୋଟ ୭ଟି ରାଜସ୍ବ ନିରୀକ୍ଷକକଙ୍କ କାର୍ଯ୍ୟାଳୟ ରହିଛି । ଜମି ପଞ୍ଜିକରଣ ଠାରୁ ଆରମ୍ଭ କରି ଜମିପଟ୍ଟା, ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର ଆଦି କାମ ପାଇଁ ଦୈନିକ ଶହ ଶହ ଲୋକ ଆସନ୍ତି । ବିଶ୍ରା ଓ ଲାଠିକଟା ତହସିଲରେ ଜମି ପଞ୍ଜିକରଣ ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । କିନ୍ତୁ ଏଯାଏ ଦୁଇ ତହସିଲରେ ଜମି ପଞ୍ଜିକରଣ କାର୍ଯ୍ୟ ହୋଇନାହିଁ ।

ଫଳରେ ନୂଆଗାଁ ସମେତ ବିଶ୍ରା ଓ କୁଆରମୁଣ୍ଡା ବ୍ଲକର ଶହ ଶହ ଲୋକଙ୍କ ଜମି ପଞ୍ଜିକରଣ ପାଇଁ କେବଳ ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟ ହିଁ ଏକମାତ୍ର ଭରସା । ଏଭଳି ଜଟିଳ ସମସ୍ୟାର ଭରଫୁର ଫାଇଦା ଉଠାଉଛନ୍ତି ଜଣେ କରିତକର୍ମା ଡିଡ୍‌ ରାଇଟର ଓ କିଛି ଦଲାଲ । ତହସିଲ ଅଫିସ୍‌ର ବିଭାଗୀୟ ଅଧିକାରୀଙ୍କ ସହ ଭିତିରି ସଲୁସୁତରା କରି ବର୍ଷ ବର୍ଷ ଧରି ବେଆଇନ କାମ କରି ଆସୁଛନ୍ତି । ଏତିକି ନୁହେଁ ସରକାରୀ କର୍ମଚାରୀଙ୍କ ଭଳି ଅଫିସ୍‌ ଭିତରେ ପଶି କାମ କରୁଛନ୍ତି ।  ଏଥିସହ ନିରୀହ ଲୋକଙ୍କୁ ସରକାରୀ ଅଧିକାରୀଙ୍କ ପରିଚୟ ଦେବାକୁ ମଧ୍ୟ ପଛାଉ ନାହାନ୍ତି ।

ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ପଞ୍ଜିକରଣ କରି ଆସୁଥିବା କିଛି ଲୋକ । ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଅଧିକାରୀମାନେ ସବୁ ଜାଣୁଥିଲେ ହେଁ ନ ଜାଣିଲା ପରି ଚୁପ୍‌ ରହୁଛନ୍ତି । ଲୋକ ଦେଖାଣିଆ ତାଗିଦ୍‌ କରି କାମ ସାରି ଦେଉଛନ୍ତି । ଅନ୍ୟପଟେ  ନ ହେବା କାମଗୁଡ଼ିକୁ ମୋଟା ରକମ୍‌ ହାତଗୁଞ୍ଜା ନେଇ କରି ‌ଦେଉଥିବା ଅଭିଯୋଗ ହେଉଛି । ମାସେ କି ଦୁଇ ମାସ ନୁହେଁ, ବର୍ଷ ବର୍ଷ ଧରି ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏମାନଙ୍କୁ ଥରୁଟିଏ କାହିଁକି  ପ୍ରତିବାଦ କରୁ ନାହାନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେମିତି ଡିଡ୍‌ ରାଇଟରଙ୍କ ଭଳି କିଛି ଦଲାଲ ମଧ୍ୟ ତହସିଲ କାର୍ଯ୍ୟାଳୟରେ ମାତିଛନ୍ତି । ବାସିନ୍ଦା ପ୍ରମାଣପତ୍ର ଠାରୁ ଆରମ୍ଭ କରି ପ୍ରାୟ ଅଧିକାଂଶ କାମରେ ଦଲାଲଙ୍କୁ ନ ଧରିଲେ ଫାଇଲ୍‌ ଆଗକୁ ବଢ଼ୁନି । ଡିଡ୍‌ ରାଇଟର ହେଉ ଅବା ଦଲାଲମାନଙ୍କ ଏଭଳି କାମ ତହସିଲଦାରଙ୍କ ନଜରେ ଅଛି ତ ?  ଯଦି ଅଛି, ତେବେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି, ତାକୁ ନେଇ ସନ୍ଦେହ ହେବା ସ୍ବାଭାବିକ । ତେବେ ତହସିଲଦାର ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟରେ ଚାଲିଥିବା ଦଲାଲରାଜ ଓ ଡିଡ୍‌ ରାଇଟରଙ୍କ ରାଜୁତିକୁ ତୁରନ୍ତ ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *