ଫେଲ୍‌ ମାରିଲା ଦୀନଦୟାଲ୍ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା : ସୁକିନ୍ଦାରେ ୮ କୋଟି ଟଙ୍କା ଖର୍ଚ୍ଚ, ଗାଁ ଅନ୍ଧାର

କାଳିଆପାଣି : ସୁକିନ୍ଦାରେ ଫେଲ୍‌ ମାରିଛି ଦୀନଦୟାଲ୍ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା । ଗ୍ରାମାଞ୍ଚଳ ଆଲୋକୀକରଣ ପାଇଁ କେନ୍ଦ୍ରୀୟ ଅନୁଦାନରୁ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଗାଁରେ ଅନ୍ଧାର ରାଜୁତି କରୁଛି । କୋଟିକୋଟି ଟଙ୍କାକୁ ଭାଗବଣ୍ଟାରେ ଚଳୁ କରାଯାଇଥିବା ସାଧାରଣରେ ଅଭିଯୋଗ ହୋଇଛି ।

୨୦୧୭ ମସିହା‌ରେ ବିରଜା କନଷ୍ଟ୍ରକ୍ସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିଲା । ଲାଇଟ୍‌ ଜଳିବା ମାସକ ପରେ ଅଧିକାଂଶ ଅଚଳ ଥିବା ଦେଖିବାକୁ ମିଳିଥିଲା । ଦ୍ବିତୀୟ ପର୍ଯ୍ୟାୟରେ ମନୋରମା ଏଜେନ୍ସି ପକ୍ଷରୁ ପୁଣି ଗାଁ ଗାଁରେ ଲାଇଟ୍‌ ଲଗା ଯାଇଥିଲା । କିନ୍ତୁ ପରିସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଅନ୍ଧାର କାୟା ବିସ୍ତାର କରିଥିଲା । କେନ୍ଦ୍ରୀୟ ଚତୁର୍ଦଶ ଅର୍ଥ କମିସନ ଅନୁଦାନରେ ଠିକାସଂସ୍ଥା ବିରଜା କନଷ୍ଟ୍ରକ୍ସନ ୨୦୧୭-୧୮ ଆର୍ଥିକ ବର୍ଷ ସୁକିନ୍ଦା ବ୍ଲକରେ ୫.୫ କୋଟି ଟଙ୍କାର କାମ କରିଛି । ସେହିପରି ଚତୁର୍ଥ ରାଜ୍ୟ ଅର୍ଥ କମିସନ ଅନୁଦାନରେ ଅନ୍ୟ ଠିକାସଂସ୍ଥ‌ା ମନୋରମା ଏଜେନ୍ସ ବ୍ଲକରେ ୨.୫ କୋଟି ଟଙ୍କାର ଲାଇଟ୍‌ ଲଗାଇଥିବା ସୂଚନା ମିଳିଛି । ଦୁଇ ପ୍ରଭାବଶାଳୀ ଠିକାସଂସ୍ଥା ‌ଲାଇଟ୍‌ ଲଗାଇବାର ମାସକ ମଧ୍ୟରେ ବିଲ୍‌ ଉଠାଇ ନେଇଥିଲେ । ଏହା ପର ଠାରୁ ୬ ମାସ ମଧ୍ୟରେ ନବେ ପ୍ରତିଶତ ଲାଇଟ୍‌ ଅଚଳ ହୋଇଥିବା ବେଳେ ଏବେ ପ୍ରାୟ ଶତ ପ୍ରତିଶତ ଅଚଳ ଥିବା ସାଧାରଣରେ ଅଭିଯୋଗ ହୋଇଛି । କାମ ସରିବାର ୨ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଓ ଫ୍ୟୁଜ୍ ବଲ୍‌ବ ଅପସାରଣ ପରେ ନୂଆ ଲାଇଟ୍‌ ଲଗାଇବା ପ‌ାଇଁ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ଠିକାସଂସ୍ଥା ଦ୍ବୟ ଏହି ଚୁକ୍ତିକୁ ବାଏଁବାଏଁ ଉଡ଼ାଇ ଦେଇଛନ୍ତି । ମରାମତି ପାଇଁ ଅଧିକୃତ ବ୍ୟକ୍ତିଙ୍କୁ ବାରମ୍ବାର ଫୋନ୍‌ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍‌ ଉଠାଉ ନାହାନ୍ତି । ଆଉ କିଛି ମୋବାଇଲ୍‌ ନମ୍ବର ସୁଇଚ୍ ଅଫ୍ ରହିଛି ।

ଗାଁରେ ବିଦ୍ୟୁତ୍‌ ବିତରଣ ଟ୍ରାନ୍ସଫର୍ମରର ଉନ୍ନତୀକରଣ ଓ ଲୋ ଭୋଲଟେଜ୍ ସମସ୍ୟା ଦୂରୀକରଣ ଯୋଜନା ହୋଇଥିଲେ ମଧ୍ୟ ଫଳ ଶୂନ । ଅତ୍ୟାଧୁନିକ ଏଲ୍‌ଇଡି ବଲ୍‌ବ ଥାଇ ଗାଁ ଗାଁରେ ମାଗଣା ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା ନାଁରେ ନାହିଁ ନଥିବା ଦୁର୍ନୀତି ହୋଇଥିବା ନେଇ ବର୍ଷକ ତଳୁ ଖୋଦ୍‌ ସରପଞ୍ଚମାନେ ସ୍ବର ଉଠାଇଥିଲେ । ଗତ ବର୍ଷ ମାର୍ଚ୍ଚ ମାସ ଶେଷ ସପ୍ତାହ ଖଣିଅଞ୍ଚଳ ଉନ୍ନୟନ ବୈଠକରେ ପ୍ରସଙ୍ଗକୁ ନେଇ ଜଣେ ଜିଲ୍ଲାପରିଷଦ ସଭ୍ୟ ଓ ୮ ଜଣ ସରପଞ୍ଚ ଏ ପ୍ରସଙ୍ଗ ଉଠାଇ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା ଓ ତତ୍କାଳୀନ ବିଡିଓ ବିଶ୍ବଜିତ ଦାସଙ୍କୁ ଘେରିଥିଲେ । କଅଁସ, କାଳିଆପାଣି, ଚିଙ୍ଗୁଡ଼ିପାଳ, ରାଁସୋଳ, କାଙ୍କଡ଼ପାଳ, କୁହିକା, ପିମ୍ପୁଡ଼ିଆ, ବନ୍ଧଗାଁ, ଦୁଧୁଯୋରୀ ପଞ୍ଚାୟତର ସରପଞ୍ଚମାନେ ଖୋଲାଖୋଲି ଦୁର୍ନୀତି ଅଭିଯୋଗ ଆଣି ସମସ୍ୟାର ସମାଧାନ ଦାବି କରିଥିଲେ । ଏହାକୁ ନେଇ ସରପଞ୍ଚ ହ୍ବାଟ୍ସଆପ୍‌ ଗ୍ରୁପରେ ସ୍ବର ତେଜିବାରୁ ଏହାର ତଦନ୍ତ ପାଇଁ ତତ୍‌କାଳୀନ ବିଡିଓ ଶ୍ରୀ ଦ‌ାସ ସେହି ଗ୍ରୁପ୍‌ରେ ପ୍ରତିଶ୍ରୁତି ଦେଇ ସମସ୍ୟା ଦୂରୀକରଣର ଆଶା ଦେଖାଇଥିଲେ । ହେଲେ ଏହାର ଖୁବ୍‌ କମ୍ ଦିନ ମଧ୍ୟରେ ବିଡିଓ ଶ୍ରୀ ଦାସଙ୍କ ବଦଳି ପରେ ବହୁଦିନ ଧରି ବିଡିଓ ପଦବି ଫାଙ୍କା ପଡ଼ିଥିଲା । ପରେ ପ୍ରସଙ୍ଗ ଶିଥିଳ ପଡ଼ି ଯାଇଥିଲା ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ସମୟରେ ଗାଁ ଆଲୁଅ ଦୁର୍ନୀତି ବିରୋଧରେ ଜନମତ ସୃଷ୍ଟି ହେବା ଆଶଙ୍କାରେ ଛକ ଜାଗା ଓ ଜନଗହଳିପୂର୍ଣ୍ଣ ସ୍ଥାନ ଚିହ୍ନଟ ପୂର୍ବକ ପଞ୍ଚାୟତ ପିଛା ୨୦ଟି ଲେଖାଏଁ ଲାଇଟ୍‌ ଲଗାଯାଇଛି । ଦୁର୍ନୀତି ଘୋଡ଼ାଇବା ଯୋଜନାରେ ବ୍ଲକ ପ୍ରଶାସନ ପକ୍ଷରୁ ଗାଁଗଣ୍ଡାରେ ନୂଆ ଲାଇଟ୍‌ ଲାଗିଥିଲେ ମଧ୍ୟ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନ ଉଠିଲାଣି । ଲକ୍ଷେ ଟଙ୍କା ବିନିମୟରେ ମାତ୍ର ୩ ରୁ ୪ଟି ଲାଇଟ୍‌ ଲଗାଯାଇଛି । ଅନୁଦାନ ଅର୍ଥରୁ ୫୦ ପ୍ରତିଶତ ପିସି ନାଁର ବାଟମାରଣା ହୋଇଥିବା ନେଇ ଅନ୍ତଃସ୍ବର ତୀବ୍ର ହେବାରେ ଲାଗିଛି । ଦୁର୍ନୀତି ଘୋଡ଼ାଇବା ଯୋଜନାରେ ପୁଣି ଦୁର୍ନୀତି ହୋଇଛି । ଆଲୁଅ ଦୁର୍ନୀତିର ଚେର ସୁକିନ୍ଦା ବ୍ଲକ ଅନ୍ତର୍ଗତ ୨୫ଟି ପଞ୍ଚାୟତରେ ମାଡ଼ିଛି । ଗାଁ ଗାଁରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ ୮ କୋ‌ଟି ଟଙ୍କାର ବିଲ୍‌ ଉଠାଇ ନେଇଥିଲେ ମଧ୍ୟ ୯୫ ରୁ ୯୯ ପ୍ରତିଶତ ଲାଇଟ୍‌ ଜଳୁ ନଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *