ଭୁବନେଶ୍ୱର : ଓଡ଼ିଶାକୁ ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚତୁର୍ଥପାଳିରେ ଅଣ୍ଟା ଭିଡ଼ିଥିଲେ । ଗୋଟିଏ ଟାସ୍କଫୋର୍ସର ସୁପାରିସ ଆଧାରରେ ୨୦୧୫-୧୬ ରୁ ଆଳୁ ମିସନ ଆରମ୍ଭ ହେଲା । ମାତ୍ର ତିନି ବର୍ଷରେ ଅର୍ଥାତ୍ ୨୦୧୮ ମାର୍ଚ୍ଚ ୩୧ ମଧ୍ୟରେ ସରକାରଙ୍କ ଆଳୁ ସ୍ବପ୍ନ ମଉଳିଗଲା ।
ଏହି ତିନିବର୍ଷରେ ଅର୍ଥାତ୍ ୨୦୧୫-୧୬ରେ ସରକାର ୨୫ ହଜାର ୧୮୩ ହେକ୍ଟର ଜମିରେ ଆଳୁ ଚାଷ କରିଥିଲେ ଓ ୨.୭୯ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ହୋଇଥିଲା । ୨୦୧୬-୧୭ରେ ୨୫ ହଜାର ୧୮୫ ହେକ୍ଟରରେ ଆଳୁ ଚାଷ କରି ୩.୦୨ ଲକ୍ଷ ମେଟ୍ରିକ୍ ଟନ୍ ଏବଂ ୨୦୧୭-୧୮ରେ ୨୫୦୯୦ ହେକ୍ଟରରେ ଚାଷ କରି ୨.୯୮ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ କରିଥିଲା ଓଡ଼ିଶା ।
ହେଲେ ୨୦୧୯ରେ ସିଏଜି ଅଡିଟ୍ ରିପୋର୍ଟରେ ସରକାରଙ୍କ ଆଳୁ ସ୍ବପ୍ନ ସଂପର୍କରେ ଯେଉଁ ସତ ପଦାକୁ ଆସିଲା, ତାହା ହୃଦୟ ଥରାଇ ଦେବାଭଳି । ରାଜ୍ୟ ସରକାର ଏହି ମିସନ ସହାୟତାରେ ୫୪୪ କୋଟି ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଉଚିତ୍ ବୋଲି ଟାସ୍କଫୋର୍ସ ଜଣାଇଥିଲେ । ହେଲେ ସତ ହେଲା, ୨୦୧୫-୧୬ରେ ୫୦ କୋଟି ବଜେଟ୍ ବ୍ୟବସ୍ଥା ହୋଇଥିଲା ଓ ଖର୍ଚ୍ଚ ହେଲା ୨୪.୦୫ କୋଟି । ୨୦୧୬-୧୭ରେ ୬୦ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା ହେଲା । ୧୫ କୋଟି ଟଙ୍କା ସରକାର ପ୍ରଦାନ କଲେ, ଖର୍ଚ୍ଚ ହେଲା ୨ କୋଟି ୬୦ ଲକ୍ଷ ଟଙ୍କା । ଏବଂ ତୃତୀୟ ବର୍ଷ ୨୦ କୋଟି ବଜେଟ୍ ବ୍ୟବସ୍ଥା ହୋଇଥିଲେ ହେଁ ଟଙ୍କାଟିଏ ଖର୍ଚ୍ଚ ହୋଇନଥିଲା । ଅତଏବ, ସରକାର ମିସନ ପାଇଁ ୧୩୦ କୋଟି ଖର୍ଚ୍ଚ ବ୍ୟବସ୍ଥା କରିଥିଲେ ହେଁ କରିତ୍କର୍ମା ବାବୁମାନେ ଏହାର ମାତ୍ର ୨୦.୫% ଅର୍ଥାତ୍ ୨୬.୬୫ କୋଟି ଖର୍ଚ୍ଚ କରିପାରିଲେ । ଆଳୁ ପାଇଁ ଶୀତଳଭଣ୍ଡାର ସ୍ବପ୍ନରେ ରହିଗଲା । ସେ ସମୟରେ ଦାୟିତ୍ବରେ ଥିବା ମନ୍ତ୍ରୀ, ସଚିବ, ନିର୍ଦେଶକ ସମସ୍ତେ ପୁରସ୍କୃତ ହେଲେ । ଆହୁରି ସରଳ ଭାବେ କହିଲେ, ଏତେ ବଡ଼ ବିଫଳତା ପାଇଁ ସରକାର କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି କିମ୍ବା ଉତ୍ତରଦାୟିତ୍ବ ଧାର୍ଯ୍ୟ ହୋଇନାହିଁ । ପରବର୍ତ୍ତୀ ସମୟରେ ଦାୟିତ୍ବରେ ଥିବା ମନ୍ତ୍ରୀ, ସଚିବ, ନିର୍ଦେଶକ ବି ଆଳୁ ପାଇଁ ବ୍ୟସ୍ତ ନୁହଁନ୍ତି । ଉପଭୋକ୍ତା କଷ୍ଟ ପାଇଲେ କାହାର କି ଯାଏ ?
ତଥ୍ୟ ଅନୁସାରେ, ରାଜ୍ୟରେ ଯେତେବେଳେ ବାର୍ଷିକ ୧୫ ଲକ୍ଷ ଟନ୍ ପାଖାପାଖିି ଆଳୁର ଆବଶ୍ୟକତା ରହୁଛି, ସଂପ୍ରତି ୩ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ ହେବା କଷ୍ଟସାଧ୍ୟ ହୋଇପଡୁଛି । ପରିଣାମରେ ଅନ୍ୟ ରାଜ୍ୟ ଉପରେ ଓଡ଼ିଶା କେବଳ ନିର୍ଭର କରୁଛି, ତା ନୁହେଁ ସେମାନେ ଯେତେବେଳେ ଯେମିତି ଦର କଷୁଛନ୍ତି, ରାଜ୍ୟର ଖାଉଟି କଷ୍ଟଅର୍ଜିତ ଅର୍ଥରୁ ପ୍ରଦାନ କରୁଛନ୍ତି । ସ୍ଥିତିରେ ସୁଧାର ନ ହେଲେ, ଆଗକୁ ଆଳୁ ଦର ଆହୁରି ବଢ଼ିବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କଲେଣି ।
ପ୍ରକାଶଥାଉକି, ଆଲୁ ମିସନ ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ଓଡ଼ିଶାରେ ଆଳୁ ଅଭାବ ସଂପର୍କରେ ଅବଗତ ଥାଇ ଗୋଟିଏ ଟାସ୍କଫୋର୍ସ ଗଠନ କରିଥିଲେ । ତତ୍କାଳୀନ କୃଷି ସଚିବ ରାଜେଶ ବର୍ମାଙ୍କ ନେତୃତ୍ବରେ ଏହା ଗଠନ ହୋଇଥିଲା । ୨୦୧୭-୧୮ ସୁଦ୍ଧା ୬୦ ହଜାର ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଥିିଲା । ଟାସ୍କଫୋର୍ସ ଏକଥା ବିି କହିଥିଲେ ଯେ ୨୦୧୮ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୧୧୨ଟି ନୂଆ ଶୀତଳଭଣ୍ଡାର ହେବ । ଏଥିରୁ ୮୨ଟି ରାଜ୍ୟରେ ଯୋଜନାରେ କରାଯିବ । ବିଦ୍ୟୁତ୍ ଶୁକ୍ଳ ୫୦ ପ୍ରତିଶତ ଯାଏ ରିହାତି ଦେବାକୁ କୁହାଯାଇଥିିଲା ଓ ପ୍ରତି ଶୀତଳଭଣ୍ଡାର ଅନ୍ୟୂନ ୫୦୦୦ ଟନ୍ କ୍ଷମତାର ହେବ ବୋଲି ସରକାର ହିସାବ କରିଥିଲେ । ଉଦ୍ୟାନ କୃଷି ନିର୍ଦେଶାଳୟକୁ ନୋଡାଲ୍ ଏଜେନ୍ସି ଭାବେ ଚୟନ କରାଯାଇଥିଲା । ଟାସ୍କଫୋର୍ସ କହିଥିଲା ଯେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ସଚିବଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ପରିଚାଳନା କମିଟି ତଦାରଖ କରିବ ଏବଂ କୃଷି, ସମବାୟ, ଜଳ ସମ୍ପଦ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଶକ୍ତି ଏବଂ ଏସ୍ସି ଏବଂ ଏସ୍ଟି ବିକାଶ ବିଭାଗର ସଚିବଙ୍କୁ ନେଇ ଗଠିତ ହେବ । ନିର୍ଦ୍ଦେଶାଳୟ ସ୍ତରର ମନିଟରିଂ ଏବଂ କାର୍ଯ୍ୟାନ୍ୱୟନ କମିଟି ଉତ୍ପାଦନ, ଶୀତଳ ଭଣ୍ଡାର ପ୍ରତିଷ୍ଠା ଏବଂ ଯୁକ୍ତିଯୁକ୍ତ ବଣ୍ଟନ ଉପରେ ଦୃଷ୍ଟି ଦେବ । କ୍ଷେତ୍ର ସ୍ତରରେ ଏହି କାର୍ଯ୍ୟକ୍ରମ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର କ୍ଷେତ୍ର କର୍ମଚାରୀଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହେବ । ଏସବୁ କିନ୍ତୁ କାଗଜ କଲମରେ ରହିଗଲା ।
