ତେଜରାତି ଦୋକାନୀ ଠାରୁ ୬୦ ଗ୍ରାମ ବ୍ରାଉନସୁଗାର ଜବତ

ନୀଳଗିରି : ବାଲେଶ୍ବର ଅବକାରୀ ବିଭାଗର ମୋବାଇଲ ଟିମ୍‌ ଆଜି ନୀଳଗିରି ଥାନା ଅଞ୍ଚଳରୁ ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ତେଜରାତି ଦୋକାନୀକୁ ଗିରଫ କରିଛି । ଗିରଫ ‌ତେଜରାତି ଦୋକନୀ ଜଣକ ହେଉଛି ସ୍ଥାନୀୟ ରାଜନୀଳଗିରି ଓଲ୍‌ଡଟାଉନ ଓଲଡଙ୍ଗ ଗ୍ରାମର ନରେନ୍ଦ୍ର ସାମଲ(୪୨) ।

ଆଜି ଭୋର୍‌ରୁ ନରେନ୍ଦ୍ର ବ୍ରାଉନସୁଗାର ଧରି ଘରୁ ବାହାରୁଥିବା ବେଳେ ଅବକାରୀ ଟିମ୍‌ ତାକୁ ମାଡ଼ି ବସିଥିଲା । ଗିରଫ ପରେ ଅବକାରୀ ଟିମ୍‌ ତାକୁ ଥାନାକୁ ଆଣି ପଚରାଉଚରା କରିଥିବା ବେଳେ ବାଲେଶ୍ବରରୁ ନିଶା ବେପାରୀ ତାକୁ ବ୍ରାଉନସୁଗାର ଯୋଗାଇ ଆସୁଥିବା ସେ କହିଛି । ବେପାରୀଙ୍କ ଠାରୁ ବ୍ରାଉନସୁଗାର ପାଇବା ପରେ ସେ ଗ୍ରାହକମାନଙ୍କୁ ଯୋଗାଇଥାଏ । ତେବେ ବାଲେଶ୍ବର ସହରରୁ କିଏ ତାକୁ ବ୍ରାଉନସୁଗାର ଯୋଗାଉଥିଲା, ସେ ବ୍ରାଉନସୁଗାର କେବଳ ଅଭିଯୁକ୍ତ ନରେନ୍ଦ୍ର ସାମଲକୁ ଯୋଗାଯାଉଥିଲା ନା ତା’ ସହିତ ସେ ଅଞ୍ଚଳରେ ଆଉ କାହାକୁ ଯୋଗାଇ ଦିଆଯାଉଥିଲା ସେନେଇ ତଦନ୍ତ ଚାଲିଥିବା ଅବକାରୀ ଅଧୀକ୍ଷକ ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି ।

ଅବକାରୀ ମୋବାଇଲ ଟିମ୍‌ ଇନ୍ସପେକ୍ଟର ଗାଲୁରାମ ସୋରେନ୍‌ଙ୍କ ନେତୃତ୍ବରେ ଏହି ଚଢ଼ଉ କରାଯାଇଥିଲା । ୭୦/୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନରେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *