ଅସମ୍ଭବକୁ ସମ୍ଭବ କଲେ ୪ ଆଦିବାସୀ ପଡ଼ାର ୮୦ ପରିବାର

ଦାରିଙ୍ଗବାଡ଼ି : ‘ବର୍ଷ ବର୍ଷ ବିତିଗଲା । ପ୍ରଶାସନ କି ଜନପ୍ରତିନିଧି କେହି କିଛି କଲେନି । ଗୁହାରି କରିବା ବହୁତ ହୋଇଗଲା, ଆଉ ନୁହେଁ ।’ ଏହିଭଳି ଏକ ସଂକଳ୍ପ ନେଇ ପାଣି ପାଇଁ ଅଣ୍ଟା ଭିଡ଼ିଲେ ୪ ଆଦିବାସୀପଡ଼ାର ୮୦ ପରିବାରର ଲୋକେ । କାହା ଉପରେ ନିର୍ଭର ନକରି ମୁଣ୍ଡ ଖଟାଇ ନିଜେ କୌଶଳ ବାହାର କଲେ, ଆଉ ତାକୁ କାର୍ଯ୍ୟରେ ବି କରି ଦେଖାଇଲେ । ଶେଷରେ, ଦୁଇ କିଲୋମିଟର ପାହାଡ଼ ଉପରୁ ଗାଁକୁ ବାଉଁଶ ନଳୀ ଖଞ୍ଜି ପାହାଡ଼ି ଝରଣାର ପାଣି ଗାଁ ମୁଣ୍ଡକୁ ଆଣିଛନ୍ତି । ପାନୀୟ ଜଳ ମୁନ୍ଦାଏ ପାଇବା ପରେ ଆଜି ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏହା ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଦୁର୍ଗମ ସୋନପୁର ପଞ୍ଚାୟତର ଅପହଞ୍ଚ ଦବେଡ଼ି ରାଜସ୍ୱ ଗ୍ରାମର ଡୁଗେଟମାହା, ବିନ୍ଧାଣି ସାହି, ପଦାସାହି ଓ ଛକସାହି ଭଳି ୪ଟି ପଡ଼ା ଗ୍ରାମର ଘଟଣା ।

ଏହି ୪ ପଡ଼ା ଗ୍ରାମରେ ରହିଥିବା ବହୁ ପୁରାତନ ଦୁଇଟି କୂଅ ଓ ବହୁ ବର୍ଷ ପୂର୍ବେ ବସିଥିବା ୩ଟି ନଳକୂଅ କେବେ ଠୁ ଅଚଳ ହୋଇପଡ଼ିଛି । କୂଅ ପାଣି ଆଉ ବ୍ୟବହାର ଯୋଗ୍ୟ ହୋଇପାରୁନି । ଏହାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଜନପ୍ରତିନିଧି ଓ ବ୍ଲକ୍‌ ପ୍ରଶାସନକୁ ବର୍ଷ ବର୍ଷ ଧରି ନେହୁରା ହୋଇଛନ୍ତି । ହେଲେ, ଏହି ଗୁହାରି କାହାର କାନ‌ରେ ପଡ଼ିଲାନି । ଓଲଟି ଗ୍ରାମବାସୀ ବର୍ଷତମାମ ପିଇବା ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିଲେ । ଏହି ଚାରିପଡ଼ା ଗ୍ରାମରେ ଆଦିବାସୀ ଓ ହରିଜନ ସଂପ୍ରଦାୟର ୮୦ ପରିବାରର ଜନସଂଖ୍ୟା ପାଖାପାଖି ୪୦୦ । ରୋଷେଇ ଠାରୁ ଆରମ୍ଭ କରି ପିଇବା, ଗାଧୋଇବା ଓ ଲୁଗାପଟା ସଫା କରିବା ପାଇଁ ଦୂରରେ ଥିବା ନାଳ ଓ ଚୁଆ ପାଣି ଉପରେ ନିର୍ଭର କରନ୍ତି । ବର୍ଷସାରା ଗ୍ରାମରେ ପାଣି ପାଇଁ ହାହାକାର ଲାଗି ରହୁଥିଲା । ଖରା ଦିନେ ଏହି ଜଳ ଯନ୍ତ୍ରଣା ଦ୍ବିଗୁଣିତ ହୋଇଯାଉଥିଲା ।

ତେବେ, ପ୍ରଶାସନକୁ ବାରମ୍ବାର ଅବଗତ କରି ନିରାଶ ହେବାପରେ ଶେଷରେ ଗ୍ରାମବାସୀ ଏକାଠି ହୋଇ ପାନୀୟଜଳ ବ୍ୟବସ୍ଥା କରିବାକୁ ଅଣ୍ଟା ଭିଡ଼ିଥିଲେ । ଏଥିରେ ଗ୍ରାମବାସୀଙ୍କୁ ସହଯୋଗାର ହାତ ବଢ଼ାଇଥିଲା ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ । ପାହାଡ଼ ଉପରେ ଝରଣାକୁ ସଂଯୋଗ କରି ବାଉଁଶକୁ ବାଉଁଶ ଯୋଡ଼ି ପ୍ରାୟ ଦୁଇ କିଲୋମିଟର ଲମ୍ବ ନଳ ଗ୍ରାମ ଶେଷ ମୁଣ୍ଡକୁ ପକାଇଲେ । ସେଠାରେ ସିମେଣ୍ଟ ପାଣିକୁଣ୍ଡ କରି ପ୍ରଥମେ ପାଣି ସଂରକ୍ଷଣ କରିଛନ୍ତି । ସଂରକ୍ଷଣ ଜଳକୁ ଆଜି ପ୍ରଥମ ଥର ଘରକୁ ନେଇ ବ୍ୟବହାର କରିଛନ୍ତି ।

ଗ୍ରାମବାସୀ କହିଛନ୍ତି, ‘ଆଜିକୁ ୬ ଦିନ ଧରି ଗ୍ରାମବାସୀ ମିଳିମିଶି ଏଥିରେ ଶ୍ରମଦାନ କରିଛନ୍ତି । ଅଧା କାମ ସରିଛି । ବାକି କାମ ଆଉ ସପ୍ତାହେ ଭିତରେ ସାରିବାକୁ ଚେଷ୍ଟା ଚଳାଇଛୁ ।’ ଏ ନେଇ ବିଡିଓ ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ, ପାଣି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *