ଭୁବନେଶ୍ବର : ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ କଲେଜରେ ୯୦୮ ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି । ଆଜି ୬୩୯ ଜଣ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ବଳକା ଅଧ୍ୟାପକ ଖୁବଶୀଘ୍ର କାର୍ଯ୍ୟରେ ଯୋଗଦେବେ । ନବନିଯୁକ୍ତ ଅଧ୍ୟାପକଙ୍କ ପାଇଁ ଲୋକସେବା ଭବନର କନଭେନସନ ସେଣ୍ଟରରେ ଆଜି ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ନବନିଯୁକ୍ତ ଅଧ୍ୟାପକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୧୬ ମସିହାରୁ ରାଜ୍ୟ ସରକାର ୩୭୬୮ କଲେଜ ଅଧ୍ୟାପକଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତହିଁରୁ ୨୩୨୦ଜଣଙ୍କୁ ବିଭିନ୍ନ ଅନୁଦାନ ପ୍ରାପ୍ତ କଲେଜରେ ନିଯୁକ୍ତି ଦିଆଯାଇଛି । ଏହାସହ ବିଭିନ୍ନ ସରକାର କଲେଜ ଓ ଶିକ୍ଷକଙ୍କ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ୯୯୧ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସେହିପରି ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିର ବିଭିନ୍ନ ପାଠ୍ୟକ୍ରମରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ସହକାରୀ ପ୍ରଫେସରମାନଙ୍କୁ ମିଶାଇ ହଜାର ଜଣଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ । ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ କଲେଜଗୁଡ଼ିକରେ ସ୍ମାର୍ଟ ଶ୍ରେଣୀଗୃହକୁ ସାମିଲ କରାଯିବ । ଏହି ଅବସରରେ ୩ ଜଣ ଅଧ୍ୟାପକ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।
ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗ ସହିତ ଅନ୍ୟାନ୍ୟ ବିଭାଗଗୁଡ଼ିକରେ ନିଯୁକ୍ତି ଜାରି ରହିଛି । ୫-ଟି ଅଧୀନରେ ସ୍ବଚ୍ଛତାକୁ ବିଶେଷ ଗୁରୁତ୍ବ ଦିଆଯାଉଛି । ଏହାସହ ‘ମୋ କଲେଜ’ କାର୍ଯ୍ୟକ୍ରମ ଜରିଆରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ଉଦ୍ୟମ କରାଯାଉଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ, ରାଜ୍ୟରେ ବିକାଶ ଧାରା ତ୍ବରାନ୍ବିତ ହୋଇଥିବାରୁ ଅଧିକାଂଶ ସ୍ଥାନରେ ଆବଶ୍ୟକ ସୁବିଧା ସୁଯୋଗ ରହିଛି । ତେଣୁ ନବନିଯୁକ୍ତ ଅଧ୍ୟାପକମାନଙ୍କୁ କାର୍ଯ୍ୟକ୍ଷେତ୍ରରେ କୌଣସି ପ୍ରକାର ସମସ୍ୟା ହେବନାହିଁ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ ଯେ ସ୍ବଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ବ ଦେଇ ଆସୁଛନ୍ତି । ନିଯୁକ୍ତି ପାଇଁ ପ୍ରାଥୀଙ୍କ ଯୋଗ୍ୟତା, କାଉନସେଲିଂ ସହିତ ସ୍ବଚ୍ଛତାକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି । ପ୍ରାରମ୍ଭରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଧନ୍ୟବାଦ ଦେଇଥିଲେ ।
