ଭୁବନେଶ୍ୱର : ଏବେ ଠାରୁ ଗରମ ଅସ୍ତବ୍ୟସ୍ତ କଲାଣି । ଆସନ୍ତା ସପ୍ତାହ ବେଳକୁ ଛଟପଟ କରିବ । ତାତିରେ ସନ୍ତୁଳି ହୋଇଯିବେ ରାଜଧାନୀବାସୀ । ଆସନ୍ତା ୧୪ ରୁ ୧୯ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ । ପାରଦ ୪୦-୪୧ ଡିଗ୍ରୀ ସେଲସିୟସ୍ ରହିବ । ଏମିତି ପୂର୍ବାନୁମାନ କରିଛି ବିଦେଶୀ ପାଣିପାଗ ସଂସ୍ଥା ଆକ୍ୟୁୱେଦର । ଯଦି ଏମିତି ହୁଏ, ପୌର ଭୋଟରେ ସରଗରମ ହୋଇଥିବା ରାଜଧାନୀରେ ପ୍ରଚାରକୁ ଝାଇଁ ପକାଇଦେବ । ଏଭଳି ନିର୍ଦ୍ଦୟୀ ଖରାରେ ବୁଲିବୁଲି ପ୍ରଚାର କରିବାବେଳେ ନାକେଦମ ହୋଇଯିବେ ପ୍ରାର୍ଥୀ ଓ ସମର୍ଥକ ।
ଏହି ପୂର୍ବାନୁମାନ କହୁଛି, ୧୪ ତାରିଖ ବେଳକୁ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ୧୫ ତାରିଖରେ ଆଉ ୧ ଡିଗ୍ରୀ ବଢ଼ି ୪୧ ଡିଗ୍ରୀ ସେଲସିୟସ୍ ପାର୍ କରିବ । ୧୮ ତାରିଖ ଯାଏଁ ୪୧ ଡିଗ୍ରୀ ଲେଖାଏଁ ରହିବ । ୧୯ରେ ସାମାନ୍ୟ କମି ୪୦ ଡିଗ୍ରୀ ହେବ । ତା’ ପରେ ସପ୍ତାହେ ପର୍ଯ୍ୟନ୍ତ ପାରଦ ୩୭ ଡିଗ୍ରୀ ପାଖାପାଖି ରହିବ । ରବିବାର ଭୁବନେଶ୍ୱର ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସ୍ ଥିଲା । ଯାହାକି ଗତକାଲି ଠାରୁ ସାମାନ୍ୟ କମ୍ । ଏଭଳି ସ୍ଥିତି ଦିନେ ଦୁଇଦିନ ରହିବ । ୧୦ କିମ୍ବା ୧୧ ତାରିଖ ବେଳକୁ ଭୁବନେଶ୍ୱରରେ ପାରଦ ୩୮/୩୯ ଡିଗ୍ରୀ ଛୁଇଁଯିବ ।
