ଯାଜପୁର : ନିର୍ବାଚନ ହାୱା ଭିତରେ ବାଟବଣା ହୋଇଯାଇଛି ଧାନକିଣା । ନୂଆ ଟାର୍ଗେଟ ଆସୁନଥିବାରୁ ଅଘୋଷିତ ଭାବେ ମଣ୍ଡିରେ ଧାନକିଣା ବନ୍ଦ ହୋଇଯାଇଛି । ଚାଷୀ ବାପୁଡ଼ା ଧାନ ବିକିବାକୁ ମଣ୍ଡିକୁ ଯାଇ ନିରାଶ ହୋଇ ଫେରୁଛି । ଧାର୍ଯ୍ୟ ଠାରୁ ୨୦ ପ୍ରତିଶତ କମ୍ ଧାନ ଅଧିକାଂଶ ଚାଷୀ ବିକି ପାରିଥିବା ବେଳେ ଯାଜପୁର ଜିଲ୍ଲାର ପ୍ରାୟ ୧୧ ହଜାର ପଞ୍ଜିକୃତ ଚାଷୀ ମଣ୍ଡିରେ ଧାନ ବିକିବାରୁ ବଞ୍ଚିତ ହୋଇଛନ୍ତି । ଏଭଳି ସ୍ଥିତିରେ ଦଲାଲ ମାତିଛନ୍ତି। ଗାଁ ଗାଁରେ ପହଞ୍ଚି କମ୍ ଦରରେ ଚାଷୀଙ୍କ ଠାରୁ ଧାନ କିଣି ମିଲ୍ରେ ପହଞ୍ଚାଉଛନ୍ତି । ମିଲର୍ଙ୍କ ଗୋଦାମ ଭର୍ତ୍ତି ଥିବା ବେଳେ ସରକାରୀ ବ୍ୟବସ୍ଥା ଚାଷୀଙ୍କୁ କ୍ଷତି ପହଞ୍ଚାଉଛି ।
ଉଦାହରଣ ସ୍ବରୂପ ସୁକିନ୍ଦା ସମବାୟ ସମିତିରେ ୪୬୩ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ଏହି ସମବାୟ ସମିତିକୁ ୧୭୦୦୦ କୁଇଣ୍ଟାଲ ଧାନ କିଣିବାକୁ ଅନୁମତି ମିଳିଥିଲା । ପଞ୍ଜିକୃତ ୪୬୩ ଜଣ ଚାଷୀଙ୍କ ମଧ୍ୟରୁ ୩୪୩ ଜଣ ଚାଷୀଙ୍କ ୬୦ ପ୍ରତିଶତ ଧାନ ଉଠିଥିବା ବେଳେ ଅବଶିଷ୍ଟ ୧୨୦ ଜଣ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି । ଧାନକିଣା ଅବ୍ୟବସ୍ଥା ନେଇ ସୁକିନ୍ଦା ଅଞ୍ଚଳର ବହୁ ଚାଷୀ ଜିଲ୍ଲା ସମବାୟ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ । ପାଖାପାଖି ପନ୍ଦର ଦିନ ହେବ ସୁକିନ୍ଦା ସମବାୟ ସମିତିରେ ଧାନକିଣା ପାଇଁ ଟାର୍ଗେଟ ଆସିନଥିବା ଆଳ ଦେଖାଇ ଆଉ ଧାନ କିଣାଯାଉନି ।
ଜିଲ୍ଲାର ପ୍ରାୟ ସବୁ ମଣ୍ଡିରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି । ଧାନ ବିକି ପାରି ନଥିବା ପଞ୍ଜିକୃତ ଚାଷୀଙ୍କ ହିସାବ ଦେଖିଲେ ଆହୁରି ୨ ଲକ୍ଷ ୬୨ ହଜାର କ୍ବିଣ୍ଟାଲର ଟାର୍ଗେଟ ଦରକାର । ଖରିଫ ଧାନ କ୍ରୟ ଅବଧି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଛି । ହେଲେ ନିର୍ବାଚନୀ ହାୱା ଭିତରେ ଚାଷୀଙ୍କ ବଡ଼ ସମସ୍ୟାକୁ କେହି ଗୁରୁତ୍ବ ଦେଲେ ନାହିଁ । ଯୋଗାଣ ବିଭାଗ ସୂତ୍ରରୁ ଜଣାଯାଇଛି ଯେ ଧାନକିଣା ପାଇଁ ଆଉ ଟାର୍ଗେଟ ଆସିବାର ସମ୍ଭାବନା କମ୍ । ତେଣୁ ଟୋକନ୍ ପାଇ ମଣ୍ଡିରେ ଧାନ ବିକ୍ରି କରିପାରି ନଥିବା ଚାଷୀମାନେ କମ୍ ଦରରେ ଦଲାଲଙ୍କୁ ଧାନ ବିକିବାକୁ ବାଧ୍ୟ ।
