ଭୁବନେଶ୍ବର : ପୌର ନିର୍ବାଚନକୁ ନେଇ ଏବେ ରାଜ୍ୟର ପ୍ରମୁଖ ତିନି ଦଳର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି । ପୌରାଞ୍ଚଳ ଅଧ୍ୟକ୍ଷ ପଦରେ କାହାକୁ ବଛାଯିବ ସେନେଇ ଯେତିକି କସରତ କରିବାକୁ ପଡୁଛି ତା’ ଠାରୁ ଅଧିକ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଅଙ୍କକଷା ହେଉଛି । ଏହାରି ଭିତରେ କଂଗ୍ରେସ ପକ୍ଷରୁ ଭୁବନେଶ୍ବର ମେୟର ପ୍ରାର୍ଥିନୀ ଭାବେ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମନୋନୟନ କରାଯାଇଛି । ସନ୍ଧ୍ୟା ସୁଦ୍ଧା ବିଜେପି ଓ ବିଜେଡ଼ି ପକ୍ଷରୁ ଭୁବନେଶ୍ବର ପାଇଁ ପ୍ରାର୍ଥୀ କିଏ ହେବ ତାହାର ଅଙ୍କ ଛିଣ୍ଡିନାହିଁ । ଆସନ୍ତାକାଲି ସୁଦ୍ଧା ସବୁ ମହାନଗର ନିଗମ ଲାଗି ପ୍ରାର୍ଥୀ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ୨ ତାରିଖରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଶୁକ୍ରବାର ସୁଦ୍ଧା ରାଜ୍ୟରେ ବିଭିନ୍ନ ପୌରାଞ୍ଚଳ ଅଧ୍ୟକ୍ଷ ଓ ମେୟର ପାଇଁ ୨୮ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ, କାଉନସିଲର ଓ କର୍ପୋରେଟର ପାଇଁ ୧୪୫ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତକାଲି ସୁଦ୍ଧା ପୌରାଧ୍ୟକ୍ଷ ଓ ମେୟର ପାଇଁ ୧୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ, ୧୯ ଜଣ କାଉନସିଲର ଓ କର୍ପୋରେଟର ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ମନୋନୟନ ଯେତିକି ବିଳମ୍ବ ହେଉଛି ତାକୁ ନେଇ ନାମାଙ୍କନପତ୍ର ଦାଖଲ ସେତିକି ମନ୍ଥର ଗତିରେ ଚାଲିଛି । ବିଜେଡି ଓ ବିଜେପି ଏପର୍ଯ୍ୟନ୍ତ ନିଜର ମେୟର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଶାସକ ବିଜେଡିରେ ଯେଉଁ ସମ୍ଭାବ୍ୟ ନାଁ ଚର୍ଚ୍ଚାକୁ ଆସୁଛି ସେଥିରେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, କାଦମ୍ବିନୀ ପତ୍ରିକାର ସମ୍ପାଦକ ଇତି ସାମନ୍ତଙ୍କ ନାଁ ଆଗରେ ରହିଥିବା ବେଳେ, ବିଜେପିର ଭୁବନେଶ୍ବର ମେୟର ମନୋନୟନ ଦାୟିତ୍ବ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହାତରେ ରହିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସୂଚନା ଅନୁଯାୟୀ ପୌରାଧ୍ୟକ୍ଷ ଓ ମେୟର ପ୍ରାର୍ଥୀ କିଏ ହେବ ତାହା ଦଳ ପକ୍ଷରୁ ବିଚାର ବିମର୍ଶ ଚାଲିଛି । ଦଳ ଯାହାକୁ ମନୋନୟନ କରିବ ତାକୁ ଟିକଟ ମିଳିବ । ତେବେ ଆସନ୍ତାକାଲି ସୁଦ୍ଧା ଏହି ପ୍ରକ୍ରିୟା ଚୂଡାନ୍ତ ହେବ । ଚଳିତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ । ଜନସାଧାରଣଙ୍କ ଯେଉଁ ଆଶା ଭରସା ରହିଛି ତାକୁ ପାଥେୟ କରି ନିର୍ବାଚନ ଲଢ଼ିବୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ପୌର ନିର୍ବାଚନରେ ଦଳ ସ୍ଥାନୀୟ ସମସ୍ୟାକୁ ବିଶେଷ ଭାବେ ପ୍ରାଧାନ୍ୟ ଦେବ । ପଞ୍ଚାୟତ ନିର୍ବାଚନରେ ଗ୍ରାମାଞ୍ଚଳ ଲୋକଙ୍କ ମତ ରହୁଥିବାବେଳେ ପୌର ନିର୍ବାଚନରେ ସହରାଞ୍ଚଳରେ ଲୋକେ ମତଦାନ କରିବେ । ପଞ୍ଚାୟତ ନିର୍ବାଚନ ଅପେକ୍ଷା ଏହି ନିର୍ବାଚନ ମଧ୍ୟରେ ତାରତମ୍ୟ ରହିଛି । କଂଗ୍ରେସ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ । ଅନ୍ୟପକ୍ଷରେ ବିଜେଡ଼ିର ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ଅପେକ୍ଷା ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ । ବିଜେଡ଼ି ପ୍ରତି ରାଜ୍ୟବାସୀଙ୍କ ଅକୁଣ୍ଠ ସମର୍ଥନ ରହିଛି । ତାହା ନିକଟରେ ପଞ୍ଚାୟତ ନିର୍ବାଚନରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ରାଜ୍ୟ ସରକାର ସହରାଞ୍ଚଳର ଉନ୍ନତି ପାଇଁ ବହୁବିଧ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ତାହାର ସୁଫଳ ପୌରବାସୀ ପାଉଛନ୍ତି । ନିଶ୍ଚିତ ଭାବେ ଏହା ପୌର ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ଶ୍ରୀ ଦେବ କହିଛନ୍ତି ।
