ଦେଓଗାଁ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁଗୁଡ଼ିକରେ ଜମୁଥିଲା କ୍ରିକେଟ ଫୁଟବଲ ପ୍ରତିଯୋଗିତା । ସରପଞ୍ଚ ଓ ସମିତି ସଭ୍ୟ ପଦବିରେ ଛିଡ଼ା ହୋଇଥିବା ନେତା ଅତିଥି ଭାବେ ଯାଇ ଭୋଟ ପାଇଁ ଦେଉଥିଲେ ପୁରସ୍କାର ରାଶି । ହେଲେ କ୍ରିକେଟ କମିଟିକୁ ଭୋଟ ପୂର୍ବରୁ ଦେଇଥିବା ଟଙ୍କା ମାଗି ଜଣେ ହାରିଥିବା ସରପଞ୍ଚ ପ୍ରାର୍ଥୀଙ୍କ ସ୍ବାମୀ ହଟହଟା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ଉପରଝର ପଞ୍ଚାୟତର ବୋଲି ଜଣାପଡ଼ିଛି । ଏହି ପଞ୍ଚାୟତର ପୂର୍ବ ସରପଞ୍ଚ ରାଜୀବ ପଟେଲଙ୍କ ସ୍ତ୍ରୀ କମଳିନୀ ପଟେଲ ଏଥର ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ । ସେ ନୂଆଁପାଲି ଗାଁର ଯଶୋବନ୍ତୀ ନାଏକଙ୍କ ଠାରୁ ମାତ୍ର ୧୬ଟି ଭୋଟରେ ପରାସ୍ତ ହୋଇଥିଲେ । ଭୋଟ ପୂର୍ବରୁ ଅତିଥି ଭାବେ ଡାକିଥିବା ନୂଆଁପାଲି କ୍ରିକେଟ ପ୍ରତିଯୋଗିତାକୁ ଯାଇ ୫ ହଜାର ଟଙ୍କା ଦେଇଥିଲେ । କମିଟିର କର୍ମକର୍ତ୍ତାମାନେ ଚୁକ୍ତି କରିଥିଲେ ଯେ ତାଙ୍କ ଭୋଟ ରାଜୀବ ପଟେଲଙ୍କ ସ୍ତ୍ରୀ ତଥା ଉପରଝର ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ପଟେଲଙ୍କୁ ଦେବେ । ହେଲେ ନିର୍ବାଚନରେ ପରାସ୍ତ ହେବା ପରେ କ୍ରିକେଟ କମିଟିର ସଭ୍ୟମାନେ ତାଙ୍କ ସ୍ତ୍ରୀଙ୍କୁ ଭୋଟ ଦେଇନାହାନ୍ତି ବୋଲି କହି ସେମାନଙ୍କ ପାଖକୁ ଯାଇ ଦେଇଥିବା ଟଙ୍କା ମାଗୁଛନ୍ତି ରାଜୀବ ପଟେଲ । ଫଳରେ କ୍ରିକେଟ କମିଟିର ସଦସ୍ୟମାନେ ୫ହଜାର ବଦଳରେ ୫ହଜାର ୧ଶହ ଟଙ୍କା ଫେରାଇଥିବା ଜଣାପଡ଼ିଛି ।
ଏନେଇ ପୂର୍ବ ସରପଞ୍ଚ ଶ୍ରୀ ପଟେଲ କହିଥିଲେ ଯେ ନୂଆଁପାଲି ଗାଁର ଯୁବକମାନେ ତାଙ୍କ ପାଖକୁ ଆସି ଶ୍ରୀମତୀ ପଟେଲଙ୍କୁ ନିର୍ବାଚନ ବେଳେ ସାହାଯ୍ୟ କରିବେ କହି ୫ ହଜାର ଟଙ୍କା ମାଗି ନେଇଥିଲେ । କିନ୍ତୁ ସେ ତାଙ୍କ ଗାଁ ପଟକୁ କୌଣସି କାମରେ ଯିବାରୁ ସେମାନେ ତାଙ୍କୁ ଟଙ୍କା ଫେରାଇଦେଇ ଭିଡ଼ିଓ ଭାଇରାଲ କରିଛନ୍ତି ବୋଲି କହିଛନ୍ତି । ଏ ନେଇ କ୍ରିକେଟ କମିଟିର କର୍ମକର୍ତ୍ତାମାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା । ସୂଚନାଯୋଗ୍ୟ ଯେ ଦେଓଗାଁ ବ୍ଲକ୍ରେ ପଞ୍ଚାୟତ ନିର୍ବାଚନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏବେ ପରାଜିତ ପ୍ରାର୍ଥୀମାନେ ଗାଁ ଗାଁ ଯାଇ ନିର୍ବାଚନ ପୂର୍ବରୁ ବାଣ୍ଟିଥିବା ଟଙ୍କା ମାଗୁଥିବାରୁ କେଉଁ ପ୍ରାର୍ଥୀ କେଉଁ ଗାଁରେ କେତେ ଟଙ୍କା ବାଣ୍ଟିଛନ୍ତି ତାକୁ ନେଇ ଚର୍ଚ୍ଚାର ଜୋର୍ ଧରିଛି । କେବଳ ଉପରଝର ପଞ୍ଚାୟତର କଥା ନୁହେଁ, ବ୍ଲକ୍ର ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ବାଚନରେ ପରାଜିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ଯୁବକମାନଙ୍କୁ ଲଗାଇ ଟଙ୍କା ଫେରସ୍ତ ମାଗୁଥିବାର ଖବର ଆସୁଛି । ଏଣୁ ଏ ଟଙ୍କାମଗା ଆଗକୁ ହିଂସାରେ ପରିଣତ ହେବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
