ଜୟପୁର : ସାହିରେ ଡ୍ରେନ ଓ ରାସ୍ତା ଏକାକାର ହୋଇଗଲାଣି । ମାଟିରେ ପୋତି ହୋଇ ଗଲାଣି । କେବଳ ନାମକୁ ମାତ୍ର ଡ୍ରେନଜ କରାଯାଇଥିବା ବେଳେ ପାଣି ନୁହେଁ ବାଲି ହିଁ ରହିଛି । ଏଥିସହ କେତେକ ସ୍ଥାନରେ ଡ୍ରେନ ଉପରେ ପଡିଥିବା ପ୍ଲେଟ ଭାଙ୍ଗି ପଡିଥତିବା ବେଳେ, ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି । ନଳକୂପ ଭାଙ୍ଗି ବର୍ଷ ବର୍ଷ ହୋଇଗଲାଣି କିନ୍ତୁ ତାହାରେ ମରାମତି ହୋଇପାରୁ ନାହିଁ । ଯମୁନାଗୁଡାରେ ପାଣି ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜୟପୁର ପୌରପାଳିକା ଅନ୍ତର୍ଗତ ୪ ନମ୍ବର ୱାର୍ଡରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ, ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ନେଇ ସାହିବାସୀନ୍ଦା କହିଛନ୍ତି । ଜୟପୁର ପୌରପାଳିକାର ୪ ନମ୍ବର ୱାର୍ଡରେ ରହିଛି ଇରିଗେସନ କଲୋନି ସମେତ ଅନ୍ୟାନ ସାହି ରହିଛି । ଏହି ୱାର୍ଡରେ ୨୦୨୧ ମସିହା ଜନଗଣନା ଅନୁଯାୟୀ ୪୬୩୩ ଜଣ ଥିବା ବେଳେ, ତାହା ବର୍ତ୍ତମାନ ବୃଦ୍ଧି ପାଇଛି । ସେଥିରେ ୨୩୦୦ ଜଣ ପୁରୁଷ ରହିଥିବା ବେଳେ, ୨୩୩୩ ଜଣ ମହିଳା ରହିଛନ୍ତି । ୱାର୍ଡରେ ଭୋଟର ସଂଖ୍ୟା ୨୬୭୨ ଜଣ ରହିଛିନ୍ତି । ସହରରର ମଧ୍ୟ ଭାଗରେ ଏହି ୱାର୍ଡଟି ରହିଥିବା ବେଳେ ଗୋଟିଏ ପଟେ ଜାତୀୟ ରାଜପଥ ଅନ୍ୟ ପଟେ ବାଇପାସ୍ ରାସ୍ତା ରହିଛି । ଜଳସେଚନ ବିଭାଗର ବହୁ ବାସଗୃହ ରହିଥିବା ବେଳେ ତାହାର ନିକଟରେ କେତେକ ବସ୍ତି ମଧ୍ୟ ରହିଛି । ଏଥିସହ ବହୁ ଶିକ୍ଷିତ ଓ ଚାକିରି କରୁଥିବା ଲୋକ ମଧ୍ୟ ବସବାସ କରୁଛନ୍ତି । କିନ୍ତୁ ସେହି ୱାର୍ଡକୁ ଦେଖିଲେ ଡ୍ରେନଜ ଠାରୁ ଆରମ୍ଭ କରି ପାଣି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହେଉନାହିଁ । ସରକାରଙ୍କ ଯୋଜନା ଏହି ୱାର୍ଡରେ କାମ ହୋଇପାରୁ ନଥିବା ନେଇ ସାହିବାସୀନ୍ଦା ଦାବି କରିଛନ୍ତି । ରାମଚନ୍ଦ୍ର ନାୟକଙ୍କ କହିବାନୁଯାୟୀ, ଯମୁନାଗୁଡାରେ ଦୁଇଟି ନଳକୂପ ରହିଥିବା ବେଳେ ଗୋଟିଏ ନଳକୂପ ଭାଙ୍ଗି ପଡିଛି । ଦୁଇ ବର୍ଷ ହେଲାଣି ନଳକୂପ ତିଆରି ପାଇଁ ସାହି ଲୋକ ଦାବି କରୁଥିବା ବେଳେ ତାହା ତିଆରି ହୋଇପାରୁ ବୋଲି କହିଛନ୍ତି । ଗୋଟିଏ ନଳକୂପରୁ ହିଁ ଲୋକେ ପାଣି ଆଣୁଛନ୍ତି, ସେଠାରେ ପାଣି ପାଇଁ ଭିଡ ଜମୁଛି । ଅନୀତା ଖରାଙ୍କ କହିବାନୁଯାୟୀ, ପିଏଚ୍ଡି ପକ୍ଷରୁ ଘର ଘରକୁ ପାଇପ୍ ଲାଇନ୍ ବିଛା ଯାଇଛି । ସେଥିରେ କେବେ ପାଣି ଆସୁଛି ତାହାର କିଛି ଠିକଣା ନାହିଁ । ଯେଉଁ ପାଣି ଆସୁଛି ତାହା ଦୁର୍ଗନ୍ଧ ହେଉଥିବାରୁ ପିଇବା ପାଇଁ ବ୍ୟବହାର କରି ହେଉନାହିଁ । ନଳକୂପରୁ ପିଇବା ପାଣି ଆଣୁଥିବା ସେ କହିଛନ୍ତି । ଚନ୍ଦ୍ରମା ମହାନ୍ତିଙ୍କ କହିବାନୁଯାୟୀ, ଗତ ଏକ ବର୍ଷ ହେଲାଣି ସାହିରେ ଅଙ୍ଗନବାଡି ଗୃହ ନିର୍ମାଣ ହୋଇଛି, କିନ୍ତୁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ କି ପିଲାମାନେ ସେଠାକୁ ଯାଇପାରୁ ନାହାନ୍ତି । ଏଥିସହ ଦୁଇ ବର୍ଷ ହେଲାଣି ସାହିରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଛି, ସେଥିରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ରହିଛି ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ବର୍ଷ ବର୍ଷ ଧରି ଶୌଚାଳୟରେ ତାଲା ଝୁଲି ରହିଛି ବୋଲି କହିଛନ୍ତି । ଟନିକ୍ ବାଘଙ୍କ କହିବାନୁଯାୟୀ, ସହରସାରା ବଷାର୍ଦିନେ ଜଳ ପରିଚଳାନା ପାଇଁ ବ୍ୟବସ୍ଥା ଥିବାବେଳେ ଝୋପଡି ସାହିରେ ସେପରି କିଛି ନାହିଁ । ଘର ଠାରୁ ରାସ୍ତା ଉଚ୍ଚା ହୋଇଯାଇଥିବା ବେଳେ, ବଷାର୍ଦିନେ ଘରେ ପାଣି ପଶୁଛି । ଏନେଇ ପୌରପାଳିକାକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଟେଣ୍ଡର ହୋଇଛି ଡ୍ରେନ ନିର୍ମାଣ ହୋଇଯିବ ବୋଲି ପ୍ରତିଶୃତି ମିଳୁଛି, କିନ୍ତୁ ଡ୍ରେନ ନିର୍ମାଣ ହୋଇପାରୁ ନାହିଁ । ଏଥିସହ ସାହିବାସୀନ୍ଦାକୁ ପକ୍କା ଘର ମିଳିପାରୁ ନଥିବା ବେଳେ ସମସ୍ତେ ଆଜବେଷ୍ଟ ଘରେ ରହୁଛନ୍ତି । ସାହିରେ କେତେକ କୋଠା ଅବ୍ୟବହୃତ ହୋଇ ରହିଥିବା ବେଳେ ଅସାମାଜିକ ଆଡ୍ଡା କରୁଛନ୍ତି । ଆଲୋକୀକରଣ ବ୍ୟବସ୍ଥା ନଥିବା ବେଳେ ଅନ୍ଧକାର ସୁଯୋଗ ନେଇ ଅପରାଧିକ ବ୍ୟକ୍ତି ଆଡ୍ଡା ଜମୁଛି । ଏନେଇ ସାହିରେ ଷ୍ଟ୍ରିଟ ଲାଇଟ୍ ଲଗାଇବା ପାଇଁ ସାହି ବାସୀନ୍ଦା କହିଛନ୍ତି ।
