୩ ସାନ୍ତାନ ପ୍ରମାଣ ଧରି ନିଲ୍ଲାପାଳଙ୍କୁ ଫେରାଦ

ସୁନ୍ଦରଗଡ଼ : କୁତ୍ରା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସୀତା ମିଞ୍ଜଙ୍କ ୩ଟି ସନ୍ତାନ ଥିବା ଅଭିଯୋଗ ହୋଇଛି । ଏସମ୍ପର୍କିତ ପ୍ରମାଣ ସହ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି ପଞ୍ଚାୟତର ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ପରାଜିତ ପ୍ରାର୍ଥୀ ପ୍ରୀତି ଲାକ୍ରା । ତୁରନ୍ତ ସୀତା ମିଞ୍ଜଙ୍କୁ ସରପଞ୍ଚ ପଦବିରୁ ଅଯୋଗ୍ୟ ଘୋଷଣା ସହ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ନିର୍ବାଚନ କମିସନଙ୍କ ମାର୍ଗଦର୍ଶିକା ଅନୁଯାୟୀ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି । ପ୍ରାର୍ଥୀପତ୍ର ଯାଞ୍ଚ ବେଳେ ଆବଶ୍ୟକ ପ୍ରମାଣ ଯୋଗାଡ଼ କରିପାରୁ ନଥିବାରୁ ପ୍ରୀତି ସେ ସମୟରେ ଆପତ୍ତି ଉଠାଇ ନଥିଲେ ବୋଲି ପ୍ରକାଶ କରିଛନ୍ତି। ପ୍ରୀତିଙ୍କ ଅଭିଯୋଗ ଅନୁସାରେ, ନୂଆଗାଁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ସୀତା ମିଞ୍ଜ, ପ୍ରୀତି ଲାକ୍ରା, ସୁଜାତା ଖେସ, ପୂର୍ଣ୍ଣିମା ମାଝୀ, ପ୍ରତିମା କେର୍କେଟା, ଗୀତା ଲାକ୍ରା, ମଞ୍ଜୁ ମିଞ୍ଜ, ପ୍ରେମୀଅଶ୍ବାନ୍ତି ଡୁଙ୍ଗଡୁଙ୍ଗ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ଗଇରବାହାଲ ଗାଁର ରମେଶ ମିଞ୍ଜଙ୍କ ପତ୍ନୀ ସୀତା ମିଞ୍ଜଙ୍କ ୩ଟି ସନ୍ତାନ ଥିଲେ ମଧ୍ୟ ସେ ମିଥ୍ୟା ସତ୍ୟପାଠ ଦେଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେତେବେଳେ ଏ ସମ୍ପର୍କରେ ଜଣାପଡ଼ିଥିଲେ ମଧ୍ୟ ଆବଶ୍ୟକ ପ୍ରମାଣପତ୍ର ନଥିବାରୁ ପ୍ରୀତି ଚୁପ୍ ରହିଥିଲେ । ଏବେ ପ୍ରମାଣପତ୍ର ପାଇବା ପରେ ସେ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ସୀତାଙ୍କ ଦୁଇଟି  ଝିଅ ଓ ଗୋଟିଏ ପୁଅ ଅଛନ୍ତି ।  ଜଣେ ୨.୬.୧୯୯୪ ରେ ଜନ୍ମ ନେଇଥିବା ବେଳେ, ଜଣେ ୩.୧୦.୧୯୯୮ ଓ ଆଉ ଜଣେ ୯.୨.୨୦୦୩ ରେ ଜନ୍ମ ନେଇଥିବା ପ୍ରୀତି ଅଭିଯୋଗ କରିବା ସହ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରଦତ୍ତ ତିନି ସନ୍ତାନଙ୍କ ଜନ୍ମ ପ୍ରମାଣପତ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରର ଜନ୍ମପଞ୍ଜିକା ବିବରଣୀପତ୍ର ଦାଖଲ କରିଛନ୍ତି । ଏ ସମ୍ପର୍କରେ ସୀତା ମିଞ୍ଜଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।  ମାମଲାଟି ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *