ବାଲେଶ୍ୱର : ସହରର ନୂଆବଜାର ଠାରେ ରାସ୍ତାରେ ପରିବା ବେପାରୀଙ୍କ ଭିଡ଼ ଲାଗିରହୁଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ନୂତନ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଫଳରେ ବେପାରୀ ଉପକୃତ ହେବା ସହ ରାସ୍ତାଘାଟ ଜାମ ରହିବ ନାହିଁ କି ଲୋକଙ୍କୁ ଆଉ ଘଣ୍ଟାଘଣ୍ଟା ରାସ୍ତାରେ ଅଟକିବାକୁ ପଡ଼ିବ ନାହିଁ । ବୋଲି କୁହାଗଲା । ଏଥିପାଇଁ ୮୦ ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ମଣ୍ଡି ନିର୍ମାଣ କରାଗଲା । କିନ୍ତୁ ଆଜିଯାଏ ତାହା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିଲାନାହିଁ ।ସକାଳ ହେଲେ ତଟକା ପନିପରିବା କିଣିବା ପାଇଁ ଲୋକ ନୂଆବଜାର ଆସନ୍ତି । ସେଥିପାଇଁ ସବୁ ସମୟରେ ଏଠାରେ ଭିଡ଼ ରହିଥାଏ । ଏହି ରାସ୍ତାଟି ସହରକୁ ପ୍ରବେଶ ଦ୍ବାର ହୋଇଥିବାରୁ ପ୍ରତିଦିନ ୫ ହଜାରୁ ଊର୍ଦ୍ଧ୍ବ ଲୋକ ଯିବାଆସିବା କରିଥାଆନ୍ତି । ତେଣୁ ଅଧିକାଂଶ ସମୟରେ ରାସ୍ତା ଜାମ୍ ହୋଇ ଘଣ୍ଟାଘଣ୍ଟା ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି । ଏ ହେଉଛି ନିତିଦିନିଆ ଘଟଣା । ତେଣୁ ଏହାକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ଏକ ମାଷ୍ଟର ପ୍ଲାନ୍ କରାଯାଇଥିଲା । ନୂଆବଜାରରେ ଥିବା ବହୁଦିନର ପୁରୁଣାମଣ୍ଡିକୁ ଭଙ୍ଗାଯାଇ ନୂତନ ମଣ୍ଡି ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ମଣ୍ଡି ଭାଙ୍ଗିବା ପୂର୍ବରୁ ସେଠାରେ ଥିବା ବ୍ୟବସାୟୀ ମହାସଂଘ ଏବଂ ପୌରପାଳିକା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେଠାରେ ନୂତନ ମଣ୍ଡି ନିର୍ମାଣ କରାଯାଇ ଅଧିକ ସଂଖ୍ୟକ ବେପାରୀ ବେପାର କରିବା ପାଇଁ ସୁବିଧା କରିବା ସହ ଜବରଦଖଲ ଉଚ୍ଛେଦ, ଗାଡ଼ି ପାର୍କିଂ, ଶୌଚାଳୟ ଏବଂ ରାସ୍ତାରେ ବସୁଥିବା ପରିବା ବିକାଳିଙ୍କୁ ଉଚ୍ଛେଦ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ପୌରପାଳିକା ପକ୍ଷରୁ ପଦକ୍ଷେପ ନେବା ସହ ଏହି ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ସହାସଂଘକୁ ପ୍ରତିଶ୍ରୁତି ଦିଆଯାଇଥିଲା ।

ପରେ ସର୍ବସମ୍ମତି କ୍ରମେ ସେଠାରେ ସମସ୍ତ ପୁରୁଣା ମଣ୍ଡିକୁ ଭଙ୍ଗାଯାଇ ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ମଣ୍ଡି ପାଇଁ ଏକ ପ୍ରକଳ୍ପ ନିର୍ମାଣ କରାଗଲା । ଉକ୍ତ ପ୍ରକଳ୍ପକୁ ବିଧାୟକ ସ୍ବରୂପ ଦାସ ଉଦ୍ଘାଟନ କରିଥିଲେ । ପରେ କାମ ଆରମ୍ଭ ହୋଇ ଶେଷ ବି ହେଲା । ଏହା ପରେ ସମସ୍ତ ପୁରୁଣା ମଣ୍ଡିକୁ ଉଚ୍ଛେଦ କରାଯାଇ ୧୪ଟି ନୂତନ ମଣ୍ଡି ନିର୍ମାଣ କରାଗଲା । ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଏହି ମଣ୍ଡି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନାହିଁ । ଉଦ୍ଘାଟନ ପରେ ପୌରପାଳିକା ପକ୍ଷରୁ ଏହି ନୂତନ ମଣ୍ଡିକୁ ବ୍ୟବସାୟୀ ମହାସଂଘକୁ ଦାୟିତ୍ବ ଦିଆଗଲା । ମଣ୍ଡିରେ କିଏ କେଉଁଠି ବସିବେ ତାହା ମହାସଂଘ ନିଷ୍ପତ୍ତି ନେବ । କିନ୍ତୁ ବର୍ତ୍ତମାନ ପାଖାପାଖି ୩୦୦ ରୁ ଊର୍ଦ୍ଧ୍ବ ବେପାରୀ ଥିବାବେଳେ ବର୍ତ୍ତମାନ ୧୪୮ଟି ମଣ୍ଡି ନିର୍ମାଣ ହୋଇଛି । ଯାହାଫଳରେ ଏନେଇ ଭାଗବଣ୍ଟା ଛିଣ୍ଡିପାରୁନି । ପୂର୍ବରୁ ଯେମିତି ବେପାରୀ ରାସ୍ତା ଉପରେ ବସୁଥିଲେ, ଏବେ ସେମିତି ବସୁଛନ୍ତି । ଦୀର୍ଘ ଦିନର ସମସ୍ୟା ଦୂର ହୋଇପାରୁନାହିଁ । ଏ ସଂପର୍କରେ ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ଶୁଭେନ୍ଦୁ ଦାସଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ପୁରୁଣା ମଣ୍ଡି ଭାଙ୍ଗିବା ପୂର୍ବରୁ ପୌରପାଳିକା କର୍ତ୍ତୃପକ୍ଷ ମହାସଂଘକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ କରିପାରିନାହାନ୍ତି । ବର୍ତ୍ତମାନ ପାର୍କିଂ ବ୍ୟବସ୍ଥା କରାଯାଇନାହିଁ । ରାସ୍ତା ଉପରେ ବିଭିନ୍ନ ଅଞ୍ଚଳରୁ ଆସି ବସୁଥିବା ଛୋଟ ବ୍ୟବସାୟୀଙ୍କ ପାଇଁ ବର୍ତ୍ତମାନ ଜାଗା ଚିହ୍ନଟ କରାଯାଇପାରିନାହିଁ । ଯାହା ଫଳରେ ସେମାନେ ରାସ୍ତା ଉପରେ ବସି ବିକ୍ରି କରୁଛନ୍ତି । ଯିବା ଆସିବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ ପାଟିଲ ଈଶ୍ବର ପାଟିଲଙ୍କୁ ଯୋଗାଯୋଗ କରିବାରୁ ବ୍ୟବସାୟୀ ସଂଘକୁ ମଣ୍ଡି ଦାୟିତ୍ବ ହସ୍ତାନ୍ତର କରାଯାଇନାହିଁ ବୋଲି କହିବା ସହ ରାସ୍ତାରେ ବସୁଥିବା ବେପାରୀଙ୍କୁ ମଣ୍ଡିରେ ବସାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ସହରବାସୀ ଓ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
