କୋଣାର୍କ : ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ କୋଣାର୍କ ସ୍ଥିତ ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମିରେ ଗତ ଡିସେମ୍ବର ୧୫ ରୁ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି । ଏହା ଆସନ୍ତା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଇକୋ ରିଟ୍ରିଟ୍ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ । ଏଥିପାଇଁ ପାଖାପାଖି ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଖର୍ଚ୍ଚ ଟଙ୍କା ଭରଣା ହେବା ନେଇ ଆଶଙ୍କା ଉପୁଜିଛି । ପର୍ଯ୍ୟଟନ ବିଭାଗ ଇକୋ ରିଟ୍ରିଟ୍କୁ ଏକ ଲାଭଜନକ ବ୍ୟବସାୟ କହୁଥିବାବେଳେ, ଗଣମାଧ୍ୟମକୁ ଏ ସଂକ୍ରାନ୍ତରେ କୌଣସି ତଥ୍ୟ ଦିଆଯାଉ ନାହିଁ । ବିଭିନ୍ନ ସମୟରେ କଟେଜ ଖାଲି ପଡୁଥିବାବେଳେ ବ୍ୟବସାୟ ସମ୍ପର୍କରେ ସୂଚନା ମିଳିପାରୁନାହିଁ । ସେହିପରି ଅବ୍ୟବସ୍ଥା ଯୋଗୁଁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚଳିତ ବର୍ଷ ଉତ୍ସବସ୍ଥଳରେ ମିଳୁଥିବା ଖାଦ୍ୟର ମାନ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ପର୍ଯ୍ୟଟକ ମହଲରେ ଅସନ୍ତୋଷ ବଢ଼଼ିବାରେ ଲାଗିଛି । ଇକୋ ରିଟ୍ରିଟ୍ ପରିଚାଳନାକୁ ପର୍ଯ୍ୟଟନ ବିଭାଗ ଏକ ଅଣଓଡ଼ିଆ ସଂସ୍ଥାକୁ ଟେକି ଦେଇଥିବାବେଳେ ଏହି ସଂସ୍ଥା ବେଫିକର ଭାବେ କାର୍ଯ୍ୟ କରୁଛି । ପର୍ଯ୍ୟଟକଙ୍କ ରାତ୍ରି ରହଣି ପାଇଁ ତମ୍ବୁ ଗୃହ ନିର୍ମାଣ କରାଯାଇଛି । ଉକ୍ତ ଗୃହରେ ପଞ୍ଚତାରକା ହୋଟେଲ ଭଳି ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ରହିଥିବାବେଳେ, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ରାତ୍ରି ରହଣି ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ସଂସ୍ଥା ସଠିକ୍ ଭାବେ ଇକୋ ରିଟ୍ରିଟ୍ ପରିଚାଳନା କରୁନଥିବା ଯୋଗୁଁ ଅସନ୍ତୋଷ ବଢ଼଼ିବାରେ ଲାଗିଛି । ପୂର୍ବରୁ ଇକୋ ରିଟ୍ରିଟ୍ରେ ମେ ଫାୟାର, ସ୍ୱସ୍ତି ପ୍ରିମିୟମ ଭଳି ବଡ଼ ବଡ଼ ପଞ୍ଚତାରକା ହୋଟେଲକୁ ଖାଦ୍ୟ ଯୋଗାଇବା ଲାଗି ଦାୟିତ୍ୱ ଦିଆଯାଇଥିଲା । ମାତ୍ର ଚଳିତ ବର୍ଷ ଦାୟିତ୍ୱ ନେଇଥିବା ସଂସ୍ଥା ନିଜେ ଖାଦ୍ୟ ପ୍ରସ୍ତୁତ କରୁଛି । ହେଲେ ଖାଦ୍ୟର ମାନକୁ ନେଇ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅପରପକ୍ଷେ ବନ୍ୟଜନ୍ତୁଙ୍କ ରହଣିସ୍ଥଳ ଓ ବିରଳ ଅଲିଭ୍ ରିଡ଼ଲେ କଇଁଛ ଅଣ୍ଡାଦାନ ସ୍ଥାନରେ ଏହି ଇକୋ ରିଟ୍ରିଟ୍ ଆୟୋଜନ କରାଯାଇଥିବା ଯୋଗୁଁ ପରିବେଶପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ଦୃଷ୍ଟି ନଦେଇ ପର୍ଯ୍ୟଟନ ବିଭାଗ ଏହି ଉତ୍ସବ ଆୟୋଜନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।
ସଞ୍ଚାର ମାଧ୍ୟମରେ କଟେଜ୍ ବୁକିଂ ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କେଉଁଦିନ କେତେ ବୁକିଂ କରାଯାଉଛି ଓ ପର୍ଯ୍ୟଟନ ବିଭାଗ କେତେ ପରିମାଣର ରାଜସ୍ବ ସଂଗ୍ରହ କରୁଛି ତା’ର ହିସାବ ମିଳୁନି । କେତେ ପର୍ଯ୍ୟଟକ ଇକୋ ରିଟ୍ରିଟ୍ ପରିଦର୍ଶନ କରିବାକୁ ଯାଉଛନ୍ତି କିମ୍ବା ରାତ୍ରି ରହଣି କରୁଛନ୍ତି ସେ ସମ୍ପର୍କରେ ବିଭାଗ ଠିକଣା ତଥ୍ୟ ଦେଉନାହିଁ । ଇକୋ ରିଟ୍ରିଟ୍ କ୍ଷତିରେ ଚାଲୁଥିବା ଚର୍ଚ୍ଚା ଜୋର୍ ଧରିଛି । ଏ ସମ୍ପର୍କରେ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ପ୍ରତିକ୍ରିୟା ରଖିନଥିଲେ । ଅନ୍ୟପକ୍ଷରେ ବନ ବିଭାଗ ଅଧିକାରୀ ବେଣୁଧର ବେହେରା କହିଛନ୍ତି, ଉତ୍ସବ ଆୟୋଜନ ଯୋଗୁଁ କଇଁଛ ଅଣ୍ଡାଦାନରେ ବାଧକ ହେଉଛି ।
