ଆଦିବାସୀ ମହିଳାଙ୍କ ନାମରେ ବ୍ୟାଙ୍କ ଋଣ ଉଠାଣ ହୋଇଥିବା ନେଇ ଥାନାରେ ଅଭିଯୋଗ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ମଙ୍ଗକରାଜପୁର ପଞ୍ଚାୟତର ଆଦିବାସୀ ବହୁଳ ଆମ୍ବିଳିଝରୀ ଗ୍ରାମରେ ଚଞ୍ଚକତା କରି ଆଦିବାସୀ ମହିଳାଙ୍କ ନାମରେ ବ୍ୟାଙ୍କ ଋଣ ଉଠାଣ ହୋଇଥିବା ନେଇ ଚୌଦ୍ୱାର ଥାନାରେ ସୋମବାର ଦିନ ଅଭିଯୋଗ ହୋଇଛି । ଗ୍ରାମର ବହୁସଂଖ୍ୟରେ ଆଦିବାସୀ ମହିଳା ଥାନାରେ ପହଞ୍ଚି ଏ ସଂପର୍କରେ ଅଭିଯୋଗ କରିବା ସହିତ ଏକ ଲିଖିତ ଅଭିଯୋଗ ପତ୍ର ଥାନା ଆଇଆଇସିଙ୍କୁ ପ୍ରଦାନ କରିଛନ୍ତି । ମହିଳାମାନଙ୍କ ଅଭିଯୋଗ ସୁତ୍ରରୁ ପ୍ରକାଶ ଯେ, ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ଏହି ଗ୍ରାମର ଡିଲରଙ୍କ ପୁଅ ଶଙ୍କରପୁର ଗ୍ରାମର ମାନସ ବେହେରା ନାମକ ଜଣେ ଯୁବକ ଆଦିବାସୀ ମହିଳାଙ୍କ ଠାରୁ ଟିପ ଓ ଦସ୍ତଖତ ନେବା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ନେଇ ଯାଇଥିଲେ । କିଛିଦିନ ପରେ ଇଣ୍ଡସ୍ ଇଣ୍ଡ ବ୍ୟାଙ୍କର କର୍ମଚାରୀମାନେ ଗ୍ରାମକୁ ଆସି ‘ତୁମେ ଋଣ ନେଇଛ, ଏବେ କିସ୍ତି ପରିଶୋଧ କର’ ବୋଲି ମହିଳାମାନଙ୍କୁ କହିଥିଲେ । ବ୍ୟାଙ୍କ କର୍ମଚାରୀମାନେ ଏଥିପାଇଁ ସେମାନଙ୍କ ଉପରେ ଜୁଲମ କରୁଥିବା ଓ ଗାଳି ଗୁଲଜ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ‘ଋଣ ନ ନେଇ କିସ୍ତି କିପରି ଦେବୁ’ ବୋଲି ମହିଳାମାନେ ପ୍ରଶ୍ନ କରିବା ସହିତ ସେମାନଙ୍କ ସହିତ ଚଞ୍ଚକତା କରିଥିବା ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେମାନଙ୍କୁ ଋଣମୁକ୍ତ କରିବାକୁ ମହିଳାମାନେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *