ପାପଡାହାଣ୍ଡି : ଗତକାଲି ଜବତ ହୋଇଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଗାଡ଼ିକୁ ଛାଡ଼ି ଦେଇଛି ପାପଡ଼ାହାଣ୍ଡି ପୁଲିସ । ତେବେ ଗାଡ଼ିରେ ରହିଥିବା ଶାଢ଼ି, ଗାମୁଛା ଆଦି ପୁଲିସ ଜବତ କରିଛି । ଏହି ଘଟଣାରେ ପରବର୍ତ୍ତୀ ନିଷ୍ପତ୍ତି ନିର୍ବାଚନ କମିସନର ନେବେ ବୋଲି ଜଣାପଡ଼ିଛି । ଅନ୍ୟପଟେ ପୁଲିସ ଗାଡ଼ି ଛାଡ଼ିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଭୁଜବଳ ମାଝୀ । ସେହିପରି କଂଗ୍ରେସର ପ୍ରଚାର ଗାଡ଼ିକୁ ଘୁସରାବେଡ଼ା ରାସ୍ତାରେ ଭଙ୍ଗାରୁଜା ଘଟଣାରେ ପୁଲିସ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଏ ନେଇ ଥାନା ଅଧିକାରୀ ଶୁଭେନ୍ଦୁ ଶବରଙ୍କୁ ଯୋଗାଯୋଗ କରିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଲିଖିତ ଦେବାରୁ ଗାଡ଼ି ଛଡ଼ାଯାଇଛି । ପରବର୍ତ୍ତୀ ନିଷ୍ପତ୍ତି ନିର୍ବାଚନ କମିସନର ନେବେ ବୋଲି କହିଛନ୍ତି । ପୂର୍ବତନ ବିଧାୟକ ଭୁଜବଳ ମାଝୀକୁ ଯୋଗାଯୋଗ କରିବାରୁ ଏହା ନିନ୍ଦନୀୟ ଘଟଣା ଏବଂ ବିଧାୟକ ଏମିତି ବାରମ୍ବାର କରୁଛନ୍ତି । ତେଣୁ ନିର୍ବାଚନ କମିସନରଙ୍କୁ ଘଟଣା ସଂପର୍କରେ ଲିଖିତ ଭାବେ ଜଣାଇବେ ବୋଲି କହିଛନ୍ତି ।
ସେହିପରି ଗତକାଲି ହିଁ କଂଗ୍ରେସର ପାପଡାହାଣ୍ଡି ବ୍ଲକ୍ ଜୋନ୍-୨ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଲିପିକା ମାଝୀଙ୍କ ପ୍ରଚାର ଗାଡ଼ିକୁ ଭଙ୍ଗା ଯାଇଥିଲା । ଏତଲା ଭତ୍ତିରେ ପୁଲିସ ଶରତ ବେନିଆ, ବାବୁନା ବେନିଆ ଓ ଭାସ୍କର ବିଶୋଇଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି । ଲିପିକାଙ୍କ ପ୍ରଚାର ଗାଡି ଚନ୍ଦ୍ରପୁର ପଞ୍ଚାୟତରେ ପ୍ରଚାର କରି ଘୁସରାବେଡ଼ା ରାସ୍ତାରେ ଯିବା ସମୟରେ ଗାଡିକୁ ଭଙ୍ଗା ରୁଜା କରାଯାଇଥିଲା । ଏ ନେଇ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଲିପିକା ପାପଡାହାଣ୍ଡି ଥାନାରେ ଏତଲା ଦେବାପରେ ପୁଲିସ କେସ ନମ୍ବର ୨୪/୨୨ରେ ମାମଲା ରୁଜୁ କରି ଏସ୍ଆଇ ଶିବାଜୀ ପଣ୍ଡା ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
