ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ ପୂର୍ବରୁ ଜାଲ୍ ଭୋଟରମାନଙ୍କୁ ରାଜ୍ୟ ନିର୍ବାଚନ କମିସନର ସତର୍କ କରାଇ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଅନ୍ୟ କାହା ନାମରେ ଭୋଟ୍ ଦେବାବେଳେ ଧରାପଡ଼ନ୍ତି, ତେବେ ତାଙ୍କୁ ଗିରଫ କରାଯିବ । ନିର୍ବାଚନରେ ଭୋଟ ଦେବା ପାଇଁ ଭୋଟରଙ୍କ ନାମ ଭୋଟର ତାଲିକାରେ ଥିବା ଦରକାର ଏବଂ ତାଙ୍କ ପାଖରେ ବୈଧ ପରିଚୟ ପତ୍ର ଥିବା ଦରକାର । ଯଦି ଭୋଟରଙ୍କ ଉପରେ ପୋଲିଂ ଏଜେଣ୍ଟଙ୍କର କୌଣସି ସନ୍ଦେହ ହୁଏ, ତେବେ ସେ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ଚାଲେଞ୍ଜ କରିପାରିବେ । ଏଥିପାଇଁ ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ଲିଖିତ ଅଭିଯୋଗ କରି ୨ ଟଙ୍କା ଦାଖଲ କରିବାକୁ ପଡ଼ିବ । ପରେ ପ୍ରିଜାଇଡିଂ ଅଫିସର ଅଭିଯୋଗର ଯାଞ୍ଚ କରିବେ । ଅଭିଯୋଗ ସତ ପ୍ରମାଣିତ ହେଲେ ଜାଲ୍ ମତଦାତାଙ୍କୁ ପୁଲିସ ଜିମାରେ ଦିଆଯିବ । ପୋଲିଂ ଏଜେଣ୍ଟ ଦେଇଥିବା ଦୁଇ ଟଙ୍କା ତାଙ୍କୁ ଫେରାଇ ଦିଆଯିବ । ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ ।
ସେହିପରି ଯଦି କୌଣସି ବ୍ୟକ୍ତି ନାଁରେ ଅନ୍ୟ କେହି ଭୋଟ୍ ଦେଇ ପଳାଇଥିବେ, ତେବେ ସେ କ୍ଷେତ୍ରରେ ଉକ୍ତ ବ୍ୟକ୍ତିଙ୍କୁ ଟେଣ୍ଡର୍ଡ ଭୋଟ୍ ପାଇଁ ଅନୁମତି ଦିଆଯିବ । ମାତ୍ର ସେ ଭୋଟ ଦେଇଥିବା ବାଲଟ ପେପରକୁ ଅଲଗା ରଖାଯିବ ଏବଂ ତାଙ୍କ ଭୋଟକୁ କାଉଣ୍ଟ କରାଯିବ ନାହିଁ । ପରେ କୋର୍ଟ ନିର୍ଦ୍ଦେଶ ଆସିଲେ, ଭୋଟ୍ର କାଉଣ୍ଟିଂ ହେବ । ଅପରପକ୍ଷେ ନିର୍ବାଚନ ପରିଚାଳନାରେ ଭାଗ ନେଇଥିବା ପୋଲିଂ ଅଫିସରମାନେ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିବା କମିସନଙ୍କ ପକ୍ଷରୁ କୁହାଯାଇଛି ।
