ଆଠଗଡ : ଦିନ କେଇଟା ପରେ ପଂଚାୟତ ନିର୍ବାଚନ । ଗାଁ ଗାଁରେ ରାଜନୀତି ସରଗରମ ହୋଇଥିବା ବେଳେ, ଏବେ ଗାଁ ଗାଁରେ ରାଜନୈତିକ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଏହିଭଳି ଘଟଣା ଘଟିଛି ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମରେ । କାଠଖୁଣ୍ଟ ଗ୍ରାମର ଜଣେ ସ୍ବାଧୀନ ସରପଞ୍ଚ ପ୍ରାର୍ଥୀ ସୁଶୀଲ କୁମାର ମଲିକଙ୍କ ଘର ଉପରକୁ ରାତି ଅଧିଆ ବୋମା ମାଡ଼ କରାଯାଇଥିବା ସୂଚନା ମିଳିଛି । ରାତି ପ୍ରାୟ ଟା ୪୫ମିନିଟ୍ ସମୟରେ ଘରେ ଶୋଇଥିବା ବେଳେ ୩ ଜଣ ଏକ ଧଳା ରଙ୍ଗର କାରରେ ଆସି ଏଭଳି ଘଟଣା ଘଟାଇଥିବା ସୁଶୀଲ ମଲ୍ଲିକ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦୁଇ ଦିନ ପୂର୍ବରୁ ମଧ୍ୟ ତାଙ୍କ ପ୍ରଚାର ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଧମକ ଦିଆଯାଇଥିଲା । ଏନେଇ ଏକ ଏତଲା ମଧ୍ୟ ସେ ନରସିଂହପୁର ଥାନାରେ କରିଥିଲେ । ଅନ୍ୟ ଜଣେ ସରପଞ୍ଚ ପ୍ରାର୍ଥିନୀ ଲିପିନା ନାୟକଙ୍କ ସମର୍ଥକ ଏପରି କରିଥିବା ସୁଶୀଲ କହିଛନ୍ତି । ତେବେ ଆଉ ଦୁଇଦିନ ପରେ ପଂଚାୟତ ନିର୍ବାଚନ । ଏନେଇ ନରସିଂହପୁର ପୋଲିସ ପ୍ରଶାସନ କେତେ ସଜାଗ ଓ କେତେ ପ୍ରସ୍ତୁତ ଏଥିରୁ ଅନୁମାନ କରାଯାଉଛି ।
