ଭୁବନେଶ୍ୱର : ରାଜ୍ୟରେ ଗଜରାଜ ଏବେ ବିପଦରେ । ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେବା ଫଳରେ ହାତୀ-ମଣିଷ ଲଢେଇ ବଢିବାରେ ଲାଗିଛି । ଏହାର ସୁଯୋଗ ନେଇ ଶିକାରୀମାନେ ହାତୀ ଶିକାର କରି ଦାନ୍ତ ଓ ହାଡ ଦଲାଲଙ୍କୁ ବିକ୍ରି କରୁଛନ୍ତି । ବନବିଭାଗ କର୍ମଚାରୀଙ୍କ ଅପାରଗତା ଯୋଗୁଁ ହାତୀ ବଂଶ କମିବାରେ ଲାଗିଛି । ସରକାର ହାତୀ ସୁରକ୍ଷା ପାଇଁ ଯୋଜନା କରୁଥିଲାବେଳେ, ତାହା ସଫଳ ହୋଇପାରୁନାହିଁ । ଅନେକ କ୍ଷେତ୍ରରେ ବନବିଭାଗ କର୍ମଚାରୀ ହାତୀ ମୃତ୍ୟୁ ଘଟଣା ଲୁଚାଇବାକୁ ଉଦ୍ୟମ ମଧ୍ୟ କରୁଛନ୍ତି ।
ଓଡ଼ିଶା ୱାଇଲ୍ଡ ଲାଇଫ୍ ସୋସାଇଟି ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଏକ ବର୍ଷ ଭିତରେ ରାଜ୍ୟରେ ହାତୀ ମଣିଷ ଲଢ଼େଇରେ ୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୬ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରତିବର୍ଷ ହାତୀ-ମଣିଷ ଲଢ଼େଇ ରୋକିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ, ଏହାକୁ ରୋକିବାରେ ବନବିଭାଗ ଏକ ପ୍ରକାର ବିଫଳ ହୋଇଥିବା ଅଭିଯୋଗ କରାଯାଇଛି । ୨୦୧୪ ମସିହାରୁ ୨୦୨୨ ଯାଏଁ ରାଜ୍ୟରେ ହାତୀ ମଣିଷ ଲଢ଼େଇର ୧୧୪୫ ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୭୩୦ ଜଣଙ୍କର ମୃତ୍ୟୁ ହୋଇଛି ଓ ୬୫୭ ଜଣ ଆହତ ହୋଇଛନ୍ତି । ୨୦୧୪ ଏପ୍ରିଲ ରୁ ୧୨ ଫେବ୍ରୁଆରୀ ୨୦୨୨ ଭିତରେ ୬୧୪ଟି ହାତୀଙ୍କର ମୃତ୍ୟୁ ହୋଇଛି । ସେଥି ମଧ୍ୟରୁ ୧୯୧ଟି ହାତୀଙ୍କର ମୃତ୍ୟୁ ଅପ୍ରାକୃତିକ ଭାବେ ହୋଇଥିବା ବେଳେ ୯୧ଟି ବିଦ୍ୟୁତ ଆଘାତରେ, ୭୮ଟି ଶିକାରୀଙ୍କ ଦ୍ୱାରା, ୨୪ଟି ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ୧୪୪ଟି ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ।
୨୦୧୯ ମାର୍ଚ୍ଚରୁ ୨୦୨୦ ମାର୍ଚ୍ଚ ଯାଏଁ ୨୦୪ଟି ହାତୀ ମଣିଷ ଲଢ଼େଇ ମାମଲା ସାମ୍ନାକୁ ଆସିଥିବା ବେଳେ, ଏଥିରେ ୧୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୩୨ ଆହତ ହୋଇଥିଲେ । ୨୦୨୦ ଏପ୍ରିଲରୁ ମାର୍ଚ୍ଚ ୨୦୨୧ ଯାଏଁ ୧୮୨ଟି ମାମଲାରେ ବନ ବିଭାଗ ବିବରଣୀ ପ୍ରଦାନ କରିଥିବା ବେଳେ ୧୦୬ ଜଣଙ୍କର ମୃତ୍ୟୁ ଓ ୧୧୯ ଜଣ ଆହତ ହୋଇଥିଲେ । ୱାଇଲ୍ଡ ଲାଇଫ୍ ସୋସାଇଟି ସମ୍ପାଦକ ବିଶ୍ବଜିତ ମହାନ୍ତିଙ୍କ ସୂଚନା ଅନୁସାରେ ଗତ ଏକ ବର୍ଷ ମଧ୍ୟରେ ହାତୀ ମଣିଷ ଲଢ଼େଇର ସର୍ବାଧିକ ଘଟଣା ସୁନ୍ଦରଗଡ଼ ଜିଲାରେ ଦେଖିବାକୁ ମିଳିଛି । ଯେଉଁଠି ମୃତ୍ୟୁ ସଂଖ୍ୟା ୨୧ ଥିବାବେଳେ, କେନ୍ଦୁଝରରେ ୧୨, ଢ଼େଙ୍କାନାଳ ଜିଲାରେ ୧୧ ଓ ଅନୁଗୋଳ ଜିଲାରେ ହାତୀ ଆକ୍ରମଣରେ ୧୦ ଜଣ ଲୋକଙ୍କର ଜୀବନ ଯାଇଛି ।
