ମୃତ୍ୟୁର ଅଢ଼େଇ ବର୍ଷ ବିତି ଯାଇଥିଲେ ହେଁ ପରିବାରକୁ ମିଳିପାରି ନାହିଁ ସରକାରୀ ସହାୟତା

ତେଲକୋଇ : ବଜ୍ରାଘାତରେ ସ୍ତ୍ରୀଙ୍କ ‌ମୃତ୍ୟୁ ଘଟିବାର ଅଢ଼େଇ ବର୍ଷ ବିତି ଯାଇଥିଲେ ହେଁ ସ୍ବାମୀ ଜଳିଆଙ୍କ ପରିବାରକୁ ଟଙ୍କାଟିଏ ସରକାରୀ ସହାୟତା ମିଳିପାରି ନାହିଁ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଅନ୍ତର୍ଗତ ଭୀମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗ୍ରାମର ଜଳିଆ ପଧାନଙ୍କ ସ୍ତ୍ରୀ ଗୀତାଞ୍ଜଳି ପଧାନ (୨୯)ଙ୍କ ବଜ୍ରାଘାତରେ ୨୦୧୯ ମସିହା ଅକ୍ଟୋବର ୧୦ ତାରିଖରେ ମୃତ୍ୟୁ ଘଟିଥିଲା

ସ୍ବାମୀ ଜଳିଆଙ୍କ ସହିତ ଗୀତାଞ୍ଜଳି ନିଜ ଚାଷଜମିକୁ କାମ କରିବାକୁ ଯାଇଥିଲେ । ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ତରତର ହୋଇ ସମ୍ପର୍କୀୟ ଭାଇଙ୍କ ସହିତ ସ୍ବାମୀ, ସ୍ତ୍ରୀ ଦୁହେଁ ଘରକୁ ଫେରୁଥିଲେ । ମୁଣ୍ଡରେ କାଠ ବୋହି ଘରକୁ ଫେରୁଥିଲେ ଗୀତାଞ୍ଜଳି । ବିଧିର ବିଧାନ ବଡ଼ ବିଚିତ୍ର । ୧୦୦ ମିଟର ଦୂର ଆସିଛନ୍ତି କି ନାହିଁ ହଠାତ୍ ବଜ୍ରପାତ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ତେଲକୋଇ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ବାମୀ ଜଳିଆ ସ୍ତ୍ରୀକୁ ଝୁରି ହେଉଛନ୍ତି । ଶାଶୂ ବି ତାଙ୍କ ଅଲିଅଳି ବୋହୂଙ୍କୁ ହରାଇ ଆଖିରୁ ଲୁହ ଗଡ଼ାଉଛନ୍ତି । ଗୀତାଞ୍ଜଳିଙ୍କ ମୃତ୍ୟୁ ପରେ ସମସ୍ତ ଆବଶ୍ୟକ ସରକାରୀ କାଗଜପତ୍ର ସହିତ ତେଲକୋଇ ତହସିଲ କାର୍ଯ୍ୟାଳୟର ଆପତଃକାଳୀନ ବିଭାଗରେ ଆର୍ଥିକ ସହାୟତା ନିମନ୍ତେ ଆବେଦନ କରିଛନ୍ତି ଜଳିଆ । କିନ୍ତୁ ଆଜି ଯାଏଁ ଟଙ୍କାଟିଏ ସହାୟତା ମିଳିପାରି ନାହିଁ । ଏନେଇ ତହସିଲଦାର ଅଶ୍ବିନୀ କୁମାର ନାଏକଙ୍କୁ ପଚାରିବାରୁ ସଂପୃକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ତେବେ କେବେ ଦିଆଯିବ ତାର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ରଖି ନାହାନ୍ତି । ତୁରନ୍ତ ଜଳିଆଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *