ପଞ୍ଚାୟତ ନିର୍ବାଚନରେ ୩ ଦିନ ବଦଳରେ ୨ ଦିନ କାର୍ଯ୍ୟକୁ ପାଟଣା ପ୍ରାଥମିକ ଶିକ୍ଷକ ସଙ୍ଘର ବିରୋଧ

ପାଟଣା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ନିମନ୍ତେ ତାଲିମ ପାଇଥିବା କର୍ମଚାରୀମାନଙ୍କୁ ବିଭାଗ ତରଫରୁ ନିଯୁକ୍ତି ପତ୍ର ଦିଆଯାଇଛି । ନିର୍ବାଚନ ପରିଚାଳନା ନିମନ୍ତେ ନିଯୁକ୍ତି ପାଇଥିବା ପତ୍ରରେ ୩ ଦିନ ବଦଳରେ ୨ ଦିନ ଉଲ୍ଲେଖ ରହିଥିବାରୁ ସ୍ୱଳ୍ପ ସମୟ ମଧ୍ୟରେ ଦୂରରେ ରହିଥିବା ବୁଥରେ ପହଞ୍ଚି ନିର୍ବାଚନ ପରିଚାଳନାରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା ରହିଥିବାରୁ ପ୍ରଶାସନର ଏହି ନୀତିକୁ ପାଟଣା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ କମଳାକାନ୍ତ ପତି ବିରୋଧ କରିବା ସହିତ କର୍ମଚାରୀ ମହଲରେ ଦିନକୁ ଦିନ ଅସନ୍ତୋଷ ବଢିବା ସହିତ ୨ ଦିନ ବଦଳରେ ୩ ଦିନ କରିବା ପାଇଁ ଦାବି ହେଉଛି ।

ସଂଘ ପକ୍ଷରୁ ଅଭିଯୋଗ ହେଉଛି ଯେଉଁ ଦିନ ନିର୍ବାଚନ କାର୍ଯ୍ୟରେ କର୍ମଚାରୀମାନେ ଯୋଗ ଦିଅନ୍ତି, ସେମାନେ ବ୍ଲକରୁ ଆନୁସଙ୍ଗିକ କାଗଜପତ୍ର ଧରି ବୁଥରେ ପହଞ୍ଚିଲା ବେଳେକୁ ସନ୍ଧ୍ୟା ହୋଇଯାଇଥାଏ । ତା’ ପରଦିନ ନିର୍ବାଚନ ସମ୍ପର୍କିତ କାଗଜ ପତ୍ର ପ୍ରସ୍ତୁତ କରାଯାଏ । ତା’ ପର ଦିନ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ପୂର୍ବରୁ ଅନୁଷ୍ଠିତ ନିର୍ବାଚନ ପ୍ରକ୍ରିୟାରେ ୩ ଦିନ ସମୟ ଦିଆହୁଏ, କିନ୍ତୁ ଏବେ ଏହି ସମୟ ସୀମାରେ କେନ୍ଦୁଝର ଜିଲାରେ ପରିବର୍ତ୍ତନ କରାଯାଇଛି । ନିର୍ବାଚନ ନିୟମ ରାଜ୍ୟର ସବୁ ଜିଲାରେ ସମାନ ରହିବା କଥା, କିନ୍ତୁ ମୟୂରଭଞ୍ଜ ଏବଂ ପୁରୀ ଜିଲାରେ ନିର୍ବାଚନ ପରିଚାଳନା କରିବା ପାଇଁ ନିଯୁକ୍ତି ପାଇ ଥିବା ଅଧିକାରୀମାନଙ୍କୁ ୩ ଦିନ ସମୟ ମିଳିଥିବାବେଳେ କେନ୍ଦୁଝର ଜିଲାରେ ୨ ଦିନ କାହିଁକି ସମୟ ଧାର୍ଯ୍ୟ କରାଯାଇଛି ବୋଲି ପାଟଣା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଜନ କୁମାର ପରିଡ଼ା ଏବଂ ସାଧାରଣ ସଂପାଦକ କମଳାକାନ୍ତ ପତି ଅଭିଯୋଗ କରିଛନ୍ତି । ରାଜ୍ୟର ଅନ୍ୟ ଜିଲାଙ୍କ ପାଇଁ ୩ ଦିନ ସମୟ ରହିଥିବାବେଳେ ବଣ ପାହାଡ ଭରା ଜିଲା ଯେଉଁଠାରେ ଗମନା ଗମନର ସୁବିଧା ନାହିଁ ସେହି ଜିଲାରେ ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତି ହୋଇଥିବା ଅଧିକାରୀମାନଙ୍କୁ ୨ ଦିନ ମିଳିଛି । ଅନ୍ୟ ଜିଲାରେ ନିର୍ବାଚନ ପରିଚଳନା ନିମନ୍ତେ ଯେପରୀ ୩ ଦିନ ସମୟ ରହିଛି କେନ୍ଦୁଝର ଜିଲାରେ ମଧ୍ୟ ୩ ଦିନ ସମୟ ଧାର୍ଯ୍ୟ କରିବା ଦିଗରେ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ ଦୃଷ୍ଟି ଦେବାକୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *