ହାରିଯିବା ଭୟରେ ପୋଷ୍ଟର ଉପରେ ପୋଷ୍ଟର ମାରି ନିଜର ବିଜୟ ସମ୍ଭାବନାକୁ ସଫଳ କରିବାର ହୀନ ପ୍ରୟାସ

ଲକ୍ଷ୍ମୀପୁର : ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଆଉ ନିର୍ବାଚନକୁ ନେଇ ଦେଖାଦେଲାଣି କିଛି ଅପ୍ରୀତିକର ପରିସ୍ଥିତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୂର୍ବରୁ ଯାହା ଦେଖିବାକୁ ମିଳୁନଥିଲା ତାହା ବର୍ତ୍ତମାନ ଦେଖିବାକୁ ମିଳୁଛି । ଆସନ୍ତା ୧୬ ତାରିଖରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ । ତେବେ ନିର୍ବାଚନ ଯେତିକି ନିକଟତର ହେଉଛି ରାଜନୈତିକ ବାତାବରଣ ସେତିକି ଉଷ୍ମତା ହେଉଛି । କେତେକ ସ୍ଥାନରେ ଗଣ୍ଡଗୋଳ ଓ ହିଂସାତ୍ମକ ଆଡକୁ ପରିବେଶ ଗତି କରୁଛି । ଦଳ ଦଳ ମଧ୍ୟରେ ପ୍ରାର୍ଥୀ ପ୍ରାର୍ଥୀ ମଧ୍ୟରେ ପରାଜୟର ଆଶଙ୍କାରେ ହୀନ ଉଦ୍ୟମ ଆପଣାଉଛନ୍ତି । ଏପରିକି ଜଣେ ପ୍ରାର୍ଥୀଙ୍କ ପୋଷ୍ଟର ଉପରେ ଅନ୍ୟ ଜଣେ ପ୍ରାର୍ଥୀ ପୋଷ୍ଟର ମାରି ନିଜର ବିଜୟ ସମ୍ଭାବନାକୁ ସଫଳ କରିବା ପାଇଁ ହୀନ ଉଦ୍ୟମ କରିବା ସହିତ ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କୁ ପରାଜିତ କରିବାକୁ ଅପଚେଷ୍ଟା କରୁଛନ୍ତି, ଯାହାକି ରାଜନୈତିକ ହିଂସାକୁ ଡାକିଆଣିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଏହିପରି ଅଭିଯୋଗ ହୋଇଛି କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା ପଞ୍ଚାୟତରେ ଏଠାରୁ ନିରୂପମା ଓ୍ବାଡେକା ୪ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ସରପଞ୍ଚ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି । ସେହିପରି ଅନ୍ୟ ଜଣେ ପ୍ରାର୍ଥୀ ସୁଲୋଚନା ମାଝୀ ତାଙ୍କ ସହିତ ନିର୍ବାଚନ ମଇଦାନରେ ଛିଡ଼ା ହୋଇଛନ୍ତି । ତେବେ ସୁଲୋଚନା ମାଝୀଙ୍କ ସମର୍ଥକମାନେ ନିରୂପମା ଓ୍ବାଡେକାଙ୍କ ପୋଷ୍ଟର ଉପରେ ପୋଷ୍ଟର ମାରିଥିବା ନେଇ ଶ୍ରୀମତୀ ଓ୍ବାଡେକା ଅଭିଯୋଗ କରିବା ସହିତ ପରାଜୟର ଆଶଂକାରେ ପ୍ରତିପକ୍ଷ ପ୍ରାର୍ଥୀ ଏଭଳି ହୀନ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ କରିଛନ୍ତି । ଏପରିକି ସେ ଏନେଇ ସ୍ଥାନୀୟ ପୁଲିସକୁ ମଧ୍ୟ ସୂଚନା ଦେଇଛନ୍ତି । ସେହିପରି ଅନ୍ୟ କିଛି ପଞ୍ଚାୟତରେ ପ୍ରାର୍ଥୀଙ୍କ ପୋଷ୍ଟରରେ ଚପଲ ମାଳ ପକାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।

ଲକ୍ଷ୍ମୀପୁର ବ୍ଲକରେ ଆସନ୍ତା ୨୦ ତାରିଖରେ ହେବ ନିର୍ବାଚନ, ତେବେ ନିର୍ବାଚନ ଯେତିକି ନିକଟତର ହେଉଛି ରାଜନୈତିକ ଉଷ୍ମତା ବୃଦ୍ଧି ପାଇବା ସହିତ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ହୀନ ଉଦ୍ୟମ ଆପଣେଇବାକୁ ପଛାଉ ନାହାନ୍ତି, ଯାହା ଫଳରେ ଏହାକୁ ନେଇ ଆଗାମୀ ଦିନରେ ଦଳ ଦଳ ଓ ପ୍ରାର୍ଥୀ ପ୍ରାର୍ଥୀଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ସହିତ ଗଣ୍ଡଗୋଳର ସୂତ୍ରପାତ ହେବାର ଆଶଙ୍କା ଦେଖାଦେଇଛି । ଏଥିପାଇଁ ନିର୍ବାଚନ ଅଧିକାରୀଙ୍କ ସମେତ ପୁଲିସକୁ ଅଧିକ କ୍ରିୟାଶୀଳ ନହେଲେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଯେଉଁ ପରି ଘଟଣା ମାନ ଘଟୁଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ସେଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ନିଜର ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *