ଭୁବନେଶ୍ୱର : ପୁଣି ଅକ୍ଟୋବରରେ ବାତ୍ୟା ଛନକା । ଓଡିଶା ପାଇଁ ଅକ୍ଟୋବର ମାସ ସବୁବେଳେ ଅଶୁଭ ସାଜି ଆସିଥିବାବେଳେ ପୁଣି ଚଳିତ ବର୍ଷ ମଧ୍ୟ ସେହି ଡର ଘନେଇଲାଣି । ଅଶାନ୍ତ ହେଉଛି ଆଣ୍ଡାମାନ ସାଗର । ୟୁରୋପିଆନ୍ ମଡେଲ୍ ର ଆକଳନ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ତୃତୀୟ ସପ୍ତାହ ଶେଷ ଆଡକୁ ଶକ୍ତିଶାଳୀ ହେବାର ସମ୍ଭାବା ରହିଛି । ଆଇଏମଡି ମଡେଲ ମଧ୍ୟ ସମାନ ଆକଳନ କରିଛି ।
ପର୍ଯ୍ୟାୟକ୍ରମେ ଦେଖିବାକୁ ଗଲେ, ୧୨ ଅକ୍ଟୋବର ୨୦୧୩ ରେ ଫାଇଲିନ୍, ୨୦୧୪ ଅକ୍ଟୋବର ୧୨ ରେ ହୁଡହୁଡ, ୨୦୧୮ ରେ ତିତଲିକୁ ସାମନା କରିଛି ଓଡିଶା । ଏହି ଅକ୍ଟୋବର ମାସ ବାତ୍ୟା ଓଡିଶାକୁ ଛାରଖାର କରିବାର ନଜିର ରହିଛି । ଏହା ଛଡା ୧୯୯୯ ମସିହା ମହାବାତ୍ୟାକୁ ଏବେ ବି ଲୋକ ଭୁଲି ନାହାନ୍ତି ।
୨୦୧୩ ଅକ୍ଟୋବରରେ ସଙ୍ଗଠିତ ଏହି ବାତ୍ୟାରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୨୨୦ କିମି । ରାଜ୍ୟର ୧୮,୩୭୪ ଗ୍ରାମ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିଲା । ୧୩.୨୪ ନିୟୁତ ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ ।
ସେହିପରି ୨୦୧୪ ଅକ୍ଟୋବରରେ ସଙ୍ଗଠିତ ହୁଡହୁଡ ବାତ୍ୟାରେ ପବନର ବେଗ ଥିଲା ୧୦୦ କିମି ପ୍ରତି ଘଣ୍ଟା । ଏହି ବାତ୍ୟାରେ ୯,୬୫୭ ଗ୍ରାମର ୩.୩୪ ନିୟୁତ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ ।
୨୦୧୮ ଅକ୍ଟୋବରରେ ଆସିଲା ବାତ୍ୟା ତିତଲି । ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବାରୁ ଏହି ବାତ୍ୟାରେ ୮ ହଜାର ୬୯୧ ଗ୍ରାମ ପ୍ରଭାବିତ ହୋଇଥିଲା । ୬.୦୩ ନିୟୁତ ବ୍ୟକ୍ତି ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ ।
ସେପଟେ ଗତ ୩ ବର୍ଷ ହେବ ଅକ୍ଟୋବର ମାସରେ କୌଣସି ବଡ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହୋଇନାହିଁ । ହେଲେ ଚଳିତ ବର୍ଷ ଏହି ଧାରା ଭାଙ୍ଗିବା ସହ ଏକ ବଡ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି ।
ସାଧାରଣତଃ ଦେଖିବାକୁ ଗଲେ ଅକ୍ଟୋବର ମାସରେ ଅସୁଥିବା ବାତ୍ୟାଗୁଡିକ ଅଧିକ ଶକ୍ତିଶାଳୀ ହୋଇଥାଏ । ବାତ୍ୟାର ସଠିକ ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । କିନ୍ତୁ ଆଣ୍ଡାମାନ ସାଗର ଅଶାନ୍ତ ହେବା ପାଇଁ ଏବେ ଠାରୁ ପରିବେଶ ଅନୁକୂଳ ଆଡକୁ ଗତି କରୁଛି । ସାମୁଦ୍ରିକ ସ୍ଥିତି ଓ ପାଣିପାଗ ଜନିତ କାରକଗୁଡିକ ସମୁଦ୍ରକୁ ଅଶାନ୍ତ କରିବାରେ ଲାଗିଛି ।
