୨ ବର୍ଷ ହେଲା ଦିଆଯାଉନି ‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ’: ସମ୍ମାନ ପ୍ରଦାନରେ ବାରମ୍ବାର ବିଭ୍ରାଟ

ଭୁବନେଶ୍ବର : ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଛି ‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ’ । ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ତଥା ବିକାଶ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ବ୍ୟକ୍ତି ବା ଅନୁଷ୍ଠାନମାନଙ୍କୁ ପ୍ରୋତ୍ସାହିତ କରିବା ତଥା ସ୍ବୀକୃତି ଜଣାଇବା ଉଦ୍ଦେଶ୍ୟରେ ୨୦୧୮ରେ ଆରମ୍ଭ ହେଲା ଏହି ଭାଷା ସମ୍ମାନ । ପ୍ରଥମ ଦୁଇ ବର୍ଷ ଯଥାରୀତି ପୁରସ୍କାର ପ୍ରଦାନ କରାଗଲା । ତାହା ପରେ ବାହାରିଲା ସଂସ୍କୃତି ବିଭାଗର ପୁରୁଣା ରୋଗ । ବିଭିନ୍ନ ଏକାଡେମିର ସମ୍ମାନ ପରି ଏହି ସମ୍ମାନ ପ୍ରଦାନ ବି ନିୟମିତ ଓ ଶୃଙ୍ଖଳିତ ହୋଇପାରିଲା ନାହିଁ । ଏ ଜାତିର ବରପୁତ୍ରଙ୍କ ନାମରେ ନାମିତ ଏକ ମର୍ଯ୍ୟାଦାଜନକ ସମ୍ମାନ ପ୍ରତି ବିଭାଗର ଏପରି ବେପରୱା ଆଭିମୁଖ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

ଓଡ଼ିଆ ଭାଷା, ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ବ୍ୟକ୍ତିବିଶେଷଙ୍କୁ ‘ଓଡ଼ିଶା ସାହିତ୍ୟ ଏକାଡେମି’ ପକ୍ଷରୁ ପ୍ରତିବର୍ଷ ପୁରସ୍କୃତ କରାଯାଉଛି । ବ୍ୟାସକବିଙ୍କୁ ସମ୍ମାନ ଜଣାଇ ତାଙ୍କ ନାମରେ ଏକ ସମ୍ମାନ ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସେହି ଅନୁଯାୟୀ ୨୦୧୮ ମସିହାରୁ ବିଭାଗ ପକ୍ଷରୁ ‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ’ ଦିଆଯିବାର ନିଷ୍ପତ୍ତି ହେଲା । ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାରର ଘୋଷଣା କଲେ । ଆଉ ଏହା ସଂସ୍କୃତି ବିଭାଗ ପକ୍ଷରୁ ସିଧାସଳଖ ଦିଆଯାଉଥିବା ଏକମାତ୍ର ପୁରସ୍କାର ଭାବେ ନିଜ ଅସ୍ତିତ୍ବ ଜାହିର କଲା । ପୁରସ୍କାର ପାଇଁ ୧ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ମଧ୍ୟ ଘୋଷଣା ହେଲା । ୨୦୧୮ ମସିହା ପାଇଁ ପ୍ରଥମ ଅନୁଷ୍ଠାନ ଭାବେ ବାଲେଶ୍ବରର ‘ଫକୀର ମୋହନ ସାହିତ୍ୟ ପରିଷଦ’ ଏହି ପୁରସ୍କାର ଗ୍ରହଣ କଲା । ଫକୀର ମୋହନଙ୍କ ଜୟନ୍ତୀ ଅବସରରେ ଜାନୁଆରି ୧୪ ତାରିଖ ୨୦୧୯ ମସିହାରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଆରମ୍ଭ ହେବା ସହ ଓଡ଼ିଆ ଜାତି ବ୍ୟାସକବିଙ୍କୁ ଏକ ନିଆରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା । ଏହାର ଠିକ୍‌ ବର୍ଷେ ପରେ ବ୍ୟାସକବିଙ୍କ ଜୟନ୍ତୀ ଅବସରରେ କଟକର ସାରସ୍ବତ ଅନୁଷ୍ଠାନ ‘ସାରଳା ସାହିତ୍ୟ ସଂସଦ’କୁ ୨୦୧୯ ମସିହା ପାଇଁ ଏହି ସମ୍ମାନରେ ଭୂଷିତ କରାଗଲା ।

ଏହା ପରେ ଅଟକିଗଲା ପୁରସ୍କାର ପ୍ରଦାନ। ୨୦୨୦ ଓ ୨୦୨୧ ପାଇଁ ଏହି ପୁରସ୍କାର ଦିଆଯାଇ ନାହିଁ । କେବେ କରୋନା ଆଳ ତ କେବେ ଚୟନ କମିଟି‌ରେ ମତପାର୍ଥକ୍ୟ ଆଳ । ପୁଣି କେବେ କମିଟିର ସୁପାରିସ୍‌କୁ ସରକାରଙ୍କ ଅଗ୍ରାହ୍ୟ । ଏମିତି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଅନ୍ୟ ପୁରସ୍କାର ପରି ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନରେ ବି ବିଭ୍ରାଟ ଓ ଅବ୍ୟବସ୍ଥା ଆରମ୍ଭ ହୋଇଗଲା । ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ବର୍ଷ ପୁରସ୍କାର ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୦ ଡିସେମ୍ବର ମାସରେ ମନୋନୟନ ଆହ୍ବାନ କରି ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ପାଖାପାଖି ଦେଢ଼ ବର୍ଷ ବିତିବାକୁ ବସିଥିବା ବେଳେ ଏଯାଏ ସମ୍ମାନ ପାଇଁ ନାମ ଘୋଷଣା ବି ହୋଇପାରିଲା ନାହିଁ । ୨୦୨୦ ପୁରସ୍କାର ପ୍ରଦାନ କରାଯାଇ ନ ଥିବାରୁ ୨୦୨୧ ପାଇଁ ଆଉ ବିଜ୍ଞପ୍ତି ଜାରି ହୋଇନାହିଁ ।

‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ-୨୦୨୦’ ପାଇଁ ସଂସ୍କୃତି ନିର୍ଦ୍ଦେଶକଙ୍କ ଆବାହକତ୍ବରେ ସାରସ୍ବତ ଜଗତର ଚାରି ଜଣ ବ୍ୟକ୍ତିଙ୍କୁ ନେଇ ଏକ ଚୟନ କମିଟି ଗଠନ କରାଯାଇଥିଲା । ଏହି କମିଟି ପକ୍ଷରୁ ଉକ୍ତ ପୁରସ୍କାର ପାଇଁ ଦୁଇ ଜଣଙ୍କ ନାମ ଯୁଗ୍ମ ଭାବେ ସୁପାରିସ କରାଯାଇଥିଲା । କିନ୍ତୁ ସଂସ୍କୃତି ମନ୍ତ୍ରୀ ଏହାକୁ ଗ୍ରହଣ ନ କରି ଫାଇଲ୍‌ ଫେରାଇ ଦେଇଥିଲେ ଓ ଜଣଙ୍କ ନାମ ମନୋନୀତ କରିବାକୁ କମିଟିକୁ କହିଥିଲେ । ଏହାରି ଭିତରେ ଚୟନ କମିଟିର ଜଣେ ସଦସ୍ୟଙ୍କ ପରଲୋକ ଘଟିଲା । ଏହା ପରେ ପ୍ରକ୍ରିୟା ପୁଣି ଅଟକିଗଲା । ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବିଭାଗ ସ୍ତରରେ ଆଗ୍ରହ ପ୍ରକାଶ ପାଇଲା ନାହିଁ କି ଫାଇଲ ଫେରାଇଲା ପରେ ମନ୍ତ୍ରୀ ଆଉ ତନାଘନା କଲେ ନାହିଁ ।

କିଛି ଦିନ ତଳେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ବୈଠକ ପୁଣି ଥରେ ବସିଥିଲା । ପୂର୍ବରୁ ସୁପାରିସ ହୋଇଥିବା ଦୁଇ ଜଣଙ୍କ ନାମକୁ କମିଟି ଖାରଜ କରିଦେଲା । ଏଥିରେ କଟକର ଏକ ପୁରାତନ ସାରସ୍ବତ ଅନୁଷ୍ଠାନକୁ ‘ତୃତୀୟ ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ-୨୦୨୦’ ପ୍ରଦାନ କରିବାକୁ ସୁପାରିସ୍ କରାଯାଇଛି । ଏହାକୁ ମଧ୍ୟ ସରକାର ଗ୍ରହଣ କରିନେଇଥିବା ସୂଚନା ମିଳିଛି । କିନ୍ତୁ ଏହି ନାମ କେବେ ଘୋଷଣା କରାଯିବ ଓ ସମ୍ମାନ କେବେ ପ୍ରଦାନ କରାଯିବ, ତାହା ଏ ଯାଏ ସ୍ଥିର କରାଯାଇ ନାହିଁ ।

ସଂସ୍କୃତି ବିଭାଗ ପକ୍ଷରୁ ପୁରସ୍କାର ପ୍ରଦାନ କରିବା‌ରେ କାହିଁକି ବାରମ୍ବାର ବିଭ୍ରାଟ ହେଉଛି, ତାହା ବୁଝାପଡ଼ୁ ନାହିଁ । ପ୍ରଶ୍ନ ଉଠୁଛି, ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ ପ୍ରଦାନ ପାଇଁ ଏକ କ୍ୟାଲେଣ୍ଡର ତାରିଖ ନିର୍ଦ୍ଧାରଣ ହୋଇଥିଲେ ସୁଦ୍ଧା କାହା ଭୁଲ୍‌ ପାଇଁ ଏଥିରେ ବ୍ୟତିକ୍ରମ ଘଟିଲା ? ବିଭାଗକୁ ପୁରସ୍କାର ପାଇଁ କୃତୀ ସନ୍ତାନ ଓ ଅନୁଷ୍ଠାନ ମିଳୁ ନାହାନ୍ତି ନା ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି ? ପୁରସ୍କାର ପ୍ରଦାନରେ ବାରମ୍ବାର ବିଭ୍ରାଟ ହେଉଥିଲେ ବି ବିଭାଗ ତାହାକୁ ବ୍ୟବସ୍ଥିତ କରିବାକୁ ଆନ୍ତରିକତା ପ୍ରକାଶ ନ କରିବା ବୁଦ୍ଧିଜୀବୀ ତଥା ସାରସ୍ବତ ବ୍ୟକ୍ତିମାନଙ୍କୁ ବ୍ୟଥିତ କରିଛି ।

Leave a Reply

Your email address will not be published. Required fields are marked *