ଭୁବନେଶ୍ବର : ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । ରାଜ୍ୟ କୃଷି ବିଭାଗ ହରାଇଲା ୧୦୩୬ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ । ଅର୍ଥାତ କୃଷି କ୍ଷେତ୍ରରେ ଓଡ଼ିଶା ସମୁଦାୟ ବଜେଟର ୭୮% କେନ୍ଦ୍ରୀୟ ଅନୁଦାନ ହରାଇଛି । ସେଥିରେ ପୁଣି ୧୪୧ କୋଟିର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ, ୧ କୋଟି ୮୩ ଲକ୍ଷର ପ୍ଲାଣ୍ଟ୍ ପ୍ରୋଟେକ୍ସନ(ଚାରା ସୁରକ୍ଷା), ୧୨ କୋଟିର ସିଡ୍ ଆଣ୍ଡ ପ୍ଲାଣ୍ଟିଂ (ବିହନ ଓ ରୋପଣ), ୩୦ କୋଟିର ସଏଲ ହେଲ୍ଥ କାର୍ଡ (ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ), ୩୫ କୋଟିର ପରମ୍ପରାଗତ କୃଷି ବିକାଶ ଯୋଜନା, ୫ କୋଟିର ପିଏମ କୁସୁମ, ୫ କୋଟିର ଜାତୀୟ ଖାଦ୍ୟ ସୁରକ୍ଷା ମିସନ-ଅଏଲ ଫାର୍ମ ଭଳି ୭ଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ଯୋଜନାକୁ ଅନୁଦାନ ଶୂନ ରହିଛି । ଏଥିଯୋଗୁଁ ରାଜ୍ୟର ସର୍ବାଧିକ ଅବହେଳିତ ବର୍ଗ କୁହାଯାଉଥିବା ଚାଷୀମାନେହିଁ କ୍ଷତିଗ୍ରସ୍ତ ହେଲେ । ଆଶ୍ଚର୍ଯ୍ୟ ଯେ ଓଡ଼ିଶା ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର ଏତେ ବଡ଼ ଅନ୍ୟାୟ କଲେ ଅଥଚ ରାଜ୍ୟ ସରକାର, କୃଷି ବିଭାଗ କିମ୍ବା ସଂସଦରେ ପ୍ରତିନିଧିତ୍ବ କରୁଥିବା ଉଭୟ ବିଜେପି, ବିଜେଡିର କୌଣସି ସାଂସଦ ଏନେଇ ଥରୁଟିଏ ମଧ୍ୟ ପ୍ରଶ୍ନ କଲେନାହିଁ ।
ରାଜ୍ୟ କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ସମୁଦାୟ ୧୫ଟି କେନ୍ଦ୍ରୀୟ କୃଷି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୧ ମସିହାରେ ୧୩୩୪ କୋଟି ଟଙ୍କାର ବଜେଟ ବ୍ୟବସ୍ଥା ରହିଥିଲା । ୨୦୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାକୁ ମାତ୍ର ୨୯୮ କୋଟି ଟଙ୍କା ମିଳିଲା । ମାର୍ଚ ୩୦ ତାରିଖ ସୁଦ୍ଧା ଟଙ୍କା ଖର୍ଚର ହିସାବ ରାଜ୍ୟକୁ ଦେବାକୁ ହୋଇଥାଏ । ମାତ୍ର ମାର୍ଚ ୮ ତାରିଖ ସୁଦ୍ଧା ରାଜ୍ୟକୁ ସମୁଦାୟ ବଜେଟର ମାତ୍ର ୧୦ ପ୍ରତିଶତ ଟଙ୍କା ମିଳିଥିଲା । ଅର୍ଥାତ ବାକି ୧୨ ପ୍ରତିଶତ ଟଙ୍କା ମାର୍ଚ ଶେଷ ବେଳକୁ ମିଳିଲା । ଆହୁରି ଆଶ୍ଚର୍ଯ୍ୟକର କଥା ଯେ ଜଳଛାୟା ଅମଳ ଯୋଜନା ପାଇଁ ୯୬ କୋଟି ଟଙ୍କା ମାର୍ଚ ୩୦ ତାରିଖ ରାତିରେ ପହଞ୍ଚିଥିଲା । କେତେ ଗୁରୁତ୍ବ ଦେଇ କୃଷି ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି ଏହାଠାରୁ ବଡ଼ ଉଦାହରଣ କଣ ଥାଇପାରେ । ଅନୁଦାନ ଟଙ୍କା ବିଳମ୍ବ ହେବାର ପ୍ରମୁଖ କାରଣ ହେଲା ୨୦୨୧ ମସିହାରେ ପ୍ରଥମ କରି କାର୍ଯ୍ୟକାରୀ ହୋଇଥିବା ସିଙ୍ଗିଲ ନୋଡାଲ ଆକାଉଣ୍ଟ ବ୍ୟବସ୍ଥା । ଏଥିରେ ଏଭଳି ବ୍ୟବସ୍ଥା ହୋଇଛି ଯାହା ଜରିଆରେ କେନ୍ଦ୍ରୀୟ ଅନୁଦାନର ଖର୍ଚ କେନ୍ଦ୍ର ସିଧାସଳଖ ତଦାରଖ କରିପାରିବେ । ଏଥି ଅନ୍ତର୍ଗତରେ କେନ୍ଦ୍ର ସରକାର ଦେଉଥିବା ଟଙ୍କାର ତିନି-ଚତୁର୍ଥାଂଶ ରାଜ୍ୟଗୁଡ଼ିକ ଖର୍ଚ କରି ବିନିଯୋଗ ପତ୍ର ଦାଖଲ କଲେ ବାକି ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି । ଅର୍ଥାତ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଟଙ୍କା ଖର୍ଚ ନହୋଇ ମିଛ ବିନିଯୋଗ ପତ୍ର ଦାଖଲରେ ଏହି ପ୍ରକ୍ରିୟା ଜରିଆରେ ଲଗାମ ଲଗାଯାଇ ପାରିବ । ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ପ୍ରଥମତଃ ଏହି ଆକାଉଣ୍ଟ ରୂପରେଖ ଏବଂ ଏହାର ଖୋଲିବା ପ୍ରକ୍ରିୟା ନେଇ ଅନେକ ସମୟ ନଷ୍ଟ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଖୋଲାଯିବା ପରେବି ଟଙ୍କା ଠିକ ସମୟରେ ଆସିଲା ନାହିଁ । ସମ୍ଭବତଃ ଏହି ପ୍ରକ୍ରିୟାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଭୁଲ ଥିବାରୁ ସିଙ୍ଗିଲ ନୋଡାଲ ଆକାଉଣ୍ଟ ବ୍ୟବସ୍ଥାରେ ବିଳମ୍ବରେ ଅନୁଦାନ ଆସିବା ନେଇ ଉଭୟ ସରକାର ଏହାକୁ ଗୁରୁତ୍ବ ଦେଉ ନାହାନ୍ତି । କୃଷି ଯୋଜନାଗୁଡ଼ିକ ସଙ୍କୁଚିତ ହେବାରେ ଲାଗିଲା । ଏହାର ଲାଭ ପାଇଁ ଚାଷୀ ଆବେଦନ କରି ହିନସ୍ତା ହେଲେ । ଯେଉଁ ଗୁରୁତ୍ବପୂର୍ଣ୍ଣ ଯୋଜନାର ଅନୁଦାନ ହ୍ରାସ ଯୋଗୁଁ ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହେଲା ତାହା ହେଲା ୨୦୧୫ ମସିହାରେ ପ୍ରତି କ୍ଷେତକୁ ପାଣି ଯୋଗାଇ କୃଷିଜାତ ଉତ୍ପାଦନ ବୃଦ୍ଧି, ପାଣି ଅପଚୟ ବନ୍ଦ ଲକ୍ଷ୍ୟରେ ପ୍ରସ୍ତୁତ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୧୪୧ କୋଟି ଟଙ୍କାର ବଜେଟ ଥିଲା । ଚଳିତ ବର୍ଷ ଟଙ୍କା ନଆସିବାରୁ ଏହାର ଲାଭ ପାଇଁ ଚାଷୀ ଆବେଦନ କରି ନିରାଶ ହେଲା । ୪୫୦ କୋଟିର କୃଷି ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ର ବିକାଶ ଲକ୍ଷ୍ୟରେ ପ୍ରସ୍ତୁତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୪୫୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିଲା । ଏଥିରୁ ମାତ୍ର ୮୨ କୋଟି ଟଙ୍କା ରାଜ୍ୟକୁ ମିଳିଛି । ୧୦ କୋଟି ବଜେଟ ଥିବା ଇ-ଗଭର୍ଣ୍ଣନ୍ସ ପାଇଁ ୬୮ ଲକ୍ଷ, ୧୮୦ କୋଟିର କୃଷି ଯନ୍ତ୍ରପାତି ଯୋଜନା(ସ୍ମାମ)ରେ ୧୭ କୋଟି ୧୫ ଲକ୍ଷ, ୧୪୪ କୋଟି ଟଙ୍କାର ଜାତୀୟ ଖାଦ୍ୟ ସୁରକ୍ଷା ମିସନ-୧ଯୋଜନା ପାଇଁ ୫୦ କୋଟି, ୩୪ କୋଟିର ଜାତୀୟ ଖାଦ୍ୟ ସୁରକ୍ଷା ମିସନ ଯୋଜନାର ୮ କୋଟି ୮୩ ଲକ୍ଷ, ୩୦ କୋଟିର ମାଟି ସଂରକ୍ଷଣ ଯୋଜନାରେ ୧୧ କୋଟି ୩୭ ଲକ୍ଷ, ୬ କୋଟି ୬୬ ଲକ୍ଷର କୃଷି ଜଙ୍ଗଲ ଯୋଜନାରେ ୨ କୋଟି ୮୮ ହଜାର, ୧୭୬ କୋଟି ବଜେଟ ଥିବା ଆତ୍ମା ସମ୍ପ୍ରସାରଣ ଯୋଜନାରେ ୬୦ କୋଟି ଟଙ୍କା ଆସିଛି ।
