ସିଂହଦ୍ୱାରରେ ମିନିସ୍କଟ ପିନ୍ଧି ନୃତ୍ୟ କରୁଥିବା ଯୁବତୀଙ୍କ ଭିଡିଓ ଭାଇରାଲ୍‌

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାରରେ ଜଣେ ଯୁବତୀ ମିନିସ୍କଟ୍‌, ହାତକଟା ସାର୍ଟ ପିନ୍ଧି ନୃତ୍ୟ କରୁଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଏ ଦିଗରେ କଟକଣା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭକ୍ତ, ସେବାୟତ ଦାବି କରିଛନ୍ତି ।

ଭିଡିଓରେ ଜଣେ ଯୁବତୀ ଦୋଳମଣ୍ଡପସାହି ମୁଣ୍ଡରେ ପତିତପାବନଙ୍କୁ ଦର୍ଶନ ସ୍ଥାନରେ ମିନିସ୍କଟ୍‌ ପିନ୍ଧି ଏକ ହିନ୍ଦୀ ଗୀତର ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ସେହିଭଳି ଏକ ଦମ୍ପତ୍ତି ବି ପତିତପାବନଙ୍କୁ ଦର୍ଶନ ସ୍ଥାନରେ କୋଳାକୋଳି ହୋଇଥିବା ଏକ ଭିଡିଓ ବି ଭାଇରାଲ୍‌ ହୋଇଛି । ତେବେ ଏହା କେବଳ ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ କରୁନି, ଭକ୍ତଙ୍କ ମନରେ ଏକ ନକରାତ୍ମକ ଭାବନା ଜାତ କରୁଛି ବୋଲି ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ଶ୍ରୀମନ୍ଦିର ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, କିଛି ମାସ ତଳେ ପରିଚାଳନା କମିଟି ବୈଠକରେ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପୋଷାକ ପରିଧାନ କ୍ଷେତ୍ରରେ କଟକଣା ଲଗାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଯେଉଁ ଭକ୍ତମାନେ ଦର୍ଶନ ପାଇଁ ଆସୁଛନ୍ତି, ସେମାନେ ଯେଭଳି ପାରମ୍ପରିକ ପୋଷାକ ପିନ୍ଧି ଆସିବେ, ସେ ଉପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା । ଛତିଶାନିଯୋଗ ବି ଏଥିରେ ସହମତି ଜଣାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେବାୟତଙ୍କ କ୍ଷେତ୍ରରେ ଏହା ଲାଗୁ ହେଲା । କିନ୍ତୁ ଅଧାରେ ଏହି ବ୍ୟବସ୍ଥା ଅଟକିଗଲା ।

ସୂଚନାଯୋଗ୍ୟ, କିଛିଦିନ ତଳେ ଏମାର ମଠ ଚକଡ଼ାରେ ଏକ ଗଛମୂଳେ ପ୍ରେମୀଯୁଗଳଙ୍କ ଅଶ୍ଳୀଳତା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା ।

Leave a Reply

Your email address will not be published. Required fields are marked *